ପଶୁ ବଳି ବିରୁଦ୍ଧରେ ଯଦୁମଣି
କବି ଯଦୁମଣିଙ୍କ ଦୟାର୍ଦ୍ର କବି ହୃଦୟ ରକ୍ତପାତ କିମ୍ବା ପଶୁ ବଳି ପରି ଜଘନ୍ୟ ବ୍ୟାପାରକୁ ସହ୍ୟ କରି ପାରୁ ନଥିଲା । ଗଡଜାତ ମାନଙ୍କରେ ବିଭିନ୍ନ ଗ୍ରାମ ଦେବତୀ ସ୍ଥାପିତ ହୋଇ ଅଛନ୍ତି, ହିନ୍ଦୁ ଶାସ୍ତ୍ରରେ ପଶୁ ବଳିର ଉଲ୍ଲେଖ ନଥିଲେ ମଧ୍ୟ ଅନ୍ଧ ବିଶ୍ୱାସୀ ସ୍ୱାର୍ଥପର ଗଣ ବର୍ଷର ବିଭିନ୍ନ ସମୟରେ ଏହି ଦେବୀ ପ୍ରତିମା ଗୁଡିକ ମାନଙ୍କ ନିକଟରେ ନିରୀହ ପଶୁ ମାନଙ୍କୁ ବଳି ଦେଇ ଆସୁଛନ୍ତି । ଏପରିକି ରାଜ୍ୟର ରାଜ ପୂଜିତ ଦେବୀ ବାଉରୀ ଠାକୁରାଣୀ ଓ ଦୁର୍ଗାଙ୍କ ନିକଟରେ ମଧ୍ୟ ବଳି ପଡୁ ଥାଏ ।
ପଶୁ ବଳି ବିରୁଦ୍ଧରେ କବି ଯଦୁମଣି ଜନମତ ସୃଷ୍ଟି କଲେ । କିନ୍ତୁ ତାଙ୍କ କଥା ଶୁଣୁଛି ବା କିଏ? ପୂର୍ବ ପ୍ରଥା ଯଥାବତ୍ ପାଳନ ହେଉ ଥାଏ ।
ବଗ ବଗୁଲୀଙ୍କୁ ଶର ମାରି ଦେଇ ଥିବାରୁ ଆଦି କବି ବାଲ୍ମୀକି ଅଭିଶାପ ଦେଇ ଗାଇଥିଲେ –
ମା ନିଷାଦ ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ
ତତ୍ କ୍ରୌଂଚମିଥୁନା ଦେକମବଧୀଃ କାମ ମୋହିତମ୍
ସେହି ପରି କବି ଯଦୁମଣି ଘାତକକୁ ନିନ୍ଦା କରି ଗାଇ ଥିଲେ –
କର୍କଶ କରି କରେ କଟାରୀ ଧରି
କ୍ରୋଦ୍ଧେ ହଣାଇ ଗଳକନ୍ଦରୁ କରି
ଖାଇଣ ମହାମାୟୀ ସନ୍ତୋଷ ହୋଇ
ଜନ୍ମ ଜନ୍ମକେ ହଣା ହୋଇବୁ ତୁହି ।