ତାଙ୍କ କଥାଶୁଣି ରାଜକୁମାରୀ କହିଲେ “ହଁ, ଠିକ୍ କଥା । ସକାଳ ହେବା ମାତ୍ରେ ଆମେମାନେ ନିଜ ନିଜର ବେଶ ବଦଳାଇ ଦେବା ।”
ସକାଳ ହେବା ବେଳକୁ ପାଲିଙ୍କି ରଖା ହୋଇଥିଲା । ତା’ପାଖରେ ତିନିଜଣ ଘୋଡାସବାର । ସେମାନଙ୍କ ମଧ୍ୟରୁ ଜଣେ ଆସି ବୃଦ୍ଧାକୁ ଆଦେଶ ଦେଇ କହିଲା, “ରାଜକୁମାରୀଙ୍କୁ କୁହ, ସେ ସେହି ପାଲିଙ୍କି ଛାଡି ଏହି ପାଲିଙ୍କିରେ ଆସି ବସନ୍ତୁ ।” ଏକଥା ଶୁଣି ସେ ବୃଦ୍ଧା ଟିକିଏ ଚମକି ପଡିଲା ଓ ତା’ପରେ ସେ କହିଲା, “ମାଲିକ କାହାନ୍ତି? ମୁଁ ତାଙ୍କ ସହିତ କିଛି ଜରୁରୀ କଥା ହେବି ।”
ଘୋଡାରେ ବସିଥିବା ପାଇକ କହିଲା “ମାଲିକ ତୁମମାନଙ୍କ ପାଇଁ ଅନ୍ୟ ଏକ ସ୍ଥାନରେ ଅପେକ୍ଷା କରିଛନ୍ତି । ରାଜକୁମାରୀଙ୍କୁ ସେଠାରେ ଭଲରେ ପହଞ୍ଚାଇବାର ଦାୟିତ୍ୱ ଆମର । ତୁମେ ସନ୍ଦେହ କରନାହିଁ । ତୁମେ ଏହି ପାଲିଙ୍କିରେ ବସି ଯାଦୁମହଲକୁ ଫେରି ଯାଇ ପାର ।”
ଘୋଡାସବାରର ସ୍ୱର ମାଲିକଙ୍କ ପରି ଥିଲା । ବୃଦ୍ଧା ପୁଣି ଥରେ ଚମକି ଉଠିଲା ଓ ସେ ଚୁପ୍ ରହିଲା । ତା’ପରେ ତାଙ୍କୁ ଚିହ୍ନିବାକୁ ସେ ଚେଷ୍ଟାକଲା । ସେ ଘୋଡାସବାରର ଦାଢୀ ନ ଥିଲା, କିନ୍ତୁ ତା’ର ଚେହେରା ଖୁବ୍ ତେଜୀୟାନ୍ ଥିଲା । ମନେ ହେଉଥିଲା ଯେପରି ସେ କୌଣସି ରାଜକୁମାର ।
