ଜିତେନ୍ଦ୍ରବର୍ମା ତାଙ୍କ ଭାଉଜ ଓ ପୁତୁରାକୁ ନେଇ ବହୁସ୍ଥାନରେ ବୁଲି ବୁଲି ଶେଷକୁ ଯାଇ ସେମାନେ ବୀରଗିରିରେ ପହଁଚିଲେ । ବଡ କଷ୍ଟରେ ସେମାନଙ୍କ ଦିନ ବିତୁଥାଏ; ସେଠାରେ କିଛି ଦିନ ରହିବା ପରେ ଜିତେନ୍ଦ୍ରବର୍ମା ବିବାହ କଲେ । କିନ୍ତୁ ଦୂଭାର୍ଗ୍ୟକୁ ତାଙ୍କ ସ୍ତ୍ରୀ ମଧ୍ୟ କିଛି ଦିନ ପରେ ମରିଗଲେ । ଏମିତି ଦୁଃଖଦ ପୂର୍ଣ୍ଣ ସମୟ ମଧ୍ୟରେ ସେ ଦିନେ ତାଙ୍କ ଭାଉଜ ଓ ପୁତୁରାକୁ ଛାଡି ତୀର୍ଥକୁ ବାହାରିଗଲେ । ବହୁତୀର୍ଥ ବୁଲିବା ପରେ ଗୋଟିଏ ଜଙ୍ଗଲରେ କୁଟୀରଟିଏ ବନାଇ ସେ ସେଠାରେ ତପସ୍ୟା କଲେ । କିନ୍ତୁ ଥରକ ପାଇଁ ହେଲେ ସେ ତାଙ୍କ ଭାଉଜ ଓ ପୁତୁରାକୁ ଦେଖିବାପାଇଁ ଯାଇ ପାରିଲେ ନାହିଁ । ଏକଥା ତାଙ୍କ ମନ ମଧ୍ୟରେ ବାରମ୍ବାର ଆସୁଥାଏ ।” ଏତିକି କହିବା ପରେ ସେ ଚୁପ୍ ହୋଇଗଲେ ଓ ଚକ୍ଷୁ ବନ୍ଦ କଲେ । ତା’ପରେ ସେଥିରୁ ଲୁହ ଝରିବାକୁ ଲାଗିଲା ।
ବିଦ୍ୟାବତୀ ପଚାରିଲେ “ଆପଣ ତ କାହିଁ କହିଲେ ନାହିଁ ଯେ ସେହି ରାଜକୁମାରୀ ସୁକନ୍ୟାଙ୍କ ପୁତ୍ରର ନାମ କ’ଣ?”
ତା’ପରେ ସେ ସାଧୁ କହିଲେ “ମହେନ୍ଦ୍ରନାଥ । ଆଉ ସେ ଏହି ଯୁବକ ମହେନ୍ଦ୍ରନାଥ ।” ମହେନ୍ଦ୍ରନାଥ ଯେତେବେଳେ ଜାଣିଲେ ଯେ ଏହି ସାଧୁ ଜଣକ ହେଉଛନ୍ତି ତାଙ୍କରି ସେହି ଦୁଃଖୀ କାକା, ସେ ଯାଇ ତାଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ ।
ସାଧୁ କହିଲେ “ରାଜଧାନୀରେ ପହଁଚିବା ପରେ ମୋତେ ଦୁଇଟି କାମ କରିବାକୁ ହେବ । ପ୍ରଥମ କାମ ରାଜାଙ୍କୁ କହିବି ମହେନ୍ଦ୍ରନାଥ କିଏ । ଦ୍ୱିତୀୟ କାମ ମୋର ପୂଜନୀୟା ଭାଉଜଙ୍କୁ ମୋର ଭୂଲ୍ କାର୍ଯ୍ୟପାଇଁ କ୍ଷମା ପାର୍ଥନା କରିବି । ତାପରେ ମୁଁ ପୁଣି ମୋର ପ୍ରିୟ କୁଟୀରକୁ ଫେରି ଆସି ବାକି ଜୀବନ କଟାଇ ଦେବି ।”
ମହେନ୍ଦ୍ରନାଥ ଓ ବିଦ୍ୟାବତୀ କିଛି କହିବାକୁ ଚାହୁଁଥିଲେ, କିନ୍ତୁ ସାଧୁ ତାଙ୍କୁ ଆଉ କିଛି ବି କହିବାକୁ ନଦେଇ ନିଜେ କହିଲେ, “ଏବେ ତୁମେ ଦୁହେଁ ଆଶ୍ରମବାସୀଙ୍କ ପରି ଗେରୁଆବସ୍ତ୍ର ପିନ୍ଧିପକାଅ । ମୁଁ ତ ତୁମମାନଙ୍କ ସହିତ ଯିବି । ତେଣୁ ତୁମର ଭୟ କରିବାର କୌଣସି କାରଣ ନାହିଁ । ଏବେ ଆମେ ଯାତ୍ରା ଆରମ୍ଭ କଲେ ସଂଧ୍ୟା ପୂର୍ବରୁ ଯାଇ ରାଜଧାନୀରେ ପହଁଚିବା ।”
ବିଦ୍ୟାବତୀ କହିଲେ “ଆଜି ମୋତେ କି ଆନନ୍ଦ ଲାଗୁଛି । ମୋତେ ଲାଗୁଛି ମୁଁ ଯେପରି ରାଜନଅରରେ ପହଁଚି ସାରିଲାଣି ।” ତା’ପରେ ସେ ତାଙ୍କ ସମସ୍ତ ଅଳଙ୍କାର ବାହାର କରି ଦେଇ ଗେରୁଆ ବସ୍ତ୍ର ପିନ୍ଧି ବାହାରିଲେ । ସେ ଏବେ ରାଜକୁମାରୀ ନୁହେଁ ବରଂ ମୁନିକୁମାରୀ ପରି ଦିଶୁଥିଲେ । ତିନିଜଣ ମିଶି ଏବେ ବୀରଗିରି ଦିଗରେ ଅଗ୍ରସର ହେଲେ ।