ଯଦୁମଣିଙ୍କ ପୁରୀ ଭ୍ରମଣ
ଗ୍ରୀଷ୍ମ ଋତୁ ହୋଇ ଥାଏ । ଏହି ସମୟରେ ପୁରୀରେ ଚନ୍ଦନ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲି ଥାଏ । କବି ଯଦୁମଣି ପ୍ରତି ବର୍ଷ ଚନ୍ଦନ ଯାତ୍ରା ଦେଖିବା ପାଇଁ ପୁରୀ ଯାଆନ୍ତି । ତେଣୁ ଦୁଇ ତିନି ଦିନ ଆଗରୁ କବି ଯଦୁମଣି ରାଜାଙ୍କୁ କହିଲେ ଯେ, “ମହାରାଜା ଏ ବର୍ଷ ପୁରୀର ଚନ୍ଦନ ଯାତ୍ରା ଦେଖିବା ପାଇଁ ମୋର ବହୁତ ମନ କରିଛି । ସେଥି ପାଇଁ ଆପଣ ଆଜ୍ଞା କରନ୍ତୁ ।”
କବି ଯଦୁମଣିଙ୍କ କଥା ଶୁଣିବା ମାତ୍ରକେ ରାଜା ଅମଙ୍ଗ ହୁଅନ୍ତେ ବା କାହିଁକି? ରାଜା ସଂଗେ ସଂଗେ ତାଙ୍କୁ ସମ୍ମତି ପ୍ରଦାନ କଲେ । ରାଜାଙ୍କର ଆଜ୍ଞା ପାଇବା କ୍ଷଣି କବି ଯଦୁମଣି ପୁରୀ ଅଭିମୁଖେ ବାହାରିବାକୁ ସଜ ବାଜ ଆରମ୍ଭ କଲେ । ସେ ସମୟରେ ତ’ ଗାଡି ମଟର ଚାଲୁ ନଥାଏ । ଯିଏ ଯେଉଁଠାକୁ ଯିବ ଘୋଡା କିମ୍ବା ହାତୀ ପିଠିରେ ବସି ଯିବ । ନତୁବା ପାଦରେ ଚାଲି ଚାଲି ଯିବ । କବି ଯଦୁମଣିଙ୍କ ପାଖରେ ବା ଏତେ ସମ୍ବଳ ଆସିବ କୁଆଡୁ ଯେ ସେ ଘୋଡା ହାତୀ ପିଠିରେ ବସି ବୁଲି ବାହାରିବେ । ତେଣୁ ସେ ଚାଲି ଚାଲି ଯିବାକୁ ମନସ୍ଥ କଲେ । ଦୁଇ ଦିନ ଚାଲି ଚାଲି ଯିବା ପରେ ଯାଇ ପୁରୀରେ ପହଁଚିଲେ । ମହାପ୍ରଭୁଙ୍କ ଦର୍ଶନ ସାରି ଆନନ୍ଦ ବଜାରରେ ମନ ଭରି ପେଟେ ଅବଢା ଖାଇଲେ । ଖାଇ ସାରିବା ପରେ କେଉଁଆଡୁ ନିଦ ଗ୍ରାସିଲା । ହେଲେ ଶୋଇବେ କେଉଁଠି? ବାହାର ଯାଗାରେ ଯଦି କୋଉଠି ଶୋଇ ପଡନ୍ତି, ତେବେ ପାଖରେ ଥିବା ପଇସା କଉଡି ହୁଏତ କିଏ ନେଇ ଚୋରି କରି ଯାଇ ପାରେ ।
ଏହି କଥା ଭାବି ଭାବି ଘର ଖଣ୍ଡିଏ ପାଇଁ ସେ ବୁଲୁ ଥାନ୍ତି । କବିଙ୍କର ଇଚ୍ଛା ଥାଏ ନରେନ୍ଦ୍ର ପୋଖରୀ ନିକଟରେ ହେଉ ବା ଚନ୍ଦନ ପୋଖରୀ ନିକଟରେ ରହିବା ପାଇଁ । ଏମିତି ଭାବି ଭାବି ବଡ ଦାଣ୍ଡରେ ବୁଲୁଥିବା ସମୟରେ ହଠାତ୍ ଗୋଟିଏ ପଣ୍ଡାଙ୍କ ସହିତ ଅଚାନକ୍ ତାଙ୍କର ଦେଖା ହୋଇ ଗଲା । ପଣ୍ଡାଟିକୁ ମଧ୍ୟ କବି ଯଦୁମଣି ପୂର୍ବରୁ ଜାଣି ଥିଲେ । ତାରି ଆଗରେ ନିଜର ମନ କଥା କବି ଯଦୁମଣି ଜଣାଇବା ମାତ୍ରକେ ସେହି ପଣ୍ଡା ଜଣକ ସଂଗେ ସଂଗେ ତାଙ୍କୁ ନରେନ୍ଦ୍ର ପୋଖରୀ ନିକଟରେ ଥିବା ଏକ ବସା ଘରକୁ ନେଇ ଗଲେ, ଓ ସେଠାରେ ରାତ୍ରି ଯାପନର ବନ୍ଦୋବସ୍ତ ମଧ୍ୟ କରାଇ ଦେଲେ ।
ତହିଁ ଆର ଦିନ ବଡି ସକାଳୁ କବି ଯଦୁମଣି ଉଠି ନିଜର ନିତ୍ୟ କର୍ମ ସାରିବା ପରେ କୁଆଡେ ନଯାଇ ସେହିଠାରେ ବସି ସହରର ସୌନ୍ଦର୍ଯ୍ୟ ଦେଖିବାକୁ ମନେ ମନେ ଠିକ୍ କଲେ । କିଛି ସମୟ ପରେ କବି ଯଦୁମଣି ହଠାତ୍ ଦେଖିଲେ ଜଣେ ସୁନ୍ଦରୀ ତରୁଣୀ ସେହି ଗୃହ ଅଭିମୁଖେ ଆସୁଛି । ତାର ଚାଲି ଚଳନ ଦେଖି କବି ଜାଣି ପାରିଲେ ଯେ ତରୁଣୀ ଜଣକ ଏକ ବେଶ୍ୟା । ଏହି କଥା ଭାବୁଥିବା ସମୟରେ କବି ଯଦୁମଣି ଦେଖିଲେ ହଠାତ୍ ତରୁଣୀଟି ଅନ୍ୟ ମନସ୍କ ହୋଇ ଗୋବର ମାଡି ପକାଇଲେ । ଏବଂ ସଂଗେ ସଂଗେ ସାମ୍ନାରେ ଜମା ହୋଇଥିବା ବାଉଁଶ ଅଗରେ ପାଦକୁ ପୋଛି ପକାଇଲେ । ଏପରି ଏକ ଦୃଶ୍ୟ ଦେଖି କବିଙ୍କ କଣ୍ଠରୁ ଝରି ଆସିଲା –
“ମାଉଁସ ଦି’ପଳ ତନୁ
ବାଉଁଶ ଅଗରେ ଗୋଡ ପୋଛି ଦେଲେ ।
ଅଳପ ଟେକିଣ ଜାନୁ ।”
କବିତାଟି ଶୁଣି ସାରି ତରୁଣୀ ଜଣକ ହସି ଦେଇ ଚାଲି ଗଲା । କାରଣ ସେହି ବେଶ୍ୟା ତରୁଣୀର ନାମ ତନୁ । କବି କିନ୍ତୁ ଜାଣି ନଥାନ୍ତି ଯେ ତା’ର ନାମ ହେଉଛି ତନୁ ।