ଯଦୁମଣିଙ୍କର ଝଙ୍କଡ ଅନୁଭୂତି
ଥରେ କବି ଯଦୁମଣିଙ୍କ ମୁଣ୍ଡକୁ ଏକ ଅଜବ ଖିଆଲ ଜୁଟିଲା । ରାଜାଙ୍କର ଅନୁମତି ନେଇ କବି ଯଦୁମଣି ଉତ୍କଳର ପ୍ରସିଦ୍ଧ ତୀର୍ଥସ୍ଥାନ ଭ୍ରମଣରେ ବାହାରିଲେ । ରାଜା କହିଲେ, “ଯଦୁମଣି ! ତୁମେ ଏତେ ଗୁଡିଏ ସ୍ଥାନ ଏକାଥରେ କିପରି ବୁଲିବ? ତେଣୁ ମୋ କଥା ମାନ, ସାଂଗରେ ଏକ ରଥ ଓ ଜଣେ ଅନୁଚରକୁ ନେଇ ଯାଅ । ଧୀରେ ଧୀରେ ତୁମର ବୟସ ବଢୁଛି । ଏଣେ ଏ ବର୍ଷ ତ ବହୁତ ଜୋର୍ରେ ଶୀତ ପଡିଛି । ତେଣୁ ମୋ କଥା ମାନି ଏକାକୀ ଯାଅ ନାହିଁ । ସାଂଗରେ ଏକ ରଥ ଓ ଅନୁଚରକୁ ନେଇ ଯାଅ ଓ ଆବଶ୍ୟକୀୟ ଶୀତ ପୋଷାକ ମଧ୍ୟ ନେଇ ଥିବ ।”
ରାଜାଙ୍କ କଥା ଶୁଣି କବି ଯଦୁମଣି କହିଲେ, “ମହାରାଜ ! ଆପଣଙ୍କ କଥା ମାନି ମୁଁ ଜଣେ ଅନୁଚରକୁ ସଂଗରେ ନେଇ ଯାଉଛି । ହେଲେ ସେ ରଥ ନେଇ କରି ଗଲେ ବଡ ଅସୁବିଧା । ତା’ ଛଡା ଆପଣ ତ’ ଜାଣନ୍ତି ମୋର ସାରା ଓଡିଶାରେ ଅନେକ ଚିହ୍ନା ଜଣା ବ୍ୟକ୍ତି ଅଛନ୍ତି । ଦରକାର ହେଲେ ମୁଁ ସେମାନଙ୍କ ଘରେ ମଧ୍ୟ ରହି ଯାଇ ପାରିବି ।” କବି ଯଦୁମଣିଙ୍କ କଥା ଅନୁଯାୟୀ ରାଜା ‘ଗୋବିନ୍ଦ’ ନାମକ ଏକ କର୍ମଚାରୀକୁ ତାଙ୍କ ସହିତ ଯିବା ପାଇଁ ପଠାଇଲେ । କବି ଯଦୁମଣି ଏବଂ ଗୋବିନ୍ଦ ପର ଦିନ ସକାଳୁ ସକାଳୁ ଯାତ୍ରା ଆରମ୍ଭ କଲେ ।
କଂଟିଲୋ, ନୀଳାଚଳ, ତାରାତାରେଣୀ, ଚିଲିକା ବୁଲି ସାରି ଭୁବନେଶ୍ୱରରେ ଆସି ପହଁଚିଲେ । ଭୁବନେଶ୍ୱରରେ ଥିବା ସବୁ ଦେବା ଦେବୀଙ୍କ ମନ୍ଦିର ବୁଲି ସାରିବା ପରେ କଟକ ଅଭିମୁଖେ ଯାତ୍ରା କଲେ । କଟକର ସବୁ ସ୍ଥାନ ବୁଲି ସାରିବା ପରେ ଝଙ୍କଡ’ର ମା’ ଶାରଳାଙ୍କ ପୀଠ ଅଭିମୁଖେ ଯାତ୍ରା କଲେ । ଝଙ୍କଡରେ ପହଁଚିବା ପରେ ସେଠାକାର ଜଣେ ପ୍ରଖ୍ୟାତ ବ୍ୟକ୍ତି ଜମିଦାର