ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାଦୁ ମହଲ

(ଯାଦୁ ମହଲରୁ ବାହାରି ରାଜକୁମାରୀ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ସଂଧ୍ୟା ପୂର୍ବରୁ ଆସି ମୁନି ଜିତେନ୍ଦ୍ରନାଥଙ୍କ କୁଟୀରରେ ପହଁଚିଲେ । ମୁନି ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଓ ସେମାନଙ୍କୁ ନିଜ ଜୀବନ କାହାଣୀ ଶୁଣାଇଲେ । ସେଥିରୁ ଜଣାଗଲା ଯେ, ସେ ମୁନି ଜଣକ ହେଉଛନ୍ତି ମହେନ୍ଦ୍ରଙ୍କର ଖୋଦ୍ ନିଜ କାକା, ଯାହାଙ୍କର କି ବହୁ ଦିନରୁ କୌଣସି ଆତାପତା ମିଳୁ ନଥିଲା । ବିଦ୍ୟାବତୀ ମଧ୍ୟ ଜାଣିଲେ ଯେ ସେ ମହେନ୍ଦ୍ରନାଥ ଜଣେ ରାଜକୁମାର । ତା’ପରେ ମୁନି ଜିତେନ୍ଦ୍ରନାଥ, ବିଦ୍ୟାବତୀ ଓ ମହେନ୍ଦ୍ରନାଥ ଆଶ୍ରମବାସୀ ପରି ଛଦ୍ମବେଶ ଧାରଣ କରି ବୀରଗିରି ଅଭିମୁଖେ ଚାଲିଲେ । ଏଥର ଆଗକୁ ପଢନ୍ତୁ ।)

                ଏଭିତରେ ରାଜକୁମାରୀ ହରଣଚାଳ ହୋଇଯିବାର ପ୍ରାୟ ଦୁଇସପ୍ତାହ ବିତିଗଲାଣି, ମାତ୍ର ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ମିଳିନାହିଁ । ତେଣୁ ଏବେ ସେ ରାଜାରାଣୀ ଦୁହେଁ ବଡ ବ୍ୟତିବ୍ୟସ୍ତ ହେଉଥା’ନ୍ତି । ନିଜକୁ ସାନ୍ତ୍ୱନା ଦେବାପାଇଁ ସେମାନେ ଆଚାର୍ଯ୍ୟ ବାଚସ୍ପତିଙ୍କୁ ଡକାଇ ତାଙ୍କୁ ପଚାରିଲେ ବିଦ୍ୟାବତୀଙ୍କର ବର୍ତ୍ତମାନ ସ୍ଥିତି କ’ଣ; ତହୁଁ ବାଚସ୍ପତି ଯଥାଶୀଘ୍ର ନିଜ ଆସନରେ ବସି ବଡ ମନୋଯୋଗ ସହକାରେ ରାଜକୁମାରୀଙ୍କ ଜାତକ ଅନୁଧ୍ୟାନ କରୁଥା’ନ୍ତି । ସେନାପତି ଉଗ୍ରସେନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେ ବାଚସ୍ପତିଙ୍କୁ କହିଲେ, “ଆଚାର୍ଯ୍ୟ ଜଗତପତି ଅନ୍ୟାନ୍ୟ ଜ୍ୟୋତିଷଙ୍କୁ ନେଇ କେଉଁ ବିଷୟରେ ଏତେ ଆଲୋଚନା କରିଥିଲେ?”

                ଆଚାର୍ଯ୍ୟ ବାଚସ୍ପତି ବଡ ସନ୍ତୁଷ୍ଟ ହୋଇ କହିଲେ “ଆଜିପର୍ଯ୍ୟନ୍ତ କିଛି ଜାଣି ନଥିଲି ମହାରାଜ! ମୁଁ ମୋର ଶିଷ୍ୟ ମୁନିନାଥଙ୍କୁ ଏ ବିଷୟରେ ଖବର ସଂଗ୍ରହ କରିବା ସକାଶେ ପଠାଇଥିଲି । ସେ ନିଶ୍ଚୟ ଏହି ଦିନେ ଦୁଇଦିନ ମଧ୍ୟରେ କିଛି ନା କିଛି ଖବର ନେଇ ଫେରିବେ । କିନ୍ତୁ ଜାତକ ଗଣନାରୁ ମନେହୁଏ ବିଦ୍ୟାବତୀଙ୍କର ଶୁଭ ସମୟ ଆରମ୍ଭ ହୋଇଗଲାଣି । ଏପରିକି ଏହି ସମୟ ଭିତରେ ସେ ରାଜଧାନୀରେ ପହଁଚି ଯିବା କଥା ।”

