ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ଆମ୍ବ ତୋଟା ଜଗିବା କଥା

                ବୋଲଗଡର ଜଣେ ମଠା ବେପାରୀ ରାଜେନ୍ଦ୍ର ଭଲ ମଠା ବିକିବା ପାଇଁ ଆଣିଥାନ୍ତି । କବି ଯଦୁମଣି ବୋଲଗଡ ଯିବା ଅବସରରେ ସେ ମଠା ଦେଖିଲେ । ରାଜାଙ୍କ ଆଗରେ ମଧ୍ୟ କହିଲେ । ରାଜା ମଠା କିଣି ଆଣିବାକୁ ଛାମୁଁ କରଣଙ୍କୁ ଆଦେଶ ଦେଲେ । କରଣ କିନ୍ତୁ ଭାରି ଚାଲାକ୍ । ସେ ତ କବି ଯଦୁମଣିଙ୍କୁ ଖାଲରେ ପକାଇବା ନିମନ୍ତେ, ସବୁ ବେଳେ ସୁଯୋଗ ଖୋଜୁ ଥିଲେ । ଏବେ ଛାଡନ୍ତି କେତେକେ? ଛାମୁଁ କରଣ ରାଜାଙ୍କୁ କହିଲେ – ମଣିମା କବିତ ମଠା ଦେଖିଛନ୍ତି, ଟଙ୍କା ଧରି ଯାଆନ୍ତୁ କିଣି ଆଣିବେ ।

                ରାଜା ସଙ୍ଗେ ସଙ୍ଗେ ଛାମୁଁ କରଣଙ୍କ କଥାରେ ରାଜି ହୋଇ ଗଲେ । କବି ଯଦୁମଣି ଟଙ୍କାକୁ ଅଂଟାରେ ମାରି ବୋଲଗଡ ଗଲେ । ସେ ଯେତିକି ଟଙ୍କା ଦେଇ ଥିଲେ ମଠା ଦାମ୍ର ଅଧା ହେଲା । କବି ଯଦୁମଣି ଅଧା ଟଙ୍କା ଦେଇ ଆଉ ଅଧା ଟଙ୍କା ଆଠ ଦିନ ବାବଦରେ ଦେଇ ଯିବେ କହି ମଠା ନେଇ ଆସିଲେ । ରାଜା ସଙ୍ଗେ ସଙ୍ଗେ କରଣକୁ କହିଲେ କବି ଯଦୁମଣିଙ୍କୁ ବାକି ଟଙ୍କା ଦେଇ ଦେବା ନିମନ୍ତେ । ମାତ୍ର କରଣ ଟଙ୍କା ଦେବାରେ ନାନା ଆଳ ଦେଖାଇଲେ । ତହବିଲ୍ରେ ଟଙ୍କା ଅଭାବ କଥା ମଧ୍ୟ କହିଲେ । ପରେ ଦେଇ ଦେବା ପାଇଁ ବୁଝାଇ ସୁଝାଇ କବି ମହାଶୟଙ୍କୁ ଫେରାଇ ଦେଲେ ।

                କବି ଯଦୁମଣି ଏବେ କରନ୍ତେ ବା କ’ଣ? ସବୁ କଥା ଓ ଷଡଯନ୍ତ୍ର କଥା ଜାଣି ସୁଦ୍ଧା ନିରବ ରହି ଥାନ୍ତି ।

ଥରେ ରାଜା କବି ଯଦୁମଣିଙ୍କୁ ଅନୁରୋଧ କଲେ, ତାଙ୍କ ଘର ପାଖରେ ଥିବା ଆମ୍ବ ତୋଟାକୁ ଜଗା ରଖା କରିବା ପାଇଁ ।

