ରାଜାରାଣୀ ନଅରରୁ ବାହାରକୁ ଆସି ଦେଖିଲେ ପାଲିଙ୍କିଟିଏ ରଖା ହୋଇଛି । ତିନିଜଣ ଘୋଡାସବାରଙ୍କ ମଧ୍ୟରୁ ଜଣେ ରାଜାଙ୍କୁ ଅଭିବାଦନ କଲା । ତାକୁ ଦେଖି ରାଜା ପଚାରିଲେ, “କିଏ ତମେ?”
ଘୋଡାସବାରଟି କହିଲା, “ହିମଗିରି ରାଜ୍ୟର ରାଜା ତ୍ରିଲୋକପତିଙ୍କର ମୁଁ ନାତି ।”
ରାଜା ପଚାରିଲେ “ହିମଗିରିର ରାଜା ତ ଉମାପତି । ନୁହେଁ?” ଘୋଡାସବାର କହିଲେ “ଆଜ୍ଞା, ମହାରାଜ ସେହି ଉମାପତି ରାଜା ତ୍ରିଲୋକପତିଙ୍କୁ ସିଂହାସନରୁ ବାହାର କରି ଦେଇ ରାଜ୍ୟ ଦଖଲ କଲେ । ମୁଁ ତ୍ରିଲୋକପତିଙ୍କ ସାନଭାଇଙ୍କ ପୁଅର ପୁଅ ଅର୍ଥାତ୍ ତାଙ୍କ ନାତି । ଯେତେବେଳେ ଉମାପତି ରାଜ୍ୟ ନେଇ ନେଲେ, ମୋ ପିତାମହ କୈଳାସପତି ଓ ପିତା ଗଜପତିଙ୍କ ସହ ମୁଁ ରାଜ୍ୟ ବାହାରକୁ ଆସିଗଲି । ମୋ ନାମ ଜଗତପତି ।”
ଜଗତପତିଙ୍କ ନାମ ଶୁଣି ରାଜା ଓ ଆଚାର୍ଯ୍ୟ ଦୁହେଁ ହଠାତ୍ ଚମକି ପଡିଲେ । ଉଗ୍ରସେନଙ୍କ ହାତ ତରବାରୀର ମୁଠା ଉପରେ ଥିଲା ।
“ମହାରାଜ, ମୁଁ ଆପଣଙ୍କ ପାଇଁ ଗୋଟିଏ ଭଲ ଜିନିଷ ଆଣିଛି । ଆପଣଙ୍କ ଝିଅ ବିଦ୍ୟାବତୀ ସୁରକ୍ଷିତ ରହିଛନ୍ତି ଓ ସେ ଏହି ପାଲିଙ୍କିରେ ଅଛନ୍ତି ।” ଏହାପରେ ଜଗତପତି ପାଲିଙ୍କି ବାଲାଙ୍କୁ ଇଶାରା କରି କ’ଣ ସବୁ କହିଲେ ।
“ମୋର ଆଦରର ଝିଅ କ’ଣ ଏହି ପାଲିଙ୍କିରେ ଅଛି?” ଏତିକି କହି ରାଣୀ ଆଗେଇ ଯାଉଥିଲେ । ମାତ୍ର ରାଜା ତାଙ୍କୁ ତାଙ୍କ କାର୍ଯ୍ୟରୁ କ୍ଷାନ୍ତ କରି ଜଗତପତିଙ୍କୁ କହିଲେ, “ପାଲିଙ୍କିରେ ଯଦି ପ୍ରକୃତରେ ମୋ ଝିଅ ଥିବ ତେବେ ଏତେ ବେଳଯାଏଁ ତହିଁରୁ ସେ ବାହାରୁ ନାହିଁ କାହିଁକି?” ଏହାପରେ ଜଗତପତି କହିଲେ “ତା’ଙ୍କ ଦେହ ସୁସ୍ଥ ଅଛି । ମୁଁ ଏବେ ତାଙ୍କୁ ବାହାରକୁ ଆସିବାକୁ କହୁଛି ।” ତା’ପରେ ସେ ପାଲିଙ୍କିର ପରଦା ଖୋଲି ଦେଇ କହିଲେ, “ରାଜକୁମାରୀ, ବାହାରକୁ ଚାଲିଆସ । ତୁମ ପିତାମାତା ତୁମକୁ ଦେଖିବାକୁ ଖୁବ୍ ବ୍ୟାକୁଳ ହେଲେଣି ।” ଏତିକି କହି ଜଗତପତି ରାଜାରାଣୀଙ୍କ ପାଖକୁ ଗଲେ ।
ପରଦା ଖୋଲି ମାଳିନୀ ପାଲିଙ୍କିର ବାହାରକୁ ଆସିଲା । ତା’ପରେ ଭୟଭୀତ ହୋଇ ସେ ଚାରିଆଡକୁ ଚାହିଁଲା । ଏଣେ ରାଜା ରାଣୀ ଭାବିଲେ “ଦୂରରୁ ସେ ଦେଖିବାକୁ ତ ଠିକ୍ ବିଦ୍ୟାବତୀ ପରି ହୋଇଛି, କିନ୍ତୁ ସେ ଏତେ କାହିଁକି ଡରୁଛି?”
ହଠାତ୍ ଉଗ୍ରସେନ ଜଗତପତିକୁ ଧରି ନେଇ କହିଲେ, “ଏ ଯୁବତୀ ତ ରାଜକୁମାରୀ ନୁହଁନ୍ତି! କ’ଣ ତୁମେ ଆମକୁ ଠକାଇବାକୁ ଚାହୁଁଛ?”
ଜଗତପତି କହିଲେ “ନା, ନା, ଇଏତ ରାଜକୁମାରୀ ବିଦ୍ୟାବତୀ । ଏଥିରେ ଆଉ ସନ୍ଦେହ କରିବାର କ’ଣ ଅଛି?”
ଉଗ୍ରସେନ ଧମକ ଦେଇ ପଚାରିଲେ “ତୁମେ ଏପରି କାହିଁକି କହୁଛ? ତୁମେ କ’ଣ କେବେ ବିଦ୍ୟାବତୀଙ୍କୁ ଦେଖିଛ?”
ଏ ପ୍ରଶ୍ନର ଉତ୍ତର ନଦେଇ ସେ କହିଲେ, “ମୁଁ ତ ତାଙ୍କୁ ଦୁଷ୍ଟଗ୍ରହର ପ୍ରଭାବରୁ ବଂଚାଇଛି । ମୁଁ ତାଙ୍କୁ ରକ୍ଷା କରିଥିଲି । ଏବେ ମୁଁ ତାଙ୍କୁ ଏଠାକୁ ଆଣିଛି ।”
ଆଚାର୍ଯ୍ୟ ବାଚସ୍ପତି ଏଥର ପ୍ରଶ୍ନ କଲେ “ତାଙ୍କ ଉପରେ ଦୁଷ୍ଟ ଗ୍ରହର ପ୍ରଭାବ ଥିଲା ବୋଲି ତମେ କିମିତି ଜାଣିଲ?”
