ତେଣୁ ବିଧାତା କଲା ସୁନା ମୁଦିଆ
ଥରେ ଢେଙ୍କାନାଳ ରାଜାଙ୍କ ରାଜ ସଭାରେ କବି ଯଦୁମଣି ଯାଇ ପହଁଚିଲେ । ସେତେ ବେଳକୁ ଢୋଙ୍କାନାଳର ରାଜା ଭାଗୀରଥି ମହେନ୍ଦ୍ର ବାହାଦୂର ଥିଲେ । ସେ ଥରେ ସଭାରେ ବାମ ହସ୍ତ ଓ ଦକ୍ଷିଣ ହସ୍ତ ମଧ୍ୟରେ ଏକ ପ୍ରତିଯୋଗିତା କରୁ ଥାନ୍ତି ।
ପ୍ରଶ୍ନ ଥିଲା – କେଉଁ ହାତ ଭଲ; କେଉଁ ହାତ ମନ୍ଦ । ଏ ବିଷୟରେ ସଭାରେ ଥିବା ପଣ୍ଡିତ ମାନେ ଭିନ୍ନ ଭିନ୍ନ ଯୁକ୍ତିତର୍କ କରୁ ଥାନ୍ତି ।
ଏହି ସମୟରେ କବି ଯଦୁମଣି ପହଁଚିବାର ଦେଖି ରାଜା ଭାରି ଖୁସି ହେଲେ । ଅନ୍ୟ ସଭା ପଣ୍ଡିତ ମାନେ ତ ତାଙ୍କୁ ଜାଣନ୍ତି । ରାଜା କବି ଯଦୁମଣିଙ୍କୁ ଏହି ପ୍ରଶ୍ନ ବିଷୟରେ କିଛି କହିବା ନିମନ୍ତେ ଅନୁରୋଧ କଲେ ।
କବି ଯଦୁମଣି କୌଣସି ପୁରାଣ ଶାସ୍ତ୍ର କଥା ନ କହି କହିଲେ –
“ବାମହସ୍ତ ବୋଲେ ସଂଚିବା ପାଇଁ
ତେଣୁ ବିଧାତା କଲା ଛଁଚିବା ପାଇଁ
ଦକ୍ଷିଣ ହସ୍ତ ବୋଲେ ସୁନା ମୁଦିଆ
ତେଣୁ ବିଧାତା କଲା ସୁନା ମୁଦିଆ ।”
ଅର୍ଥାତ୍ ବାମ ହାତ କହେ ସଂଚୟ କରିବି, ଏଣୁ ପୁରୁଷର ସେବା କରିବା ଦାୟିତ୍ୱ ତା’ ଉପରେ । ତେଣୁ ନାରୀକୁ ମଧ୍ୟ ବାମ ବୋଲି କୁହାଯାଏ ।
ଦକ୍ଷିଣ ହସ୍ତ ପରିଶ୍ରମ କରେ ଧନ ଦାନ କରେ, ଏଣୁ ବିଧାତା ତାହାକୁ ସୁନା ମୁଦି ଖଞ୍ଜିଛି । ପୁରୁଷ ଦକ୍ଷିଣ ନାୟକ ।
ଅନ୍ୟ ଅର୍ଥରେ ବାମ ହାତରେ ଛଅଁଚିବା କାମ ହେଉଛି । ବାମ ହାତ ନାରୀ ପରି ସଂଚୟ ଶାଳା ଓ କୃପଣ ଥିବାରୁ ବିଷ୍ଠା ଛଅଁଚିବା କାର୍ଯ୍ୟ କରୁଅଛି ।
ଦକ୍ଷିଣ ହସ୍ତ ପରିଶ୍ରମ କରି ଆଦାୟ କରୁଛି ଓ ସୁନାମ ପାଉଛି । ଏଣୁ ସୁନା ମୁଦି ଧାରଣ କରିଛି । ଏହା ଦ୍ୱାରା ବିଧାତା କୃପଣ ପର ନିନ୍ଦା ଓ ଦାନର ଗୌରବ ତାକୁ ଚାହିଁ କାର୍ଯ୍ୟ ପ୍ରଦାନ କରି ଛନ୍ତି ।
ରାଜା ଏ ସବୁ ଶୁଣି ବିଶେଷ ଖୁସି ହେଲେ । ସଙ୍ଗେ ସଙ୍ଗେ କବି ଯଦୁମଣିଙ୍କୁ ବହୁ ଧନ ଓ ବସ୍ତ୍ର ଉପହାର ଦେଲେ ।