ଶ୍ରାଦ୍ଧ ପାଇଁ ଭିକ୍ଷା
କବି ଯଦୁମଣିଙ୍କର ମାତୃ ଶ୍ରାଦ୍ଧ ତିଥି ପାଖେଇ ଆସିଲା । ଏଣେ ଘରେ କିଛି ବୋଲି କିଛି ନାହିଁ । ଶ୍ରାଦ୍ଧ ପାଳନ ହେବ କିପରି? ତହୁଁ ଗୋଟିଏ ପଦ କବିତା ଲେଖି ନୟାଗଡର ରାଜ ଗୁରୁ ମହାଶୟଙ୍କ ପାଖରେ କବି ଯଦୁମଣି ପହଁଚି ଗାଇଲେ –
“ଆଶ୍ରାଦ୍ଧ, ଆଶ୍ରାଦ୍ଧ ବୋଲି ବୋଲୁ ନାହିଁ
ଶନିବାର ଦିନ ଆସିବ
ଆଶ୍ରାଦ୍ଧ, ଆଶ୍ରାଦ୍ଧ ବୋଲି ସେ ବୋଲୁଛି
ସେ ତାପ ଆପଣ ନାଶିବ ।”
ମୋର ଯେପରି ଅଭାବ ସମୟ ଶ୍ରଦ୍ଧାକୁ ଆହ୍ୱାନ କରୁନି, ମାତ୍ର ତିଥି ହିସାବରେ ଆସନ୍ତା ଶନି ବାର ଦିନ ନିଶ୍ଚୟ ଶ୍ରାଦ୍ଧ ଦେବ । ଏଣୁ ଶ୍ରାଦ୍ଧ ମୋତେ ଆଶ୍ରାଧର ସୂଚନା ଦେଉଛି । ମୋର ଏ ଦୁଃଖ ନିବାରଣ କରି କିଛି ସାହାଯ୍ୟ ଦେବେ ।
ରାଜ ଗୁରୁ କବି ଯଦୁମଣିଙ୍କ କଥାରେ ତୃପ୍ତ ହୋଇ ଖଣ୍ଡିଏ କାଗଜରେ ଆବଶ୍ୟକୀୟ ଜିନିଷ ଯୋଗାଇ ଦେବା ନିମନ୍ତେ ତାଙ୍କର ଗୁମାସ୍ତା ମଧୂସୂଦନ ଶତପଥୀଙ୍କ ନିକଟକୁ ଲେଖି ଦେଲେ । ମାତ୍ର ଚିଠି ପଢି ମଧ୍ୟ ଶତପଥୀଏ ସେମିତି କିଛି ଗୁରୁତ୍ୱ ଦେଲେ ନାହିଁ । ହଁ ଦେଖିବା, କହି କାଗଜଟିକୁ ସିରସ୍ତା ଉପରେ ପକାଇ ଦେଇ କେଉଁ ଆଡେ ଚାଲି ଗଲେ ।
ଏବେ କବି ଯଦୁମଣି କରିବେ ବା କ’ଣ? କବିତାଟିଏ ଲେଖି ରାଜ ଗୁରୁଙ୍କ ହାତକୁ ବଢାଇ ଦେଇ ବିଦାୟ ମାଗିଲେ । ରାଜ ଗୁରୁ କବିତାଟି ପଢିଲେ ।
ସେଥିରେ ଲେଖା ଥିଲା –
“ମଧୂସୂଦନ ଶତପଥୀଙ୍କର
ମଧୂସୂଦନ ରୀତିଟି ନିକର
ନବ ଦୁର୍ଗା ନାଥ ନଟକଣକୁ
ଲୋଟନ୍ତି ତବ ଚରଣ ତଳକୁ
ବେଭାର ଦେଇଛ ତାକୁ
କୁତା ପରି କରି ଫିଙ୍ଗି ଦେଲା ତବ
ହସ୍ତାକ୍ଷର ମୁକୁତାକୁ ।”
ଅର୍ଥାତ୍ ମଧୂସୂଦନ ଶତପଥିର ମଦ୍ୟପ ବ୍ୟବହାରକୁ ଦେଖନ୍ତୁ । ଆପଣଙ୍କ ପାଦ ତଳେ ନବ ଦୁର୍ଗ ନାଥଙ୍କର ପଗଡିର ଝୁଲ ନତ ହୁଏ ଅଥଚ ସାମାନ୍ୟ ଗୁମାସ୍ତା ଆପଣଙ୍କର ମୁକ୍ତା ପରି ଅକ୍ଷରରେ ଲିଖିତ ଆଦେଶ ପତ୍ରକୁ କୁକୁରର ଧକ୍କା ମାଇଲା ପରି ପ୍ରତ୍ୟାଖ୍ୟାନ କଲା ।
ରାଜ ଗୁରୁ ମଧୂସୂଦନକୁ ସଙ୍ଗେ ସଙ୍ଗେ ଡକାଇ ଭୀଷଣ ଧମକ ଦେଲେ ଓ କବି ଯଦୁମଣିଙ୍କୁ ଆବଶ୍ୟକୀୟ ପଦାର୍ଥ ଯୋଗାଇ ଦେଇ ବିଦାୟ ଦେଲେ ।