ବୁଢୀ ହୋଇ ନାହିଁ ମାଇପ ଅଛି
କବି ଯଦୁମଣିଙ୍କ ପିତା ମୁକୁନ୍ଦ ରାଜାଙ୍କ ଦୟାରୁ ଜଗନ୍ନାଥ ଠାକୁରଙ୍କର କେତେକ ଦେବୋତର ଜମି ଚାଷ କରି ଚଳୁ ଥାନ୍ତି । ମୁକୁନ୍ଦ ମଲେ । ତାପରେ ସେ ଜମିକୁ କବି ଯଦୁମଣି ମଧ୍ୟ ରଏତ ଭାବେ ଚାଷ କଲେ । ମାତ୍ର ଜମିରେ ଭଲ ଫସଲ ହେଉ ନଥିବା ଯୋଗୁଁ କବି ଯଦୁମଣି ବର୍ଷକୁ ବର୍ଷ କର ଦେଇ ପାରୁ ନଥିଲେ । ଜମିକୁ ଚାହିଁ ମଧ୍ୟ କର ବହୁତ ହୋଇ ଯାଉ ଥାଏ । ସେତେ ବେଳକୁ କବି ଯଦୁମଣିଙ୍କୁ ରାଜ ଦରବାରରେ ବିଶେଷ କେହି ଚିହ୍ନି ନଥାନ୍ତି । କବି ଯଦୁମଣି ଅତି ଅସୁବିଧାରେ ଚଳୁ ଥାନ୍ତି ।
ଜଗନ୍ନାଥ ସମ୍ପତ୍ତିର ସିଙ୍କରଣ କାଳନ୍ଦୀ ଚରଣ ଚ୍ୟାଉ ପଟ୍ଟନାୟକ, କର ପାଇଁ ବାରମ୍ବାର ପିଆଦା ପଠାଉ ଥାନ୍ତି । ତଲବ କରୁ ଥାନ୍ତି । ଶେଷରେ ଦିନେ ପଟ୍ଟନାୟକେ, କବି ଯଦୁମଣିଙ୍କୁ ଅପମାନ ସୂଚକ କଥା କହିଲେ । କବି ଯଦୁମଣିଙ୍କୁ ତାହା ଖୁବ୍ ବାଧିଲା । କବି ଯଦୁମଣି ବିଶେଷ ଦୁଃଖରେ ମ୍ରିୟମାଣ ହୋଇ ଗୋଟିଏ କବିତା ଲେଖି ଦରବାରକୁ ପଠାଇଲେ ।
ରାଜା କବିତାଟି ପାଠ କରି ଖୁସି ହେଲେ ଓ କବି ଯଦୁମଣି ଚାଷ କରୁଥିବା ଭୂସମ୍ପତ୍ତିକୁ ନିଷ୍କର ରୂପେ ସନନ୍ଦ ଲେଖି ଦେଲେ । ସଙ୍ଗେ ସଙ୍ଗେ କବି ଯଦୁମଣିଙ୍କୁ ରାଜ ଦରବାରକୁ ଡକାଇ ସମ୍ମାନିତ କଲେ ।
କବିତାଟି ଦିଆଗଲା –
ଜମିର ମାଲିକ ଜଗା ବଳିଆ
ତହିଁ ସିଠ ଅଧେ ଚ୍ୟାଉ କାଳିଆ
ଜମି ଅଳିଜଳି କିସ ବାହୁନିବା
ଯେସନେ ମଇଁଷି ଗୋଠ ଚାଳିଆ ।
ଜମିର ଆକାର ତମ୍ବୁ
ତହିଁ ନ ରହଇ ଟୋପିଏ ଅମ୍ବୁ ।୧ ।
ଚାରି ପଟ ବିଲ ଶକତି ଆକାର
ମୋ ବିଲ ଖଣ୍ଡିକ ଅଟଇ ଶମ୍ଭୁ ।୨ ।
ପାଂଚ କିଆରୀକି ପାଂଚ ବନ୍ଧନ
ହିଡ ବାଡ ମେଳ ତହିଁ ଶୋଭନ
ପ୍ରତି କିଆରୀରେ ତିନି ତିନି ଖାତ
ସେ ଅଟଇ ବଣ ପଂଚଲୋଚନ ।୩ ।
ମାଳୀ ତ ତହିଁକି ଡାହୁକା ନଈ
ବୃଷ୍ଟି ହେଲେ କରେ ସେ ଜଳ ଖାଇ ।
କର୍ପୁର ଚନ୍ଦନ ଗୋଳି ଦେଉ ଥାଇ
ପଟୁ ପଟୁ ପଟ ଆଳି କି ଦେଇ ।୪ ।
କିସ କହିବି ସେ ଚ୍ୟାଉ ପଟ୍ଟନାୟକ ଗୁଣ
ଭିଆଉ ଭିଆଉ ଦିଆଉ ଅଛି ସେ ଏତେ କଷଣ ।୫ ।
କଂସା ବିକି ଟଙ୍କା ଦେବାକୁ ମୋର ଚିତ୍ତ ବଳିଲା
ପିଲାଏ ବୋଇଲେ ଆମ୍ଭର ଏବେ ସବୁ ସରିଲା ।୬ ।
ଭାତ ସିନା ଏବେ ଖାଇବା ତଳେ ପତର ପାଡି
ତୋରାଣୀ କେମନ୍ତେ ପିଇବା ତଳେ ମୁହଁକୁ ମାଡି ।୭ ।
ପୋଡା କପାଳକୁ ଦୁର୍ବଳ ହଂସା
ଜାଗଇ ପଥର କୁଣ୍ଡି ମୋ କଂସା
ଗରା ବୋଲିବାକୁ ଭଙ୍ଗା ମାଠିଆ
ରୂପା ଦୁଗାଁ ଖଜା ଚଢା ତାଟିଆ
ଘରେ ନାହିଁ କିଛି, ବୁଢୀ ହୋଇ ନାହିଁ ମାଇପ ଅଛି ।୮ ।