କହେ ଯଦୁମଣି କରମଙ୍ଗା ହେଲେ
କବି ଯଦୁମଣି ଆଠଗଡ ଯାଇ ଥାନ୍ତି । ରାଜା ବାଲୁଙ୍କେଶ୍ୱର କବି ଯଦୁମଣିଙ୍କର ରହିବା ଓ ଭୋଜନାଦିର ବ୍ୟବସ୍ଥା କରି ଥାନ୍ତି । କବି ଯଦୁମଣି ଯେତେ ବେଳେ ସଭାକୁ ଆସନ୍ତି, ରାଜା ପଚାରିଲେ – “କିଓ ଯଦୁମଣି ଭଲରେ ଅଛ ତ? କିଛି ଅସୁବିଧା ହେଉନି? କବି ଯଦୁମଣି ସଙ୍ଗେ ସଙ୍ଗେ କହିଲେ –
ଯେଉଁ ଦିନୁ ଆମ୍ଭେ ଏଠାକୁ ଅଇଲୁ ସେହି ଦିନୁ ହେଲା ଖଡା
ଲେମ୍ବୁ ନାରଙ୍ଗରେ ହାତ ପଡିଲା ଭାତ ଖିଆ ହେଲା ଛଡା ।
ଆଳୁ କଦଳୀରେ କି ସୁଖ ମିଳିବ ସେତ ଲୋଡୁ ଥାଏ ସାଥି
କହେ କବି ଯଦୁମଣି କରମଙ୍ଗା ହେଲେ କିଛି ବା ରୁଚିନ୍ତା ପଥି ।
ସଭାରେ ଥିବା ଲୋକେ ବୁଝି ଗଲେ ଯେ କବି ଯଦୁମଣି କହୁଛନ୍ତି – ସବୁ ଦିନ ଖଡା ତରକାରୀ ଖାଇ ଖାଇ ଭଲ ଲାଗୁନି । କମଳା ଲେମ୍ବୁ ନ ମିଳିବାରୁ ଅରୁଚି ଲାଗୁଛି । କଦଳୀ ଆଳୁ ତରକାରୀ ହେଉଛି, ତା ସାଙ୍ଗକୁ ଯାହା ଦରକାର ତାହା ମିଳୁନି । କରମଙ୍ଗା ଦିଆ ଗଲେ କିନ୍ତୁ ରୁଚିନ୍ତା ଅବା?
ରାଜା କିନ୍ତୁ କବି ଯଦୁମଣିଙ୍କ ମନର କଥା ବୁଝି ଗଲେ । ନିଲଜ୍ଜା ସ୍ତ୍ରୀ ମାନଙ୍କୁ ଦେଖି ଦେଖି ତାଙ୍କୁ ବ୍ୟସ୍ତ ଲାଗିଲାଣି । ସୁଗୋଲସ୍ତା, ଯୁବତୀ ମାନେ ତ ଦେଖା ଯାଉ ନାହାଁନ୍ତି । ଏଣୁ ଘର କଥା ମନେ ପକାଇ ଅନ୍ନ ରୁଚୁ ନାହିଁ । ବେଶ୍ୟା ସଙ୍ଗ କଲେ କ’ଣ ସୁଖ ମିଳିବ? ଯଦି ଛାମୁଁଙ୍କ ହାତରେ ଥିବା ପରିଜନ ମଧ୍ୟରୁ ଜଣେ ମିଳନ୍ତା ତେବେ ତାଙ୍କର କାମଜ୍ୱର ଦୂର ହୁଅନ୍ତା ।
ରାଜା ସଙ୍ଗେ ସଙ୍ଗେ କବି ଯଦୁମଣିଙ୍କ ମନ ମୁତାବକ ବିଦାକି ଦେଇ ବିଦାୟ ଦେଇ ଥିଲେ । କବି ଯଦୁମଣି ସଙ୍ଗେ ସଙ୍ଗେ ଇଟାମାଟିକୁ ଫେରି ଆସି ଅଞ୍ଜନାକୁ ଦେଖି ଶାନ୍ତ ହୋଇ ଥିଲେ ।