ଆଠଗଡ ଏବଂ କାଠଗଡ
କବି ଯଦୁମଣି ଅତ୍ୟନ୍ତ ଦରିଦ୍ର ଥିଲେ । ଯେତେ ଅଭାବ ଅସୁବିଧାରେ ପଡିଲେ ମଧ୍ୟ ସେ କଦାପି ଅନ୍ୟାୟ, ଅନୀତି କରୁ ନଥିଲେ । ଅନ୍ୟ ଭାଷାରେ କହିଲେ, କବି ଯଦୁମଣି ଅତ୍ୟନ୍ତ ସଚ୍ଚୋଟ ଥିଲେ । କବି ଭାବରେ ତାଙ୍କର ଖ୍ୟାତି ଦିନକୁ ଦିନ ବ୍ୟାପିବାରେ ଲାଗି ଥାଏ । ସେତେବେଳେ ଆଠଗଡର ରାଜା ଥାଆନ୍ତି ବିକ୍ରମ ଦେବ ଛୋଟରାୟ । ସେ ମଧ୍ୟ କବି ଯଦୁମଣିଙ୍କୁ ଖୁବ୍ ଭଲ ପାଉ ଥିଲେ ଏବଂ ସମ୍ମାନ ମଧ୍ୟ ଜଣାଉ ଥିଲେ । କେତେବେଳେ କେମିତି କବି ଯଦୁମଣି ମଧ୍ୟ ଆଠଗଡ ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କର ଆତିଥ୍ୟ ସ୍ୱୀକାର କରୁ ଥିଲେ । ଆଠଗଡ ରାଜାଙ୍କ ନିକଟରେ ପହଁଚିବା ମାତ୍ରକେ ସେଠାରେ ଥିବା ରାଜ ଉଆସରେ ସେ କିଛି ଦିନ ବିତାଉ ଥିଲେ । ଆଠଗଡ ସ୍ଥାନଟିର ମନୋରମ ପ୍ରାକୃତିକ ଶୋଭା କବିଙ୍କୁ ବେଶ୍ ଆକର୍ଷିତ କରୁ ଥିଲା ।
ଧୀରେ ଧୀରେ କବିଙ୍କର ବୟସ ବଢିବାରୁ ସେ ଆଉ ବେଶୀ ଯିବା ଆସିବା କରି ପାରିଲେ ନାହିଁ । ସବୁ ଦିନ ପରି ଦିନେ କବି ଯଦୁମଣି ତାଙ୍କର ଦୈନନ୍ଦୀନ କାର୍ଯ୍ୟ ସମାପ୍ତ କରି ରାଜ ଦରବାରରେ ପ୍ରବେଶ କଲେ । ଯଦୁମଣିଙ୍କ ପହଁଚିବା ପୂର୍ବରୁ ଅନ୍ୟ ସମସ୍ତ ସଭାସଦମାନେ ଦରବାରରେ ପହଁଚି ନିଜ ନିଜ ଆସ୍ଥାନରେ ବସି ସାରି ଥାନ୍ତି । ସ୍ୱୟଂ ମହାରାଜ ମଧ୍ୟ ସ୍ୱ ରତ୍ନ ସିଂହାସନରେ ବିରାଜିତ ହୋଇଥାନ୍ତି । କିଛି ସମୟ ପରେ କବି ଯଦୁମଣି ରାଜ ସଭାରେ ଉପସ୍ଥିତ ହେଲେ । ଯଦୁମଣିଙ୍କର ଆସିବାରେ ବିଳମ୍ବ ହେବାର ଦେଖି ରାଜା କହିଲେ, “ଯଦୁମଣି ! ତୁମେ ବର୍ତ୍ତମାନ ବୃଦ୍ଧ ଅବସ୍ଥାରେ ଉପନୀତ । ସେଥି ପାଇଁ ତୁମକୁ ବୋଧ୍ ହୁଏ ଦରବାରକୁ ଆସିବାକୁ କଷ୍ଟ ହେଉ ଥିବ । ତୁମେ ଯଦି କହିବ ମୁଁ ତୁମ ପାଇଁ ପ୍ରତି ଦିନ ରଥ ପଠାଇ ଦେବି, ତେବେ ତୁମର ଆଉ ଆସିବାରେ ବିଳମ୍ବ ଘଟିବ ନାହିଁ ।”
ରାଜାଙ୍କ କଥା ଶୁଣି କବି ଯଦୁମଣି ନୀରବ ରହିଲେ । କିଛି ସମୟ ପରେ ସଭା କାର୍ଯ୍ୟ ଆରମ୍ଭ ହେଲା । କବି ଯଦୁମଣି ମଧ୍ୟ ତାଙ୍କର ସ୍ୱଚରିତା କବିତା ଆବୃତ୍ତି କଲେ । କିଛି ସମୟ ପରେ ରାଜା ପୁଣି କବି ଯଦୁମଣିଙ୍କୁ ଆଉ ଏକ ପ୍ରଶ୍ନ ପଚାରିଲେ । ରାଜା ପଚାରିଲେ, “ଯଦୁମଣି ! ତୁମର ତ’ ଆଠଗଡ ରାଜାଙ୍କ ସହିତ ବେଶ୍ ଭଲ ସଂପର୍କ ରହିଛି । କାହିଁ ତୁମେ ତ’ ଆଉ ତାଙ୍କ ପାଖକୁ ଯାଉ ନାହଁ?” ରାଜାଙ୍କ କଥା ଶୁଣି କବି କହିଲେ –
“ଛାମୁ ! ମୁଁ ଖୋଜିଲିଣି କାଠଗଡ
ଆଉ ଯିବି କ’ଣ ଆଠଗଡ?”
ଯଦୁମଣିଙ୍କ ଉତ୍ତର ରାଜା କିଛି ବୁଝି ପାରିଲେ ନାହିଁ । ଯଦୁମଣି ପଦର ଅର୍ଥ ବୁଝାଇବାକୁ ଯାଇ କହିଲେ, “ମହାରାଜ ! ମୁଁ ବୃଦ୍ଧ ଅବସ୍ଥାରେ ପାଦ ଥାପି ସାରିଲିଣି । ମୋର ଶକ୍ତି ଧୀରେ ଧୀରେ କମି ଗଲାଣି । ମୁଁ କ’ଣ ଆଉ ଆଠଗଡ ଯାଇ ପାରୁଛି । ମୁଁ ମୃତ୍ୟୁର ଦ୍ୱାର ନିକଟରେ ପହଁଚିବା ସମୟ ମୋର ହୋଇ ଗଲାଣି । ମୋର ମୃତ୍ୟୁ ପରେ ମୋର ମର ଶରୀର ପୋଡା ଯିବା ପାଇଁ କାଠଗଡ ତ ଆବଶ୍ୟକ ।
ପଦଟିର ମର୍ମ ବୁଝି ସାରିବା ପରେ ସ୍ୱୟଂ ରାଜା ଏବଂ ଉପସ୍ଥିତ ସଭାସଦ ମାନେ କବି ଯଦୁମଣିଙ୍କ ବୁଦ୍ଧିକୁ ତାରିଫ୍ ନ କରି ରହି ପାରିଲେ ନାହିଁ ।