ବୃଦ୍ଧା ନିରୁପାୟ ଥିଲା । ସେ ମାଳିନୀକୁ ଗୋଟିଏ ପାଲିଙ୍କିରୁ ଆଣି ଅନ୍ୟ ଏକ ପାଲିଙ୍କିରେ ବସାଇ ଦେଇ କହିଲା, “ଭୟ କରିବାର କିଛି ବି ନାହିଁ; ସେମାନେ ତୁମକୁ ମାଲିକଙ୍କ ପାଖରେ ପହଁଚାଇ ଦେବେ । ଏତିକି କହି ବୃଦ୍ଧା ପାଲିଙ୍କିର ପର୍ଦ୍ଦା ପକାଇ ଦେଲେ । ପାଲିଙ୍କି ବାହକମାନେ ପାଲିଙ୍କିଟି ଉଠାଇ ନେଇ ଘୋଡାସବାରଙ୍କ ପଛରେ ଚାଲିଲେ, ଏଣେ ଏ ବୃଦ୍ଧା ପୂର୍ବ ପାଲିଙ୍କିରେ ବସି ଯାଦୁମହଲକୁ ଫେରିଗଲା ।”
ସୂର୍ଯ୍ୟୋଦୟ ହୋଇସାରିଥିଲା । ମହେନ୍ଦ୍ରନାଥ ଓ ରାଜକୁମାରୀ ବଡ ଉତ୍ସାହର ସହିତ ପାହାଡ ଉପରୁ ତଳକୁ ଓହ୍ଲାଇଲେ ଓ ଦ୍ୱିପ୍ରହର ବେଳକୁ ପାହାଡର ପାଦଦେଶରେ ଆସି ପହଁଚିଗଲେ । କିଛିସମୟ ପାଇଁ ସେମାନେ ବିଶ୍ରାମ କଲେ । ତା’ପରେ ପୁଣି ସେମାନେ ବାଟ ଚାଲିବାକୁ ଆରମ୍ଭ କଲେ । ସଂଧ୍ୟା ହେବା ପୂର୍ବରୁ ପୂର୍ବୋକ୍ତ ସାଧୁଙ୍କ କୁଟୀର ପାଖରେ ସେମାନେ ଯାଇ ପହଁଚି ସାରିଥିଲେ । ମହେନ୍ଦ୍ର ନିଜେ ମୁଦିଟିକୁ ଦେଖିଲେ ଓ ସାଧୁଙ୍କ ବିଷୟରେ ରାଜକୁମାରୀଙ୍କୁ ସବୁକଥା କହିଲେ ।
ସାଧୁଙ୍କୁ ଦେଇଥିବା କଥା ଅନୁସାରେ ମହେନ୍ଦ୍ରନାଥ ରାଜକୁମାରୀଙ୍କୁ ନେଇ କୁଟୀରରେ ପ୍ରବେଶ କଲେ । ସାଧୁ ସେମାନଙ୍କୁ ସ୍ୱାଗତ କରି କହିଲେ, “ଆସ ବତ୍ସ, ମୋର ବିଶ୍ୱାସ ଥିଲା ଯେ ତୁମେ ଏ କାର୍ଯ୍ୟ ନିଶ୍ଚୟ କରିପାରିବ । ମୁଁ ତ ଏଠି ତୁମକୁ ହିଁ ଅପେକ୍ଷା କରିଥିଲି ।”
ତା’ପରେ ସେ ବିଦ୍ୟାବତୀଙ୍କୁ ଚାହିଁ କହିଲେ, “ବୀରଗିରିର ରାଜକୁମାରୀଙ୍କୁ ମୁଁ ସ୍ୱାଗତ କରୁଛି ।”
ମହେନ୍ଦ୍ରନାଥ ପଚାରିଲେ “ଆପଣ ଆମକୁ ଅପେକ୍ଷା କରିଥିଲେ? ଆଜି ଆମେ ଆସୁଛୁ ବୋଲି ଆପଣ କିମିତି ଜାଣିଲେ?”
