ନିଜ ଜିଭ ସମ୍ଭାଳି ସେ କହିଲେ, “ନା, ଏମିତି ଦୂରରୁ ପାଟି ଶୁଣିବାର ମନେ ହେଲା” ତାଙ୍କ କଥା ଶୁଣି ସେ ଦରବାନ୍ ହସି ହସି କହିଲା “ଯଦି ବି ତୁମେ ସେମାନଙ୍କୁ ଦେଖିଥିବ ତ ଏହାପରେ ଆଉ ଦେଖିବାକୁ ପାଇବ ନାହିଁ । ଯେଉଁ ପଣ୍ଡିତ ଆସିଥିଲେ ସେ ମଧ୍ୟ ଆଜି ଚାଲିଯିବେ । ପୁଣି ମାଲିକ ଏକ ସୁନ୍ଦର ପାଲିଙ୍କିଟିଏ ଆଣିବାକୁ ଆଦେଶ ଦେଇଛନ୍ତି । କିନ୍ତୁ ସେ ନିଜେ ପାଲିଙ୍କିରେ କେବେ ହେଲେ ମଧ୍ୟ ବସନ୍ତି ନାହିଁ । ତେଣୁ ମୁଁ ଭାବୁଛି ସେଥିରେ ସେହି ବିଶେଷ ଅତିଥିହିଁ ଯିବେ । ସେ ଜଣେ ରାଜକୁମାରୀ ବୋଲି ମନେହୁଏ । ସେ ଯିବା ମାତ୍ରେ ଅନ୍ୟ ସ୍ତ୍ରୀଲୋକମାନେ ମଧ୍ୟ ଚାଲିଯିବେ ।”
ମହେନ୍ଦ୍ରନାଥ ନିଜର ପ୍ରତିକ୍ରିୟା ପ୍ରକାଶ ନକରି କହିଲେ “ଆଚ୍ଛା” “ହଁ ଆଜି ରାତ୍ରିରେ ତୁମେ ଭଲକରି ପହରା ଦେବ । କାରଣ ଆଜି ରାତିହିଁ ଶେଷ ରାତି ।” ଏତିକି କହି ସେ ଦରବାନ୍ ମିତ୍ର ସେଠାରୁ ଚାଲିଗଲା ।
ମହେନ୍ଦ୍ରଙ୍କ ମନ ପୁଣି ନାନା ଆଶଙ୍କାରେ ପୁରିଉଠିଲା । ସେ ଏ ଖବର କିପରି ବିଦ୍ୟାବତୀଙ୍କୁ ଦେବେ, ସେଥିପାଇଁ ଉପାୟ ଖୋଜିଲେ । ଅଧରାତ୍ରି ବେଳକୁ ସେ ଦେଖିଲେ ମହଲରେ ବତୀସବୁ ଲିଭିଲାଣି । ସେ ଧୀର ପଦକ୍ଷେପରେ ମହଲ ଆଡକୁ ଚାଲିଲେ । ସେଠାରେ ମୁଖ୍ୟ ଦ୍ୱାର ବନ୍ଦ ଥିବାର ସେ ଦେଖିଲେ । ସେ କିନ୍ତୁ ଠେଲା ଠେଲି କରିବାରୁ ଦ୍ୱାରଟି କୌଣସି ମତେ ଖୋଲିଗଲା ।
ସେ ଭିତରେ ପହଁଚି କୁଆଡେ ଯିବେ କିଛି ଠିକ୍ କରି ପାରିଲେ ନାହିଁ । କୌଣସି ଶବ୍ଦ ମଧ୍ୟ ନାହିଁ । ସେ ବହୁ ଚେଷ୍ଟାକରି ସିଢି ପାଖକୁ ଗଲେ ଓ ସିଢିରେ ଚଢି ଉପର ମହଲାରେ ଯାଇ ପହଁଚିଲେ । କିନ୍ତୁ ସେ ଯେଉଁ କବାଟକୁ ସ୍ପର୍ଶ କରୁଥା’ନ୍ତି ତାହା ଆପେ ଆପେ ଖୋଲି ଯାଉଥାଏ । ସେହି ପରି ଖୋଲିଯିବା ପରେ ସେ ଗୋଟିଏ କୋଠରୀରେ ପ୍ରବେଶ କଲେ । ହଠାତ୍ ନିଜ ସମ୍ମୁଖରେ ଜଣେ କେହି ଠିଆ ହୋଇଥିବାର ଦେଖି ସେ ଚମକି ପଡିଲେ । ତା’ପରେ ସେ ନିଜକୁ ସମ୍ଭାଳି ନେଲେ କାରଣ ତାହା ଥିଲା ଦର୍ପଣରେ ତାଙ୍କ ନିଜରହିଁ ପ୍ରତିବିମ୍ବ । ସମଗ୍ର କୋଠରୀଟିର କାନ୍ଥସବୁରେ ଦର୍ପଣ ଲଗା ହୋଇଛି । ତେଣୁ ସେ ଯୁଆଡେ ଯାଉଥାନ୍ତି ଖାଲି ନିଜର ପ୍ରତିବିମ୍ବହିଁ ଦେଖୁଥାନ୍ତି । ତା’ପର କକ୍ଷକୁ ଯାଇ ସେ ଦେଖିଲେ ସେଠାରେ ଅନେକ ସ୍ତ୍ରୀ ଲୋକ ଶୋଇଛନ୍ତି । ତା’ପରେ ପର କୋଠରୀକୁ ଯାଇ ସେ ଦେଖିଲେ ସେଠାରେ ମଧ୍ୟ ବହୁତ ସ୍ତ୍ରୀଲୋକ ଶୋଇଛନ୍ତି । ସେ ବିଦ୍ୟାବତୀଙ୍କୁ ଖୋଜିଲେ, ନ ପାଇ ସେଠାରେ ସେ ଚାଲି ଆସିଲେ । ତା’ପର କକ୍ଷରେ ସେ ଦେଖିଲେ ସେଥିରେ ଚମତ୍କାର ଭାବରେ ସାଜସଜ୍ଜା ହୋଇଛି ଏବଂ ସେଠାରେ କିଏ ଶୋଇଛି । ମହେନ୍ଦ୍ର ଚିହ୍ନିପାରିଲେ ଯେ ସେହିଁ ବିଦ୍ୟାବତୀ ।
ସେ ଧୀରେଧୀରେ ତାଙ୍କ ପାଖରେ ଯାଇ ପହଁଚିଲେ ଓ ତାଙ୍କ ହାତକୁ ଧୀରେ ସ୍ପର୍ଶ କଲେ । ମହେନ୍ଦ୍ରଙ୍କର ମନେ ପଡିଲା ତାଙ୍କ ଅଙ୍ଗୁରୀୟ ଯୋଗୁଁ ଏସବୁ ସମ୍ଭବ ହୋଇଛି ବିଦ୍ୟାବତୀ ଚମକି ଉଠିପଡିଲେ ଓ କହିଲେ, “ଏଠାକୁ ତୁମେ କିପରି ଆସିଲ?”
ମହେନ୍ଦ୍ର କହିଲେ “ମୁଁ ସେକଥା ପରେ କହିବି । କିନ୍ତୁ କାଲି ଆପଣଙ୍କୁ ଏଠାରୁ ନେଇଯିବା ପାଇଁ ପାଲିଙ୍କି ଅଣା ହେଉଛି ।”
ତା’ପରେ ବିଦ୍ୟାବତୀ ବ୍ୟସ୍ତହୋଇ ପଚାରିଲେ “ସେମାନେ ମୋତେ କୁଆଡେ ନେଇ ଯିବେ?”
ମହେନ୍ଦ୍ର ପଚାରିଲେ “ସେକଥା ତ ମୁଁ ଜାଣେ ନାହିଁ । ତେବେ ଏଥିରେ ଆପଣଙ୍କର ସମ୍ମତି ଅଛି ତ?”
ବିଦ୍ୟାବତୀ ପଚାରିଲେ “ମୁଁ କାହିଁକି କେଉଁଠିକି ଯିବାକୁ ଚାହିଁବି? କେବଳ ମୁଁ ମାତାପିତାଙ୍କ ପାଖକୁ ଫେରି ଯିବାକୁ ଚାହେଁ । ଏଥିଲାଗି ତୁମେ ମୋତେ ସାହାଯ୍ୟ କରିବ?”