                ଏକଥା ଶୁଣିବା ମାତ୍ରେ ରାଣୀ ବଜ୍ରେଶ୍ୱରୀ କହିଲେ “ଆପଣ ବଡ ସମାଚାର ଶୁଣାଇଲେ ମୁଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି ଯେପରି ସେ ସକୁଶଳ ଏଠାକୁ ଫେରି ଆସୁ ।”

                ରାଜା ତୁରନ୍ତ ଆଦେଶ ଦେଲେ “ଉଗ୍ରସେନ, ନଗରର ମୁଖ୍ୟ ଅଂଶରେ ସୈନିକମାନଙ୍କୁ ରଖାଅ ।”

                “ଆଜ୍ଞା ମହାରାଜ ।” ଏହା କହି ସେନାପତି ସେଠାରୁ ବାହାରକୁ ଗଲେ; ବାହାରକୁ ଆସି ସେ ଦେଖିଲେ ଜଣେ ସୈନିକ ତାଙ୍କ ଆଡକୁ ଆସୁଛି । ସେ ଉଗ୍ରସେନଙ୍କ ପାଖକୁ ଆସି କହିଲା, “ଏବେ ପାଲିଙ୍କିଟିଏ ଆସି ରାଜନଅର ସମ୍ମୁଖରେ ରଖାହେଲା । ସେଥି ସହିତ ତିନିଜଣ ଘୋଡାସବାର ମଧ୍ୟ ଅଛନ୍ତି । ସେଥିରୁ ଜଣେ କହୁଛି ଯେ ବର୍ତ୍ତମାନହିଁ ଯେପରି ରାଜାଙ୍କ ସହିତ ଦେଖା ହୁଏ ।”

ଉଗ୍ରସେନ ପଚାରିଲେ “ଆଚ୍ଛା, ସେ ତା’ ନିଜ ନାମ କ’ଣ କହିଲା?” ତା’ପରେ ସୈନିକ କହିଲା “ସେସବୁ କିଛି ତ ସେ କହୁନାହିଁ । କିନ୍ତୁ ତାକୁ ଦେଖିଲେ ଜଣାଯାଏ ଯେ, ସେ ଯେପରି କୌଣସି ରାଜପରିବାରର ବ୍ୟକ୍ତି ।” ଉଗ୍ରସେନ୍ ପ୍ରଶ୍ନକଲେ “ଆଚ୍ଛା, ସେ ପାଲିଙ୍କି ଭିତରେ କିଏ ଅଛି?” ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୈନିକ ଜଣକ କହିଲା “ମୁଁ ତ ତାହା ଜାଣେ ନାହିଁ । ସେଥିରେ କିନ୍ତୁ ପର୍ଦ୍ଦା ଲଗା ହୋଇଛି ।”

“ଠିକ୍ ଅଛି, ତମେ ଏବେ ଯାଅ । ମୁଁ ବି ତୁମ ପଛେ ପଛେ ଆସୁଛି ।” ଏତିକି କହି ଉଗ୍ରସେନ ପୁଣି ରାଜନଅରର ଭିତର ଆଡକୁ ଗଲେ । ରାଜା ଓ ରାଣୀ ଏବେ ସୁଦ୍ଧା ଆଚାର୍ଯ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଉଗ୍ରସେନ ରାଜା ରାଣୀଙ୍କୁ ପାଲିଙ୍କି ବିଷୟରେ କହିଲେ । ରାଣୀ ବଡ ଉତ୍ସୁକ ହୋଇ କହି ପକାଇଲେ, “ମହାରାଜ, ହୁଏତ ସେହି ପାଲିଙ୍କି ଭିତରେ ଆମରି ଝିଅ ବସିଥିବ । ତା’ ସଙ୍ଗରେ ଆସିଥିବା ଘୋଡା ସବାର ହୁଏତ କୌଣସି ରାଜକୁମାର ହୋଇଥିବେ । ଚାଲ ଯାଇ ଆମେ ଆଗେ ସେମାନଙ୍କୁ ଦେଖିବା ।”

ରାଜା ଟିକିଏ ଚିନ୍ତା କରି କହିଲେ, “ସେହି ପାଲିଙ୍କିରେ ଆମ ଝିଅ ଥିଲେ ଏତେବେଳଯାଏଁ ସେ ସେଠାରେ କାହିଁକି ବସି ରହନ୍ତା? ନିଜ ଘର ଦେଖି ସେ ତ ଖୁସିରେ ଦୌଡି ଆସନ୍ତା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