(ରାଜକୁମାରୀଙ୍କୁ ସାରସ ସରୋବର ସ୍ଥିତ ମହଲରୁ ଯାଦୁମହଲକୁ ଅଣାଗଲା । ସେଠାରେ ତାଙ୍କର ସମସ୍ତ ପ୍ରକାରର ଆବଶ୍ୟକତା ପୂର୍ଣ୍ଣ କରାଯାଉଥାଏ । କିନ୍ତୁ କଥା କହିବା ସେଠାରେ ମନା, ଏପରିକି ନିଜ ପରିଚାରିକା ମାନଙ୍କ ସହିତ ବି ନୁହେଁ । ଥରେ ଥରେ ତାଙ୍କୁ ଏପରି ସଙ୍କେତ ମିଳେ ଯେ ତାଙ୍କୁ ସେଠାରେ ସେହିପରିହିଁ ରହିବାକୁ ହେବ ।)
ରାଜକୁମାରୀ କ୍ଳାନ୍ତ ହୋଇ ପଡିଥିଲେ । କିନ୍ତୁ ତାଙ୍କୁ ନିଦ ଆସିଲାନାହିଁ । ସେ ଧୀରେ ଧୀରେ ସବୁକଥା ମନେ ପକାଇଲେ । ସେ ଭାବିଲେ ଏପରି ଘଟଣା କିପରି ସମ୍ଭବ ହେଲା । ଯିଏ ନେଇ ଆସିଛି ସେ କ’ଣ ତା’ଙ୍କ ପିତାଙ୍କର କେହି ଶତ୍ରୁ?
ତାଙ୍କର ଯେତିକି ମନେ ପଡେ ତାଙ୍କ ପିତାଙ୍କ ରାଜ୍ୟ ବଡ ଶାନ୍ତିର ସହିତ ଚଳୁଥିଲା ଓ ପଡୋଶୀ ରାଜ୍ୟ ମାନଙ୍କ ସହିତ ତାଙ୍କ ରାଜ୍ୟର ବନ୍ଧୁତାହିଁ ଥିଲା । ଯିଏ ବି ହେଉ ସେ ତାଙ୍କ ପିତାଙ୍କର କିଛି ଅନିଷ୍ଟ କରିବାକୁ ଚାହେଁ ନାହିଁ । ତେଣୁ ସେ ମନେମନେ ଭାବିଲେ, କିଛି ନା କିଛି ସମାଧାନ ତାଙ୍କ ପିତା ଅବଶ୍ୟ କରିବେ, ତେଣୁ ପୂର୍ବରୁ ସ୍ତ୍ରୀଲୋକଟି ଯାହା କହିଛି ସେହି ଅନୁସାରେ ପଳାଇବାକୁ ଚେଷ୍ଟା ନ କରି ଶାନ୍ତ ଭାବରେ ସେ ସେହିଠାରେ ରହିବେ ।
ସକାଳ ହେବାରୁ ସେ ଦେଖିଲେ ପୂର୍ବୋକ୍ତ ସ୍ତ୍ରୀଲୋକଟି ସେଠାକୁ ଆସି ତାଙ୍କୁ ହଲାଇ ଉଠାଇ ଦେଇ କହିଲା, “ମୁଁ ଆଶା କରୁଛି ତୁମର ଭଲ ନିଦ ହୋଇଥିବ ।” ରାଜକୁମାରୀ ସ୍ପଷ୍ଟ ଭାବରେ କହିଲେ “ହଁ, ମୁଁ ଭାବୁଛି ମୁଁ ଶୀଘ୍ର ସ୍ନାନ କଲେ ଭାରି ଭଲ ହୁଅନ୍ତା ।” ସେ ସର୍ବଦା ଏକାନ୍ତରେ ରହି ଭାବିବାକୁ ଚାହୁଁଥିଲେ ।