ମହେନ୍ଦ୍ର କହିଲେ “ମୁଁ ତ ଆପଣଙ୍କୁ ଠାବ କରି ଆପଣଙ୍କ ପିତାମାତାଙ୍କ ପାଖରେ ପହଁଚାଇ ଦେବାକୁହିଁ ଘରୁ ବାହାରି ଆସିଥିଲି । ସେଥିପାଇଁ ମୁଁ ଆପଣଙ୍କ ପିତାଙ୍କ ଅନୁମତି ମଧ୍ୟ ନେଇ ଆସିଥିଲି । ଆସିବାବେଳେ ଆପଣଙ୍କ ମନରେ ବିଶ୍ୱାସ ଆଣିବା ପାଇଁ କିଛି ପଚାରିଲି । ଆପଣଙ୍କ ପିତାମାତା କହିଲେ, ଯେ ଆପଣଙ୍କ ବାମ କାନ୍ଧରେ ତିଳଚିହ୍ନଟିଏ ଅଛି ।”
ବିଦ୍ୟାବତୀ କହିଲେ “ଠିକ୍ ଅଛି । ଏବେ ତୁମ ଉପରେ ମୋର ପୁରା ବିଶ୍ୱାସ ଅଛି । ଚାଲ ଶୀଘ୍ର ଏଠାରୁ ପଳାଇବା । ଅଧିକ ଡେରୀ କଲେ ମୋଟେ ଚଳିବ ନାହିଁ ।”
ମହେନ୍ଦ୍ର ପଚାରିଲେ “ମୁଁ ମଧ୍ୟ ସେହିକଥା ଭାବୁଛି । ମୋ ପାଖରେ ସିଂହଦ୍ୱାରର ଚାବି ଅଛି । ସେସବୁରେ କୌଣସି ଅସୁବିଧା ହେବନାହିଁ । କିନ୍ତୁ ଏତେ ରାତିରେ ଆପଣ ମୋ ସହିତ କଂଟା ରାସ୍ତାରେ ଚାଲି ପାରିବେ ତ?”
ବିଦ୍ୟାବତୀ କହିଲେ “ନିଶ୍ଚୟ ପାରିବି । ଏଠାରେ ରହିବାରେ ତ ମୋତେ ବେଶି ଡର ଲାଗୁଛି, କ’ଣ କେତେବେଳେ ଘଟିବ । ତା’ପରେ ତୁମେ ବି ତ ମୋ ସାଥିରେ ଅଛ । ଭଗବାନଙ୍କ ଉପରେ ଭରସା ରଖି ବାହାରି ଯିବା ଏବଂ ଶୀଘ୍ର ବାହାରି ଯିବା ।”
ମହେନ୍ଦ୍ର କହିଲେ “ଠିକ୍ ଅଛି । ମହଲରୁ ବାହାରକୁ ଯିବା ପର୍ଯ୍ୟନ୍ତ ଆପଣ ମୋ ପଛେ ପଛେ ଆସନ୍ତୁ । କିନ୍ତୁ ଚାରି ଆଡେ ଦୃଷ୍ଟି ରଖିଥାନ୍ତୁ ଯେପରି କେହିବି ଆମକୁ ଦେଖି ନପାରେ ।”
ଧୀର ପଦକ୍ଷେପରେ ବହୁତ ସାବଧାନ ସହକାରେ ଦୁହେଁ ମହଲ ଭିତରୁ ବାହାରକୁ ଆସିଲେ ଓ ମହେନ୍ଦ୍ର ପଛପାଖ ସିଂହଦ୍ୱାରରେ ବାହାରି ଚାବି ଦେଇଦେଲେ ।
ଚାଲୁଚାଲୁ ବିଦ୍ୟାବତୀ ମହେନ୍ଦ୍ରଙ୍କୁ ପଚାରିଲେ “ଏହି ଯାଦୁମହଲରୁ ମୁକ୍ତି ପାଇ ଆମେ ବାହାରକୁ ତ ଆସିଲେ, କିନ୍ତୁ ଆମେ ଏବେ ଯିବା କୁଆଡେ? ତୁମେ ବୀରଗିରିର ରାସ୍ତା ମନେ ରଖିଛ ତ?”