ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଦୁମଣି ରହସ୍ୟ

ଦୁଇ ବାଟି ବିଷ୍ଠା ହେଉ

                ରାଜାଙ୍କ ଅନୁଗ୍ରହ କବି ଯଦୁମଣି ବହୁ ବିଳମ୍ବରେ ପାଇଲେ । ଅର୍ଥାତ୍ ରାଜା କବି ଯଦୁମଣିଙ୍କୁ ଦୁଇ ବାଟି ସମ୍ପତ୍ତି ଜାଗିର୍ ସୂତ୍ରରେ ପ୍ରଦାନ କଲେ । ଜାଗିରି ଜମିରେ କର ଦେବାକୁ ପଡେ ନାହିଁ । ଜାଗିରିଦାର ଯଦି ସୂଚାରୁ ରୂପେ କାମ କରୁ ଥାଏ, ତେବେ ରାଜା ତାର ସେବାରେ ଖୁସି ଥାଆନ୍ତି । ରାଜାଙ୍କ ଅନୁଗ୍ରହରୁ ତା ବଂଶ ପରମ୍ପରା ଅନୁସାରେ ସେ ସେହି ଜମି ଭୋଗ କରି ଆସୁ ଥାଏ । ମାତ୍ର କାର୍ଯ୍ୟରେ ଅବହେଳା କିମ୍ବା ରାଜା ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କଲେ ରାଜା ତାଙ୍କୁ ଜାଗିରିରୁ ଉଚ୍ଛେଦ କରନ୍ତି ।

                କବି ଯଦୁମଣି ତ ବେଶ୍ ଚାଲାକ୍ ଲୋକ । ଜାଗିରି ଗ୍ରହଣ କଲା ବେଳେ ‘ସନନ୍ଦ’ ରେ ସେ ବିଷ୍ଠା ଜମି ବୋଲି ଲେଖାଇ ଥିଲେ । ଜମି ଦୋ ଫସଲି । ତେଣୁ ଅନ୍ୟ ଲୋକେ କବି ଯଦୁମଣି ଏ ଜମି ପାଇବା ଦେଖି ସହି ପାରୁ ନଥିଲେ ।

                କବି ଯଦୁମଣିଙ୍କ ଜମି ତଳକୁ ସାମନ୍ତ ସୁରେନ୍ଦ୍ର ସିଂହଙ୍କର ପୂଳାଏ ସାମନ୍ତ ଜାଗିରି ଚାଷ ଜମି ଥାଏ । ପାଣିର ଅଭାବ କିମ୍ବା ବର୍ଷା ନ ହେଉ ଥିବା ବେଳେ କବି ଯଦୁମଣିଙ୍କ ଜମିରେ ଟୋପାଏ ସୁଦ୍ଧା ପାଣି ରହେ ନାହିଁ । କାରଣ ସାମନ୍ତ, ଚାକର ବାକର, ହଳିଆ ମାନେ କବି ଯଦୁମଣିଙ୍କ ଜମିରୁ ହିଡ ହାଣି ପାଣି ନେଇ ଯାଆନ୍ତି ।

                ତଦ୍ୱାରା ଫସଲ ନ ହେବା ହେତୁ କବି ଯଦୁମଣି ବର୍ଷ ବର୍ଷ ଧରି ଦୁଃଖ ପାଉ ଥିଲେ ।

                କବି ଯଦୁମଣି ସାମନ୍ତଙ୍କ ପାଖରେ ଯେତେ ଫେରାଦ ହେଲେ ସୁଦ୍ଧା ସାମନ୍ତେ ତାଙ୍କ କଥା ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ ।

                ଶେଷରେ ନିଜର ଦୁଃଖ ଜଣାଇବା ଉଦ୍ଧେଶ୍ୟରେ କବି ଯଦୁମଣି ପଦେ କବିତା ଲେଖି ରାଜାଙ୍କ ନିକଟକୁ ଜଣାଇଲେ –

                                ଆଜ୍ଞା ହୋଇଥିଲେ ଦେଉ

                                  ଦୁଇ ବାଟି ବିଷ୍ଠା ହେଉ

                                ତହିଁରୁ ପୁଳାଏ ଖାଇବାକୁ ଏବେ

                                  ସୁରେନ୍ଦ୍ର ହେଲେଣି କାଉ ।

                ରାଜା ଏ କବିତାଟି ପଢି ସୁରେନ୍ଦ୍ର ସିଂହଙ୍କୁ ଡକାଇଲେ । ସବୁ କଥା ପଡିଲା । ରାଜା ସାଆନ୍ତକୁ ଆଦେଶ ଦେଲେ – ସେ ଆଉ କବି ଯଦୁମଣିଙ୍କ ଜମିରୁ ହିଡ ହାଣି ପାଣି ନେଇ ପାରିବେ ନାହିଁ ।

                ରାଜା ସେ ଦୁହିଁଙ୍କୁ ମିଶାଇ ଦେବା ଦ୍ୱାରା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଓ ସଦ୍ଭାବ ଅତୁଟ ରହିଲା ।

                କବି ଯଦୁମଣି ହୃଦୟବାନ୍ ଲୋକ ଥିଲେ । ତାଙ୍କ ଜମି ପାଇଁ ଆବଶ୍ୟକ ପାଣି ରଖି ଅଧିକା ପାଣି ସାମନ୍ତଙ୍କ ଜମିକୁ ଛାଡି ଦେଉ ଥିଲେ ।

ଫଳରେ ଉଭୟଙ୍କ ଜମିରେ ଭଲ ଫସଲ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