ମାତ୍ର ସଦାନନ୍ଦ ଏସବୁ ଶୁଣି ଚୁପ୍ ରହନ୍ତି । କଥା ହେଲା, ତାଙ୍କର ଆୟୁର୍ବେଦରେ କୌଣସି ଉପାଧି ନଥିଲା । କାହିଁକିନା ସେ କୌଣସି ଅନୁଷ୍ଠାନରୁ ବା କୌଣସି ଗୁରୁଠାରୁ ଚିକିତ୍ସାବିଦ୍ୟା ଶିଖି ନଥିଲେ । ତାଙ୍କ ବାପା ଜଣେ ସାଧାରଣ କବିରାଜ ଥିଲେ । ତାଙ୍କରିଠାରୁ ସେ ନିଜେ ଯେତିକି ଯାହା ଶିଖିଥିଲେ । ପୁଣି ନିଜ ଆନ୍ତରିକତା ଏବଂ ଅଭିଜ୍ଞତା ଥିଲା ତାଙ୍କର ସବୁଠାରୁ ବଡ ସମ୍ପଦ । ରାଜାଙ୍କ ପାଖରେ ବଡ ବଡ ଉପାଧି-ଧାରୀ କବିରାଜମାନେ ଥା’ନ୍ତି । ଏଭଳି ପରିସ୍ଥିତିରେ ରାଜା ତାଙ୍କୁ କାହିଁକି ପାସଙ୍ଗରେ ପକାଇବେ?
ଥରେ ସଦାନନ୍ଦ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହେଲେ । ଜ୍ୱରର ଲକ୍ଷଣରୁ ସେ ବୁଝିପାରିଲେ କି ତାଙ୍କ ଶେଷ ସମୟ ଆସି ଉପସ୍ଥିତ । ସେ ତାଙ୍କ ପୁଅ ତଥା କୁମାରଙ୍କୁ ପାଖକୁ ଡାକି କହିଲେ, “ପୁଅ! ମୋର ତ ଯିବାବେଳ ହୋଇଗଲା । ଦୁଃଖର କଥା, ତୋ ପାଇଁ ମୁଁ କିଛି ବି ସଂଚି ପାରି ନାହିଁ । ତେବେ ଗାଁ ଲୋକେ ଆମକୁ ଖୁବ୍ ଶ୍ରଦ୍ଧା କରନ୍ତି । ତୁ ତ ଅଳ୍ପ ପାଠ ପଢିଛୁ । ମୋ ମୃତ୍ୟୁ ପରେ ତୁ ଏଠାରେ ଗୋଟିଏ ଚାଟଶାଳୀ ଖୋଲି ପିଲାଙ୍କୁ ପ୍ରାଥମିକ ପାଠ ପଢା । ସେଥିରେ କୌଣସି ମତେ ତୁ ଚଳିଯିବୁ ।”
କୁମାର କହିଲା, “ବାପା! ତୁମେ ମୃତ୍ୟୁ କଥା କାହିଁକି ଭାବୁଛ? ରୋଗ ବା ପୁଣି କାହାର ନ ହୁଏ? ତମେ ସୁସ୍ଥ ହେବା ପରେ ଏସବୁ ବିଷୟ ଆଲୋଚନା କରିବା ।”
ତହୁଁ ସଦାନନ୍ଦ କହିଲେ, “ନା, ପୁଅ । ମୁଁ ଆଉ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ । ସେପରି ଲକ୍ଷଣ ଦେଖିଛି ବୋଲି ତୋତେ ମୁଁ ଏପରି କହୁଛି ।”
କୁମାର କହିଲା, “ବାପା! ତୁମ ପାଖରେ ମୁଁ ମିଛ ପ୍ରତିଶୃତି ଦେବିନାହିଁ । ମୁଁ ଚାଟଶାଳୀ କରିବି ନାହିଁ । ତୁମ ଅନ୍ତେ ତୁମରି ଭଳି ବୈଦ୍ୟ ହୋଇ ଜୀବିକା ନିର୍ବାହ କରିବି ।”
ସଦାନନ୍ଦ କହିଲେ, “ପୁଅ! ମୁଁ ଜାଣେ ତୁ ବୁଦ୍ଧିମାନ ଓ ବିବେକୀ । ମୋଠୁଁ ତୁ ଯେତିକି ଚିକିତ୍ସା-ବିଦ୍ୟା ଶିଖିଛୁ, ସେଥିରେ କୌଣସି ମତେ ଚିକିତ୍ସା କାର୍ଯ୍ୟ କରି ପାରିବୁ, କିନ୍ତୁ ତାହା ଠିକ୍ ହେବ ନାହିଁ । ଯଦି ଚାଟଶାଳୀ ଖୋଲିବାକୁ ମନ କହୁନାହିଁ, ତେବେ ତୁ ଚାଷବାସ କରିପାରୁ ।”
ସବୁଶୁଣି ବାପାଙ୍କୁ ଉତ୍ତର ଦେବାକୁ ଯାଇ କୁମାର କହିଲା, “ବାପା! ମୁଁ ଚିକିତ୍ସା-ବିଦ୍ୟା ବିଷୟରେ କ’ଣ ବା ଜାଣେ? ସେତିକି ଜ୍ଞାନ ନେଇ ମୁଁ ବୈଦ୍ୟ ହେବି ନାହିଁ । ମୁଁ ଯାଇ ମହେନ୍ଦ୍ର ଯୋଗୀଙ୍କ ଆଶ୍ରମରେ ଶିକ୍ଷାଲାଭ କରିବି । ତା’ପରେ ଯାଇ ମୁଁ ବୈଦ୍ୟ ବ୍ୟବସାୟ କରିବି ।”
ଏଥର ସଦାନନ୍ଦ ଆଉ କିଛି ବି କହିଲେ ନାହିଁ । ଜଣାଗଲା, ସେ ଅତ୍ୟନ୍ତ ପ୍ରସନ୍ନ ହେଲେ । ଏହାର ଦୁଇଦିନ ପରେ ସଦାନନ୍ଦ ମୃତ୍ୟୁ ବରଣ କଲେ ।