ଗାଁ ଲୋକେ ସବୁ ଦାୟିତ୍ୱ ନେଇ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କଲେ । କୁମାରକୁ ସେମାନେ ସାହାଯ୍ୟ କରିବାର ଭରସା ବି ଦେଲେ । କୁମାର ସେମାନଙ୍କ ଶ୍ରଦ୍ଧାରେ ଅଭିଭୂତ ହେଲା ଓ ଘରବାଡି ସେମାନଙ୍କ ଜିମା ଦେଇ ମହେନ୍ଦ୍ର ଯୋଗୀଙ୍କ ଆଶ୍ରମ ଅଭିମୁଖେ ଚାଲିଲା ।
ମହେନ୍ଦ୍ର ଯୋଗୀଙ୍କ ପାଖରେ ତ ଅନେକ ଶିଷ୍ୟ ଥିଲେ । ସେଠାରେ କିଏ ଯୋଗ ଶିକ୍ଷା କରୁଥିଲା ତ କିଏ ଜ୍ୟୋତିଷ ବିଦ୍ୟା, ପୁଣି କିଏ ବା ଆୟୁର୍ବେଦ ଶିକ୍ଷା କରୁଥିଲା । ସେଠାରୁ ଯେଉଁମାନେ ବିଦ୍ୟାଲାଭ ସମ୍ପୂର୍ଣ୍ଣ କରି ଉତୀର୍ଣ୍ଣ ହେଉଥିଲେ, ସମାଜରେ ସେମାନଙ୍କ ପ୍ରତିଷ୍ଠା ଲାଭ ସହଜ ହେଉଥିଲା ।
କୁମାର ମହେନ୍ଦ୍ର ଯୋଗୀଙ୍କୁ ଆୟୁର୍ବେଦ ଶିକ୍ଷା ଦିଗରେ ନିଜ ଆଗ୍ରହ କଥା କହିଲା । କୁମାରକୁ କେତୋଟି ପ୍ରଶ୍ନ ପଚାରି ଓ ବାଳକର ଆନ୍ତରିକତା ଦେଖି ସେ ତାକୁ ନିଜ ଶିଷ୍ୟ ରୂପେ ଗ୍ରହଣ କରିନେଲେ ।
କୁମାର ଗଭୀର ମନଯୋଗ ସହକାରେ ଆୟୁର୍ବେଦ ଶିକ୍ଷା କଲା । ତା’ ନିଷ୍ଠା ଓ ବ୍ୟବହାର ଯୋଗୁଁ ମହେନ୍ଦ୍ର ଯୋଗୀ ତାକୁ କ୍ରମେ ନିଜ ପୁଅ ଭଳି ସ୍ନେହ କରିବାକୁ ଲାଗିଲେ ।
କୁମାରର ବିଦ୍ୟା ସମାପ୍ତ ହେଲା । ସେତେବେଳକୁ ଗୁରୁ ନୂଆ ଶିଷ୍ୟ ଗ୍ରହଣ କରୁ ନଥିଲେ । ଦିନେ ସେ ଘୋଷଣା କଲେ; ସମସ୍ତିଙ୍କର ବିଦ୍ୟା ସମାପ୍ତ ହୋଇଛି । ଏଣିକି ସେମାନେ ଘରକୁ ଯାଇ ପାରନ୍ତି । ଶେଷ ଜୀବନ ସେ ନୀରବରେ ତପସ୍ୟାରତ ରହି ବିତାଇବେ ।
ତା’ପରେ ଜଣ ଜଣ କରି ଶିଷ୍ୟମାନେ ସେଠାରୁ ଚାଲି ଯିବାକୁ ଲାଗିଲେ । ଦିନେ ସେ ମହେନ୍ଦ୍ର ଯୋଗୀ କୁମାରକୁ ପାଖକୁ ଡାକି କହିଲେ, “ବାପା! ତୁ ସଫଳ ଚିକିତ୍ସକ ହେବୁ, ଏଥିରେ କୌଣସି ସନ୍ଦେହ ନାହିଁ । ଚାହିଁଲେ ବହୁତ ଉପାର୍ଜନ ବି କରି ପାରିବୁ । ତେବେ ଗରୀବ ଲୋକଙ୍କ ଚିକିତ୍ସାରେ ତୁ କଦାପି ମଧ୍ୟ ହେଳା କରିବୁ ନାହିଁ । ଯଦି ମୋଠୁଁ ଆଉ କିଛି ଚାହୁଁ, ତେବେ କହ ।”
କୁମାର କହିଲା, “ଗୁରୁଦେବ! ମୃତ୍ୟୁକୁ କିପରି ଦୂର କରି ହେବ?”
