ଯଦୁମଣିଙ୍କର ଘୋଡା ମଗା
ଦିନକର କଥା, ରାତିରେ କାମ ସାରି ବିଛଣାକୁ ଯିବା ବିଳମ୍ବ ହୋଇ ଯାଇ ଥାଏ । ତେଣୁ ତହିଁ ଆର ଦିନ କବି ଶୀଘ୍ର ବିଛଣା ଛାଡି ପାରିଲେ ନାହିଁ । ଉଠିବା ବେଳକୁ ଟିକେ ବିଳମ୍ବ ହୋଇ ଯାଇ ଥାଏ । କବି ସଂଗେ ସଂଗେ ଉଠି କାଳ ବିଳମ୍ବ ନକରି ପୋଖରୀ କୂଳକୁ ନିତ୍ୟ କର୍ମ ଉଦ୍ଧେଶ୍ୟରେ ଚାଲିଲେ । ସ୍ୱାମୀଙ୍କର ବିଳମ୍ବ ଦେଖି ସ୍ତ୍ରୀ ମଧ୍ୟ ରୋଷେଇ କାର୍ଯ୍ୟ ଶୀଘ୍ର ସାରି ନଥାନ୍ତି । କବି ଯଦୁମଣି ସ୍ନାନ କରି ଫେରିବା ପରେ ସଂଗେ ସଂଗେ ସେ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖାଇବାକୁ ବାଢିବା ପାଇଁ କହିଲେ । କବି ଯଦୁମଣିଙ୍କ ପତ୍ନୀ ହଠାତ୍ ଯଦୁମଣିଙ୍କୁ ପଚାରିଲେ ଯେ, “ତୁମେ ଏତେ ତରତର କାହିଁକି ହେଉଛ? କଣ ଏମିତି ତୁମର ଜରୁରୀ କାମ ଅଛି ଯେ ଏତେ ତରତର?” ସ୍ତ୍ରୀଙ୍କ କଥା ଶୁଣି କବି ଯଦୁମଣି କହିଲେ, “ମୁଁ ବର୍ତ୍ତମାନ ରାଜାଙ୍କର ଦରବାରକୁ ଯିବି । ମୋତେ ଚାଲି ଚାଲି ଏତେ ଗୁଡାଏ ବାଟ ଯିବାକୁ ପଡିବ । ମୋର ହାତୀ ଅଛି ନା ଘୋଡା ଅଛିଯେ’ ମୁଁ ତା’ପିଠିରେ ବସି ଶୀଘ୍ର ଶୀଘ୍ର ଯାଇ ପହଁଚି ଯିବି । ତା’ ହେଲେ ତରତର ହେବି ନାହିଁ’ ତ କଣ କରିବି ।”
ସ୍ୱାମୀ ଯଦୁମଣିଙ୍କ କଥା ଶୁଣି ତାଙ୍କ ପତ୍ନୀ କହିଲେ, ତୁମେ ରାଜାଙ୍କ ଦରବାରରେ କବି ଶ୍ରେଷ୍ଠ । ନିଜର କବିତ୍ୱର ଚାତୁରୀ ବଳରେ ରାଜାଙ୍କୁ ବେଶ୍ ଆନନ୍ଦ ପ୍ରଦାନ କରି ପାରୁଛ । ହେଲେ ରାଜାଙ୍କୁ କହିଲେ ତୁମକୁ କଣ ଘୋଡା ଗୋଟିଏ ମିଳନ୍ତା ନାହିଁ । ଏହା କହି ପତ୍ନୀ ସ୍ୱାମୀଙ୍କ ପାଇଁ ଖାଇବାକୁ ବାଢି ଦେଲେ । ଖାଇବା ସମୟରେ କବି ଯଦୁମଣି ତାଙ୍କ ପତ୍ନୀ କହିଥିବା କଥା ଭାବୁ ଥାଆନ୍ତି । ଖାଇସାରି କବି ରାଜ ଉଆସରେ ଯାଇ ପହଁଚିଲେ । ପହଁଚିବା ବେଳକୁ ଦରବାର କାର୍ଯ୍ୟ ଆରମ୍ଭ ହୋଇ ସାରି ଥାଏ । ବିଳମ୍ବର କାରଣ ରାଜା ପଚାରିବାରୁ କବି ଯଦୁମଣି କହିଲେ, “ଛାମୁ ଏତେ ବାଟ ଚାଲି ଚାଲି ଆସିବାକୁ ପଡୁଛି । ତେଣୁ ଆଜି ଟିକେ ଡେରି ହୋଇ ଗଲା । ତେଣୁ ଆପଣ ଯଦି ମୋତେ ଟିକେ ସାମାନ୍ୟ ଦୟା କରନ୍ତେ, ଏଥରକ ଆଉ କେବେ ମଧ୍ୟ ବିଳମ୍ବ ହୁଅନ୍ତା ନାହିଁ । ଏହା କହି ସାରି କବି କହିଲେ –
“ନୋହିବ ହରିଣ – ନୋହିବ ଗାଈ
ଘୋଡା ନାମ ବହି ହୋଇବୁ ମାଈ
ପିଇବ ତୋରାଣି ଖାଇବ କୁଣ୍ଡା
ତେବେ ଯଦୁମଣି ହୋଇବ ଭେଣ୍ଡା ।”
କବି ଯଦୁମଣିଙ୍କ କଥା ଶୁଣିବା ପରେ ରାଜା ଠିକ୍ କବିଙ୍କ ଉଦ୍ଧେଶ୍ୟ ବୁଝି ପାରିଲେ । ସଂଗେ ସଂଗେ ଘୋଡା ଶାଳରୁ କବିଙ୍କୁ ଏକ ଘୋଡା ଦେବା ପାଇଁ କର୍ମଚାରୀ ମାନଙ୍କୁ ଆଦେଶ ଦେଲେ । ଘୋଡାଟିଏ ପାଇ ସାରିବା ପରେ କବିଙ୍କର ଆନନ୍ଦ କଥା କହିଲେ ନ ସରେ ।