କରଣ କହିଲେ ସେ ତୋଟାର ଆମ୍ବ ବିକ୍ରି ହେଲେ ମଠା ଟଙ୍କା ପରିଶୋଧ ହେବ ।

ମାସକ ପରେ ଆମ୍ବ ପାଚିଲା, ହେଲେ କବି ଯଦୁମଣି ଏବେ ବେଶୀ ଅଡୁଆରେ ପଡିଲେ । ବନ୍ଧୁ ବାନ୍ଧବ ପ୍ରିୟା ପ୍ରିତୀ ସେ ଆମ୍ବ ଖାଇ ଗଲେ ।

ଛାମୁଁ କରଣ ବେଭାରି ଠାରୁ ଏ ସମ୍ବାଦ ପାଇ ରାଜାଙ୍କ ଆଗରେ କବି ଯଦୁମଣିଙ୍କ ବିରୁଦ୍ଧରେ ଗପିଲେ । ରାଜା ତ ଗୋଜା । ଯାହା ବୁଝି ଥିବେ ସେୟା । କରଣଙ୍କ କପଟ କଥାରେ ସେ ମଧ୍ୟ ଭଳି ଗଲେ । ଦଣ୍ଡ ଦେବା ନିମନ୍ତେ କବି ଯଦୁମଣିଙ୍କୁ ରାଜଧାନୀକୁ ଡକାଇ ପଠାଇଲେ ।

କବି ଯଦୁମଣି ଏ ସମ୍ବାଦ ପାଇ ତୁରନ୍ତ ରାଜଧାନୀକୁ ଗଲେ । ସେ ଜାଣିବାକୁ ପାଇଲେ ଯେ, ସେ ଆମ୍ବ ତୋଟା ଉଜାଡିବା ଯୋଗୁଁ ରାଜା ତାଙ୍କୁ ଡକାଇ ଛନ୍ତି । ଏଣୁ ସେ ରାଜାଙ୍କ ନିକଟରେ ପହଁଚି ବିନୟ ଭାବରେ ଗାଇବାକୁ ଲାଗିଲେ ।

                “ମୋ ଠାରେ ଦୟା କା ଠାରେ ନାହିଁ

                 ସୋଠା ଉପବାସ କହି ନୁହଁଇ

                ମଠା ବିକିବାରୁ ତୋଟା ଅଧିକାର

                କହି ନୁହେଁ ଦୁଃଖ ନିଶି ବାସର

                ଫଟା କପାଳରେ

    ସୋଠା ଯାହା ଲେଖିଲା ବିହି ମୋଠାରେ ।

ଛାମୁଁ ଏ ପ୍ରକାର କବିତା ଶୁଣି ସବୁ ବୁଝି ଗଲେ । ସେ ସଙ୍ଗେ ସଙ୍ଗେ ଛାମୁଁ କରଣକୁ ଡକାଇ ପଚାରିଲେ – କବି ଯଦୁମଣି ଯେଉଁ ମଠା ଆଣି ଥିଲେ ସେ ଟଙ୍କାଟା ଯତ୍ନ ସହକାରେ ଆଠ ଦିନ ପରେ ପଠାଇ ଦେଇଛ ତ?

ଛାମୁଁ କରଣ ହାତ ମଳି ମଳି ଆମ୍ବ ତୋଟା କଥା ଉଠାନ୍ତେ – ରାଜା ରାଗି ଯାଇ କହିଲେ, କବି ଯଦୁମଣି କ’ଣ ତୁମ ପରି ଦରମା ଖିଆ ଚାକର କି ଆମ୍ବ ତୋଟା ଜଗି ଟଙ୍କା ନେବେ ।

ସଙ୍ଗେ ସଙ୍ଗେ ଘୋଡା ସବାର ଦ୍ୱାରା ବୋଲଗଡକୁ ଟଙ୍କା ପଠାଗଲା ।

ରାଜା କବି ଯଦୁମଣିଙ୍କୁ ଉପହାର ସ୍ୱରୂପ ସେହି ଆମ୍ବ ତୋଟାଟିକୁ ପ୍ରଦାନ କରି ଦେଲେ ।  


ଗପ ସାରଣୀ

ତାଲିକାଭୁକ୍ତ ଗପ