ଏପରି କଥା ଶୁଣି ଗୁରୁଦେବ କହିଲେ, “ବାପା! ମୃତ୍ୟୁକୁ ଦୂର କରିବାକୁ ହେଲେ ମଣିଷକୁ ଦେବତା ହେବାକୁ ପଡିବ । ତାହା ସହଜ ନୁହେଁ କି ସେ ଦିଗରେ କୌଣସି ଉପାୟ କହିବା ମୋ ସାଧ୍ୟରେ ବି ନାହିଁ । ତେବେ ତୋତେ ଗୋଟାଏ ବର ଦେଉଛି । ରୋଗୀ ପାଖକୁ ପ୍ରଥମେ ଗଲାବେଳେ ମୋତେ ସ୍ମରଣ କରି ତା’ମୁଣ୍ଡ ଉପରକୁ ଚାହିଁଦେବୁ । ମୁହୂର୍ତ୍ତକ ପାଇଁ ଯଦି ତୋ ଆଖିରେ ଗୋଟିଏ ମହିଷର ରୂପ ଦେଖାଯିବ, ତେବେ ବୁଝିବୁ ଯେ ସେ ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ।”
ଏହା ଶୁଣି କୁମାର ପୁଣି ପ୍ରଶ୍ନ କଲା, “ଗୁରୁଦେବ! ଅନ୍ତତଃ ଥରୁଟିଏ ମଧ୍ୟ ସେ ମହିଷକୁ ମୁଁ ତଡି ପାରିବି ନାହିଁ?”
ସବୁ ଶୁଣି ମହେନ୍ଦ୍ର ଯୋଗୀ କିଛି ସମୟ ଚୁପ୍ ରହି କହିଲେ, “ଆଚ୍ଛା ବାପା, ତୋତେ ଏହି ବର ଦେଲି, ମାତ୍ର ଥରୁଟିଏ ଯେ କୌଣସି ଲୋକର ମୃତ୍ୟୁ ତୁ ରୋକି ପାରିବୁ । ମହିଷକୁ ଦେଖିବା ମାତ୍ରେ ତିନିଥର ଦୁର୍ଗା ନାମ ଉଚ୍ଚାରଣ କଲେ ମହିଷ ପଳାଇବ; କିନ୍ତୁ ଆଉ କାହା ଭାଗ୍ୟରେ ହସ୍ତକ୍ଷେପ କଲେ ନିଜ ଭାଗ୍ୟ ବଦଳିଯାଏ । ତୁ ସେପରି କଲେ ଆୟୁର୍ବେଦ ସମ୍ପୂର୍ଣ୍ଣ ଭୁଲିଯିବୁ ।”
ଏପରି କଥା ଶୁଣି ସେ କୁମାର ଆଉ କିଛି ବି କହିଲା ନାହିଁ । ସେଠାରୁ ବିଦାୟ ନେଇ ଚାଲିଗଲା । ଗାଁ ଲୋକେ ତାକୁ ପାଖରେ ପାଇ ଅଶେଷ ଆନନ୍ଦିତ ହେଲେ । ସମୟାନୁକ୍ରମେ ସେ ଚିକିତ୍ସାରେ ଅତି ଶୀଘ୍ର ଖ୍ୟାତି ଲାଭ କଲା । ଯେଉଁଠି ସେ ମହିଷ ଦେଖୁଥାଏ, ସେଠାରେ ସେ ଚିକିତ୍ସା-ଦାୟିତ୍ୱ ହାତକୁ ନେଉ ନଥାଏ । କୌଣସି ନା କୌଣସି ଆଳରେ ସେଭଳି ରୋଗୀଙ୍କୁ ଏଡାଇ ଯାଉଥାଏ । ଯାହାର ଚିକିତ୍ସା ସେ କରୁଥାଏ, ସେ ରୋଗୀ ଭଲ ହୋଇଯାଉଥାଏ । ଫଳରେ ଚାରିଆଡେ ଖୁବ୍ ପ୍ରଚାର ହୋଇଗଲା କି କୁମାର କବିରାଜ ଯାହାକୁ ଚିକିତ୍ସା କରନ୍ତି, ସିଏ ମରେ ନାହିଁ ।
ଥରେ ବିନ୍ଧ୍ୟାଚଳ ରାଜ୍ୟର ସେ ମୁଲକରେ ଗୋଟିଏ ସଂକ୍ରାମକ ରୋଗ ଦେଖାଦେଲା । କୁମାର ଦିନରାତି ଲାଗି ଲୋକଙ୍କ ରୋଗ ଉପଶମ କରୁଥାଏ । ଠିକ୍ ସେତିକି ବେଳେ ବିନ୍ଧ୍ୟାଚଳକୁ ଲାଗିଥିବା ସୁନ୍ଦରପୁର ନାମକ ରାଜ୍ୟରୁ ଦୂତ ଆସି ତାକୁ କହିଲା, “ବୈଦ୍ୟବର! ଆମ ରାଜାଙ୍କ ଏକମାତ୍ର କନ୍ୟାଙ୍କ ଜୀବନ ସଙ୍କଟାପନ୍ନ । ରାଜା ଆପଣଙ୍କ ଖ୍ୟାତି ଶୁଣିଛନ୍ତି ।”
ସେ ପର୍ଯ୍ୟନ୍ତ କୁମାର ତ କୌଣସି ରାଜଦରବାରରୁ କେବେବି ଡାକରା ପାଇ ନଥିଲା । ତେଣୁ ତା’ମନରେ ଥିବା ବହୁ ଦିନର ଆକାଂକ୍ଷା ହଠାତ୍ ତୀବ୍ର ହୋଇ ଉଠିଲା । ସେ ଯିବାକୁ ବାହାରିଲା ।