ତହୁଁ ଜଗତପତି କହିଲେ “ଜ୍ୟୋତିଷମାନେ ମୋତେ ଏସବୁ କଥା କହିଥିଲେ ।”
ଆଚାର୍ଯ୍ୟ କହିଲେ “ଏତେ ଦିନ ତୁମକୁ ଦେଖିବାକୁ ମିଳୁ ନଥିଲା ଏଇଥିପାଇଁ, ନୁହେଁ? କୃତଘ୍ନ! ତୁମେହିଁ ତାଙ୍କୁ ଏତେ ଦିନଧରି ଲୁଚାଇ ରଖିଥିଲ ଓ ଜ୍ୟୋତିଷମାନଙ୍କୁ ଡାକି ଶୁଭମୁହୂର୍ତ୍ତ ଦେଖି ଏଠାକୁ ନେଇ ଆସିଛ? ପୁଣି ଯାହାକୁ ଆଣିଛ ସେ ବିଦ୍ୟାବତୀ ନୁହଁନ୍ତି । ତୁମର ଏହା ପଛରେ କି ଦୁଷ୍ଟ ଉଦ୍ଧେଶ୍ୟ ରହିଛି? ମନେହୁଏ ତୁମେହିଁ ରାଜକୁମାରୀଙ୍କ ପାଇଁ ଏକ ଦୁଷ୍ଟଗ୍ରହ । ତମକୁ ବିଶ୍ୱାସ କରି ଆଜି ମୁଁ ବହୁତ ଲଜ୍ଜିତ ।”
ହଠାତ୍ ଜଗତପତି ନିଜ ଗଳାରେ ପିନ୍ଧି ଥିବା ରତ୍ନମାଳାକୁ ବାରମ୍ବାର ଟାଣିଲେ । ସେଥିରୁ ଆଲୋକ ଓ ଧୁଆଁ ବାହାରିଲା ସେହି ଅବସରରେ ନିଜ ହାତକୁ ଟାଣିନେଇ ସେ ଦୌଡିଯାଇ ଘୋଡା ଉପରେ ବସି ପଳାଉ ଥିଲେ । ଠିକ୍ ସେହି ସମୟରେ ସାଧୁ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ଆସି ସେଠାରେ ପହଁଚିଲେ । ପଳାତକ ଜଗତପତି କିଏ ଓ କ’ଣ ନେଇ ସେ ପଳାଉଛି ଏହା ବୁଝି ନପାରି ମହେନ୍ଦ୍ରନାଥ ତାଙ୍କୁ ସେ ଘୋଡା ଉପରୁ ଟାଣି ଖସାଇ ପକାଇଲେ ଓ ରତ୍ନମାଳା ତାଙ୍କ ହାତରୁ ଟାଣିନେଇ କହିଲେ, “ବନ୍ଧୁ ଏବେ ତୁମର ସବୁଖେଳ ଶେଷ ହୋଇଗଲା ।” ତା’ପରେ ସେଠାକୁ ରାଜାରାଣୀ, ଓ ବାଚସ୍ପତି ମଧ୍ୟ ଆସିଗଲେ । ରାଜାଙ୍କ ଆଦେଶ ପାଇ ତାଙ୍କ ସୈନ୍ୟମାନେ ଜଗତପତିଙ୍କୁ ତୁରନ୍ତ ବନ୍ଦୀ ବନାଇଲେ ।
ଉଗ୍ରସେନ ମହେନ୍ଦ୍ରନାଥଙ୍କୁ ଚିହ୍ନିପାରି କହିଲେ, “ଆରେ ମହେନ୍ଦ୍ରନାଥ, ତୁମେ? ତମେ ଏହି ଦୁଷ୍ଟକୁ ଧରି ପାରିଲ । ବଡ ଭଲ କାମ କଲ । ଆଚ୍ଛା ବିଦ୍ୟାବତୀର କ’ଣ କିଛି ଖବର ମିଳିଲା?”
ବିଦ୍ୟାବତୀ କହିଲେ “ମାମୁଁ, ମୁଁ ଏଇଠି ଅଛି ଦେଖ ।” ସନ୍ନ୍ୟାସିନୀ ମୁହଁରୁ ଏ କଥା ଶୁଣି ସେ ଉଗ୍ରସେନ ତାଙ୍କୁ ଭଲ କରି ଚାହିଁଲେ । ନିଜ ଭାଣିଜୀକୁ ମାମୁଁ ଚିହ୍ନିପାରି ଖୁବ୍ ଆନନ୍ଦରେ ଚିତ୍କାର କରି ରାଜାରାଣୀଙ୍କୁ କହିଲେ, “ବିଦ୍ୟାବତୀ ଆସିଯାଇଛି ମହାରାଜ ।”