ଯଦୁମଣି, ତୋଟାକୁ ଯିବା ଚାଲ
ନୟାଗଡରେ ଖରା ଦିନେ ଭୀଷଣ ଖରା ହୁଏ । ଦିନ ସାରା ଗୁଳୁ ଗୁଳିଆ ଦେହରୁ ଅସରା ଅସରା ଝାଳ ବୋହି ଯାଉ ଥାଏ । କବି ଯଦୁମଣିଙ୍କୁ ଦେଖି ରାଜା କହିଲେ – ଯଦୁମଣି, ଭାରି ଗରମ ହେଉଛି ତୋଟାକୁ ଯିବା ଚାଲ ।
ତୋଟା ଅର୍ଥ ଆମ୍ବ ତୋଟାକୁ ଯିବା ଭ୍ରମଣ କରିବା ନିମନ୍ତେ ଅନ୍ୟ ଅର୍ଥରେ – ତୋ ସ୍ତ୍ରୀ ପାଖକୁ ଯିବା ଚାଲ ।
କବି ଯଦୁମଣି ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଛାମୁଁ ତୋରାଣୀ ପିଇ ସାରି ଆସେ ।
ଅର୍ଥାତ୍ ଖରା ଦିନେ ଉପର ବେଳା ଲୋକେ ସାଧାରଣତଃ ତୋରାଣୀ ପିଅନ୍ତି । ଏଣୁ ତୋରାଣୀ ପିଇ କରି ଆସେ । ଅନ୍ୟ ଅର୍ଥରେ ମୋ ସ୍ତ୍ରୀ ପାଖକୁ ଯିବତ, ମୁଁ ପ୍ରଥମେ ତୁମ ରାଣୀଙ୍କ ପାଖରୁ ଫେରେ ।
ରାଜାଙ୍କ ମୁହଁ ଆଗରେ ଏପରି ଉତ୍ତର ଦେବା କେତେ ଯେ କଠିନ ପାଠକେ ବୁଝୁ ଥିବେ ।
ରାଜାଙ୍କର ସାମାନ୍ୟ ଇଙ୍ଗିତରେ ଯେଉଁଠି ମୁଣ୍ଡ କଟି ଯିବ, ସେତେବେଳେ କିଛି ଅସମ୍ଭବ ନଥିଲା ।
କବି ଯଦୁମଣିଙ୍କ ଦାମ୍ଭିକତା ଓ ନିର୍ଭୀକତାକୁ ଧନ୍ୟ କହିବା ।
ରାଣୀ ଅନ୍ତରାଳରେ ସବୁ କିଛି ଶୁଣୁ ଥିଲେ । ସେ ହସି ହସି କବି ଯଦୁମଣିଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । କବି ଯଦୁମଣି, ଦେବୀ ସ୍ୱରୂପା ପାଟ ମହା ଦେଈଙ୍କୁ ଦେଖି ଲମ୍ବ ହୋଇ ତାଙ୍କ ଗୋଡ ତଳେ ପଡି ଗଲେ ।
ରାଣୀ ଗୋଟିଏ ବହୁ ମୂଲ୍ୟ ମୁଦ୍ରିକା କବି ଯଦୁମଣିଙ୍କୁ ଉପହାର ଦେଲେ । ରାଜା ହସି ହସି କବି ଯଦୁମଣିଙ୍କୁ ତଳୁ ଉଠାଇ ନିଜ ବେକରୁ ରତ୍ନ ହାରଟିକୁ ଉପହାର ଦେଇ ଦେଲେ ।