ତହୁଁ ସେ ସାଧୁ ଅଳ୍ପ ହସି ମହେନ୍ଦ୍ରନାଥଙ୍କ ମୁଦି ଆଡେ ନିର୍ଦ୍ଧେଶ କରି କହିଲେ, “ଦେଖ ବାପ, ମୋ ଅଙ୍ଗୁଳିରେ ମଧ୍ୟ ଠିକ୍ ସେହିପରି ଏକ ମୁଦିଟିଏ ଅଛି, ଏହି ମୁଦି ଦୁଇଟି ମଧ୍ୟରେ କିଛି ବିଶେଷତ୍ୱ ରହିଛି । ମୁଁ ନିଜ ମୁଦିଟି ପିନ୍ଧିବା ମାତ୍ରେ ତୁମର ସବୁକିଛି ଜାଣିପାରେ ଏବଂ ମୋ ମୁଦିର ପ୍ରଭାବ ତୁମମାନଙ୍କୁ ମୋ କୁଟୀର ଆଡକୁ ଆକର୍ଷିତ କରି ନେଇ ଆସିଲା; ସେ କଥା କ’ଣ ତୁମେ ଜାଣିପାରିଲ ନାହିଁ ।”
ଏପରି କଥା ଶୁଣି ମହେନ୍ଦ୍ରନାଥ ଆଶ୍ଚର୍ଯ୍ୟ ହୋଇ କହିଲେ “ଓହୋ, ତେବେ ଏପରି କଥା?” ସାଧୁ କହିଲେ “ତୁମେ ଦୁଇଜଣ ମୋ କୁଟୀରକୁ ଆସିଲ, ତାହା ତ ମୋ ପାଇଁ ବଡ ଆନନ୍ଦର ବିଷୟ । ତୁମେଦୁହେଁ ଆଜି ରାତିରେ ଏଠାରେ ବିଶ୍ରାମ କର । ସକାଳୁ ଉଠି ପୁଣି ନିଜରାସ୍ତା ତୁମେମାନେ ଧରିବ ।”
ସେଦିନ ରାତ୍ରିରେ ମହେନ୍ଦ୍ରନାଥ ଓ ବିଦ୍ୟାବତୀ ନିଜନିଜର ଅନୁଭୂତି କହିଲେ । ସାଧୁ ସେସବୁ ବଡ ସ୍ନେହ ସହକାରେ ଶୁଣିଲେ । ପରଦିନ ସକାଳେ ସାଧୁ କହିଲେ, “ତୁମମାନଙ୍କ ସହିତ ମୁଁ ମଧ୍ୟ ରାଜଧାନୀ ଯିବି । ତଦ୍ୱାରା ତୁମେ ଦୁହେଁ କିଛିଟା ସୁରକ୍ଷିତ ରହିବ । ଏତେବର୍ଷପରେ ମୋର କର୍ତ୍ତବ୍ୟ ପୂର୍ଣ୍ଣ କରିବାର ସୁଯୋଗ ମୋତେ ମିଳିଛି ।”
ସାଧୁଙ୍କ ଏଭଳି କଥାଶୁଣି ମହେନ୍ଦ୍ରନାଥ କହିଲେ “ଆପଣ କ’ଣ କହୁଛନ୍ତି ମୁଁ ତ କାହିଁ ଏଥିରୁ କିଛି ହେଲେ ବୁଝିପାରୁ ନାହିଁ ।”
ସାଧୁ କହିଲେ “ମୁଁ ଏବେ ତୁମମାନଙ୍କୁ ମୋ ଜୀବନର ଅନୁଭୂତି କହିବି । ସେତେବେଳେ ଯାଇ ତୁମେ ଠିକ୍ ବୁଝିପାରିବ ।” ଏହା ଶୁଣି ମହେନ୍ଦ୍ରନାଥ ପଚାରିଲେ “କି ପ୍ରକାର ଅନୁଭୂତି? ତାହା ଶୁଣିବାକୁ ମୁଁ ଅତ୍ୟନ୍ତ ଉତ୍କଣ୍ଠିତ ହୋଇ ପଡିଛି ।”
