(ରାଜକୁମାରୀ ବିଦ୍ୟାବତୀଙ୍କର ଅପହରଣ ହୋଇଗଲା । ଏଣେ ରାଜଜ୍ୟୋତିଷ ବାଚଷ୍ପତି ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ ତାଙ୍କ ନିକଟକୁ ଅନ୍ୟ ଜ୍ୟୋତିଷ ଜଗତପତି କାହିଁକି ଆସୁନାହାଁନ୍ତି; ସେ ତାଙ୍କ ସନ୍ଦେହ କଥା ରାଜାଙ୍କୁ କହିଲେ । ତା’ପରେ ଯୁବକ ମହେନ୍ଦ୍ରନାଥ ରାଜାଙ୍କ ଆଜ୍ଞାନେଇ ନିଜେ ଖୋଜି ଖୋଜି ଯାଦୁ ମହଲରେ ଯାଇ ପହଁଚିଲେ; ଯେଉଁଠାରେକି ବିଦ୍ୟାବତୀ ନଜର ବନ୍ଦୀ ଥା’ନ୍ତି । ମହେନ୍ଦ୍ରନାଥ ସେଠାରେ ଦରବାନ କାମ ପାଆନ୍ତି । ତଦ୍ୱାରା ସେ ମହଲର ଭଲ ମନ୍ଦ ଉପରେ ଆଖି ରଖିଥାନ୍ତି । ଏଥର ଆଗକୁ ପଢନ୍ତୁ ।)
ପରଦିନ ମହେନ୍ଦ୍ରନାଥ ସମୟ ଆଗରୁ ସେଠାରେ ପହଁଚି ଯାଇଥିଲେ ଓ ଏପଟ ସେପଟ ବୁଲି ଆଖି ରଖୁଥାନ୍ତି; ସେତିକିବେଳେ ସେ ଦେଖିପାରିଲେ ଏକପ୍ରକାର ବେଶଭୂଷା ହୋଇଥିବା ତିନିଜଣ ଯୁବତୀ ମହଲରୁ ବାହାରି ବଗିଚାକୁ ଆସିଲେ; ସେ ପୂର୍ବଦିନ ଦେଖିଥିବା ଯୁବତୀକୁ ଚିହ୍ନିବାକୁ ଚେଷ୍ଟା କରି ମଧ୍ୟ ପାରିଲେ ନାହିଁ ।
ସେ ଦେଖିଲେ ତିନିଜଣଙ୍କ ମଧ୍ୟରୁ ଜଣେ ଫେରିଗଲା । ଜଣେ ବଗିଚାରେ ବୁଲିଲା ଓ ଅନ୍ୟଜଣକ ଗୋଟିଏ ସ୍ଥାନରେ ବସି ତା’ଉପରେ ଦୃଷ୍ଟି ରଖିଲା ମହେନ୍ଦ୍ର ବୃକ୍ଷର ଅନ୍ତରାଳରେ ଲୁଚି ଲୁଚି ବୁଲୁଥିବା ଯୁବତୀଙ୍କର ନିକଟତର ହେଲେ ଓ ଯୁବତୀଟି ଶୁଣି ପାରିବା ଭଳି ଧୀର ସ୍ୱରରେ ପଚାରିଲେ, “ମହାଶୟା, ଆପଣ କ’ଣ ରାଜକୁମାରୀ ବିଦ୍ୟାବତୀ?”
ବିଦ୍ୟାବତୀ ଯାହା ଶ୍ରବଣ କଲେ ତାଙ୍କ ପାଇଁ ତାହା ଆଶ୍ଚର୍ଯ୍ୟଜନକ ଓ ଆନନ୍ଦ ଦାୟକ ଥିଲା । ସେ କିଛି ନ ବିଚାରି ଯେଉଁଆଡୁ ଶବ୍ଦ ଆସୁଥିଲା ସେହି ଦିଗରେ ଆଗେଇ ଗଲେ । କାହାକୁ ଦେଖିବାକୁ ନ ପାଇ ଆହୁରି ବେଶି ଆଗେଇ ଯାଇ ଫେରି ଆସିବା ବେଳେ ମହେନ୍ଦ୍ରନାଥଙ୍କୁ ସେ ଦେଖିଲେ, ମହେନ୍ଦ୍ର କିଛି କହିବାକୁ ଯାଉଥିଲେ, କିନ୍ତୁ ସେ ଇଶାରା ଦେଇ ଚୁପ୍ ରହିବାକୁ କହିଲେ ଏବଂ କେବଳ “କାଲି” କହି ସେଠାରୁ ସେ ଚୁପ୍ଚାପ୍ ଚାଲିଗଲେ । କାରଣ ସେତେବେଳକୁ ଅନ୍ୟ ଯୁବତୀଟି ତାଙ୍କ ଆଡକୁ ଆଗେଇ ଆସୁଥିଲା ।
ସେଦିନ ରାତ୍ରିରେ ମହେନ୍ଦ୍ରନାଥ ଅଧିକ ସାବଧାନ ହୋଇ ପହରା ଦେଲେ । କିନ୍ତୁ ତାଙ୍କ ଦୃଷ୍ଟି ମହଲ ଉପରେ । ସେ ଦେଖିଲେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କୋଠରୀରେ ଆଲୋକ ଜଳୁଛି, ଅର୍ଥାତ୍ ପ୍ରତ୍ୟେକଦିନ ରାଜ କୁମାରୀଙ୍କୁ ଭିନ୍ନ ଭିନ୍ନ କକ୍ଷରେ ରଖା ଯାଉଛି । ମହେନ୍ଦ୍ର ଏବେ ନିଶ୍ଚିତ ହୋଇଗଲେ ଯେ ଯାହାଙ୍କୁ ଆଜି ସେ ଦେଖିଲେ ସେହିଁ ରାଜକୁମାରୀ ବିଦ୍ୟାବତୀ । ପୁଣି ପରିଚାରିକାମାନେ ଏକପ୍ରକାର ପୋଷାକ ପିନ୍ଧିଛନ୍ତି ଯେପରି ହଠାତ୍ ବିଦ୍ୟାବତୀଙ୍କୁ କେହି ମଧ୍ୟ ଚିହ୍ନିପାରିବ ନାହିଁ ।
କିଛି ସମୟ ପରେ ଦରବାନ୍ ବନ୍ଧୁ ଆସି ସେଠାରେ ପହଁଚିଲା । ମହେନ୍ଦ୍ର ପଚାରିଲେ, “କଥା କ’ଣ, ଆଜି ତ ମୁଁ ତୁମକୁ ଆଦୌ ଦେଖି ନଥିଲି ।” ସେ ତରବର ହୋଇ ଯାଉଯାଉ କହିଲା, “ଆଜି ଆମ ମହଲକୁ କେହି ଜଣେ ପଣ୍ଡିତ ଆସିଛନ୍ତି । ମୁଁ ସେଥିପାଇଁ ବ୍ୟସ୍ତ ଥିଲି । ଏବେ ଯାଉଛି ।” ଏହା କହି ସେ ସେଠାରୁ ତୁରନ୍ତ ଚାଲିଗଲା ।