ରାଜା ରାଣୀଙ୍କ ମନ ଖୁସି
ନୟାଗଡର ରାଜା ଥିଲେ କୃଷ୍ଣ ଭକ୍ତ । ଏଣୁ ଗଡରେ ଗୋପାଳ ମନ୍ଦିର ପ୍ରତିଷ୍ଠା କରି ଥିଲେ । ରାଣୀ ଥିଲେ କିନ୍ତୁ ରାମ ଭକ୍ତ । ଓଡଗାଁ ରଘୁନାଥଙ୍କ ନିକଟକୁ ନିୟମିତ ରୂପେ ଯାଉ ଥିଲେ ।
ଦିନେ ରାଜା ଓ ରାଣୀ ଏକାଠି ବସି ଖୁସି ଗପ କରୁ ଥାନ୍ତି । କବି ଯଦୁମଣି ଠିକ୍ ସେତିକି ବେଳେ ସେଠାରେ ପହଁଚିଲେ ।
ରାଜା କବି ଯଦୁମଣିଙ୍କୁ କହିଲେ – କବି ତୁମେ ଏମିତି ପଦେ କବିତା ବୋଲ ଯାହା କୃଷ୍ଣଙ୍କ ପକ୍ଷରେ କିମ୍ବା ରାଜା ରାମଙ୍କ ପକ୍ଷରେ ଅର୍ଥ କଲେ ବୁଝାଉ ଥିବ ।
କବି ଯଦୁମଣି ପ୍ରସଙ୍ଗରେ ଗାଇଲେ –
“କୁଜା ନାରୀ ତୁଲେ ପୀରତି କରି
ପାଣିରେ ପର୍ବତ ରଖିଲେ ହରି । ।”
ରାମଙ୍କ ପକ୍ଷରେ – ‘କୁ’ ଅର୍ଥ ପୃଥିବୀ । ତହିଁରୁ ଜାତ ସୀତାଙ୍କ ସହିତ ପ୍ରୀତି କରି ତାଙ୍କ ଉଦ୍ଧାର ପାଇଁ ହରି ଅର୍ଥ ମାଙ୍କଡ ମାନଙ୍କ ଦ୍ୱାରା ଜଳରେ ପର୍ବତ ସ୍ଥାପନ କଲେ ।
କୃଷ୍ଣଙ୍କ ପକ୍ଷରେ – କୁଜା ବା କୁବୁଜା ନାରୀ ସହିତ ସ୍ନେହ ରଖି ପୁଣି ପାଣି ହସ୍ତରେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରି ଥିଲେ ।
ଏହା ଶୁଣି ରାଜା ରାଣୀ ବିଶେଷ ସନ୍ତୋଷ ଲାଭ କରି ଥିଲେ । ସେଦିନ କବି ଯଦୁମଣି ଅର୍ଥ ଓ ବସ୍ତ୍ର ପୁରସ୍କାର ପାଇ ଘରକୁ ଫେରି ଥିଲେ ।