ଏହାପରେ ସେ ସାଧୁ ତାଙ୍କ କାହାଣୀ ଗପି ଚାଲିଲେ “ତାହା ଏକ ଦୁଃଖପୂର୍ଣ୍ଣ କାହାଣୀ । ମୁଁ ସଂକ୍ଷେପରେ ସବୁ କହିବି । ମହିମାପୁରୀ ରାଜ୍ୟର ନାମ ତ ତମେ ନିଶ୍ଚୟ ଶୁଣିଥିବ । ସେଠାକାର ଯୁବରାଜ ବୀରେନ୍ଦ୍ରନାଥଙ୍କର ତରୁଣ ବୟସ; ଥରେ ତାଙ୍କ ପିତା ଶିକାରକୁ ଯାଇ ଆଉ ଘରକୁ ଫେରିଲେ ନାହିଁ । ଯୁବରାଜଙ୍କର ଏକୋଇଶ ବର୍ଷ ହେବା ମାତ୍ରେ ତାଙ୍କର ଅଭିଷେକ ହୋଇଗଲା । କିଛିଦିନ ପରେ ତାଙ୍କ ମା ମଧ୍ୟ ପରଲୋକ ଗମନ କଲେ । ଯିବା ପୂର୍ବରୁ ସେ ତାଙ୍କ ପୁଅକୁ ଡାକି ଭଉଣୀର ଦାୟିତ୍ୱ ସଂପୂର୍ଣ୍ଣରୂପେ ନେବାକୁ କହିଲେ । ବୀରେନ୍ଦ୍ରନାଥ ନିଜ କର୍ତ୍ତବ୍ୟ ଭଲ ଭାବରେ ତୁଲାଇଲେ । ସେ ତାଙ୍କ ଭଉଣୀ ସୁକନ୍ୟାଙ୍କୁ ପଡୋଶୀ ରାଜ୍ୟର ରାଜକୁମାର ସୁରେନ୍ଦ୍ରବର୍ମାଙ୍କ ସହିତ ବିବାହ କରାଇ ଦେଲେ । କିଛିଦିନ ପରେ ସେମାନଙ୍କର ପୁଅଟିଏ ହେଲା । ଥରେ ରାଜା ବୀରେନ୍ଦ୍ରନାଥ ତୀର୍ଥଯାତ୍ରା କରିବାକୁ ବାହାରିଗଲେ । ତାଙ୍କର ଅନୁପସ୍ଥିତି ସମୟରେ ତାଙ୍କର ଭିଣେଇ ସୁରେନ୍ଦ୍ରବର୍ମା ଓ ତାଙ୍କ ସାନଭାଇ ଜିତେନ୍ଦ୍ରବର୍ମା ମହିମାପୁରରେ ରହୁଥା’ନ୍ତି । ପାଟଳୀପୁତ୍ରର ରାଜା ସୁବିଧା ଦେଖି ମହିମାପୁର ଆକ୍ରମଣ କଲେ ଓ ଯୁଦ୍ଧରେ ସେ ଜିତିଗଲେ । ଫଳରେ ରାଜ୍ୟଟି ତାଙ୍କ ଦଖଲରେ ଆସିଗଲା । ସୁରେନ୍ଦ୍ରବର୍ମା ଓ ଜିତେନ୍ଦ୍ରବର୍ମା ଯୁଦ୍ଧ କରିବା ମଧ୍ୟରେ ସୁରେନ୍ଦ୍ରବର୍ମାଙ୍କର ହଠାତ୍ ମୃତ୍ୟୁ ହୋଇଗଲା । ତେଣୁ ଜିତେନ୍ଦ୍ରବର୍ମା କୌଣସି ମତେ ତାଙ୍କ ଭାଉଜ ଓ ପୁତୁରାକୁ ଧରି ସେଠାରୁ ଲୁଚି ଅନ୍ୟତ୍ର ପଳାଇଲେ । ଏଣେ ବୀରେନ୍ଦ୍ରନାଥ ତୀର୍ଥରୁ ଫେରିବାମାତ୍ରେ ଏମାନେ ତଥା ପାଟଳୀପୁତ୍ର ରାଜା ତାଙ୍କୁ ବନ୍ଦୀ କଲେ । ବନ୍ଦୀ ଗୃହରେ ଥାଇ ନିଜ ଭଉଣୀ ଓ ଭଣଜାଙ୍କ ଚିନ୍ତାରେ ପଡି ବୀରେନ୍ଦ୍ରନାଥଙ୍କର ମଧ୍ୟ ମୃତ୍ୟୁ ହୋଇଗଲା ।