ରାମ ପ୍ରତାପ କବି ଯଦୁମଣିଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କଲେ । ଜମିଦାରଙ୍କର ନିମନ୍ତ୍ରଣ ରକ୍ଷା କରି କବି ଯଦୁମଣି ତାଙ୍କ ଘରକୁ ଗଲେ । ସେଠାରେ ଦୁଇ ଚାରି ଦିନ ଜମିଦାରଙ୍କ ଅନୁରୋଧ ରକ୍ଷା କରି ରହି ଗଲେ । ରହିବା ସମୟରେ ବହୁ ଲୋକ ଆସି ତାଙ୍କ ନିକଟରେ ପହଁଚି ନାନାଦି ପ୍ରଶ୍ନ ପଚାରୁ ଥାନ୍ତି । କବି ସେମାନଙ୍କୁ କବିତା ମାଧ୍ୟମରେ ଉତ୍ତର ପ୍ରଦାନ କରୁ ଥାଆନ୍ତି ।
ଦିନେ କନକପୁରର ପଣ୍ଡିତ ଶିବ ମିଶ୍ର ତାଙ୍କୁ ଦେଖା କରିବାକୁ ଆସିଲେ । ତାଙ୍କ ଆଗରେ ନିଜର ପରିଚୟ ଦେବାକୁ ଯାଇ କବି ଯଦୁମଣି କହିଲେ,:-
“ହୟଗ୍ରୀବ ମହାପ୍ରଭୁ
ପ୍ରତାପେ ଥୋଡା ନୁହେଁ
ଲୋଡା କରନ୍ତି ନୃପେ ।
ଭଲ ଭଲ ଖଂଟେ ଖଂଟ ଯେ
ନବ ଦୁର୍ବାଦଳ ଶ୍ୟାମ କୃପାରେ
ମୋ ନାମ ଉତ୍କଳ ଘଂଟ ଯେ ।”
ମୁଁ ହୟଗ୍ରୀବ ମହାପ୍ରଭୁ ଅର୍ଥାତ୍ ଗୋଲକ ବିହାରୀ ବିଷ୍ଣୁଙ୍କ ପ୍ରତାପରୁ ସାଧାରଣ ଲୋକ ମାନଙ୍କ ନିକଟରେ କେବେ ଆଦୃତ ହୁଏ ନାହିଁ । କାରଣ ସେମାନେ ମୋ କବିତାର ମୂଲ୍ୟ ବୁଝନ୍ତି ନାହିଁ । ରାଜା, ମହାରାଜା ମାନେ ମୋର ଆଦର କରନ୍ତି । ମୋର ଗୁଣ ହେଉଛି ମୁଁ ଭଲ ଲୋକ ମାନଙ୍କ ସହିତ ଭଲ ଆଚରଣ, ମନ୍ଦ ଲୋକ ମାନଙ୍କ ସହିତ ମନ୍ଦ ଆଚରଣ କରି ଥାଏ । ଭଗବାନ ଜଗନ୍ନାଥଙ୍କ ଅପାର କୃପାରୁ ଅଖଣ୍ଡ ଉତ୍କଳ ପ୍ରଦେଶରେ ମୋର ଖ୍ୟାତି ଦିନକୁ ଦିନ ବଢିବାରେ ଲାଗିଛି । ମୋତେ ଉତ୍କଳ ଘଂଟ ଭାବେ ସମସ୍ତେ ଜାଣନ୍ତି ।
କବିଙ୍କର କବିତାର ଅର୍ଥ ବୁଝିବା ପରେ ଉପସ୍ଥିତ ଜନତା ଏବଂ ପଣ୍ଡିତ ଶିବ ମିଶ୍ର ସମସ୍ତେ ତାଙ୍କର ବହୁ ଆଦର ଯତ୍ନ କଲେ । ପଣ୍ଡିତ ମିଶ୍ର ଭକ୍ତି ଓ ସମ୍ମାନରେ କବି ଯଦୁମଣିଙ୍କ ସମ୍ମୁଖରେ ମଥାନତ କଲେ ।