ସ୍ନାନାଗାରରେ ସେ ଦେଖିଲେ ତାଙ୍କ ପାଇଁ ନାନା ବସ୍ତ୍ର ସବୁ ସୁନ୍ଦର ଭାବରେ ସଜା ହୋଇ ରହିଛି । ସେ ବାହାରକୁ ଆସି ଦେଖିଲେ ଏକପ୍ରକାର ବେଶଭୂଷାରେ ଦୁଇଜଣ ପରିଚାରିକା ତାଙ୍କର ଆଜ୍ଞାବହ ହୋଇ ରହିଛନ୍ତି । ତା’ପରେ ସେ ଦେଖିଲେ ତାଙ୍କ କକ୍ଷଟି ହେଉଛି ଦର୍ପଣ ଘର । କାନ୍ଥବାଡରେ ଦର୍ପଣ ଲଗା ହୋଇଛି । ସେହି କକ୍ଷଟିରେ ଦୁଇଟି ବଡ ବଡ ଝରକା ରହିଛି । ତଦ୍ୱାରା ବାହାରର ବଗିଚା ସବୁ ସୁନ୍ଦର ଭାବରେ ଦେଖା ଯାଉଥାଏ ।
ସେହି ପରିଚାରିକା ମାନଙ୍କ ମଧ୍ୟରୁ ଜଣେ ତାଙ୍କପାଇଁ କିଛି ଖାଦ୍ୟ ନେଇ ଆସିଲା । ବିଦ୍ୟାବତୀ ସେସବୁ ଚୁପ୍ଚାପ୍ ଖାଇ ନେଲେ କାରଣ ସେ ଜାଣିଥିଲେ ଯେ ତାଙ୍କୁ ସେଠାରେ ବେଶ୍ ଯତ୍ନର ସହିତ ରଖାଯାଇଛି । ଖାଇସାରିବା ପରେ ସେ ଗଦି ଉପରେ ଶୋଇ ପଡିଲେ । ସେ କେବଳ ବାହାରକୁ ଦେଖାଇବାକୁ ଆଖି ବନ୍ଦ କରି ଥା’ନ୍ତି । ହେଲେ ଭିତରେ ସେ ବେଶ୍ ଜାଗ୍ରତ ଓ ଯଥେଷ୍ଟ ସଚେତନ ଥିଲେ । କାରଣ କୌଣସି ସମୟରେ କିଛି ନା କିଛି ଘଟିଯାଇପାରେ । ଅନେକ ସମୟ ପରେ ବୃଦ୍ଧା ସ୍ତ୍ରୀଲୋକଟି ସେଠାକୁ ଆସି ରାଜକୁମାରୀଙ୍କୁ କହିଲା, “ମୋ ସହିତ ଆସନ୍ତୁ ଆମେ ଟିକିଏ ଉଦ୍ୟାନରେ ବୁଲି ଆସିବା ।”
ବିଦ୍ୟାବତୀ ତତ୍କ୍ଷଣାତ୍ ବିଛଣାରୁ ଉଠିପଡି ସେ ବୃଦ୍ଧା ସହିତ ବାହାରକୁ ଗଲେ । ପାହାଚରେ ତଳ ମହଲାକୁ ଆସୁଆସୁ ରାଜକୁମାରୀ ଦେଖିଲେ ଚାରିଆଡେ ଖୁବ୍ ସାଜ୍ଜସଜ୍ଜା ଏବଂ ଦର୍ପଣମାନଙ୍କରେ ସେସବୁର ଶହଶହ ପ୍ରତିଫଳନ ।
ଉଦ୍ୟାନରେ ବୁଲିବାରୁ ବିଦ୍ୟାବତୀଙ୍କ ମନ ଟିକେ ଭଲ ଲାଗିଲା । ବୃଦ୍ଧା ସ୍ତ୍ରୀ ସର୍ବଦା ତାଙ୍କ ସହିତ ଥାଏ । ବୃଦ୍ଧା ବୁଲୁବୁଲୁ କୌଣସି ଏକ ସ୍ଥାନରେ ବସିପଡିଲା ହେଲେ ତା’ର ଆଖି ବିଦ୍ୟାବତୀଙ୍କ ଉପରେ ଥାଏ କାରଣ ତା’ର ଭୟ ଥିଲା କାଳେ ବିଦ୍ୟାବତୀ ସେଠାରୁ କୁଆଡେ ପଳାଇବେ ।
ସଂଧ୍ୟା ହେବାରୁ ସେମାନେ ମହଲକୁ ଫେରିଆସିଲେ । ବିଦ୍ୟାବତୀଙ୍କୁ ମନେହେଲା ବୃଦ୍ଧା ତାଙ୍କୁ ତାଙ୍କ ଶୟନ କକ୍ଷରୁ ଅନ୍ୟ କେଉଁଠାକୁ ନେଇଯାଉଛି । ବୃଦ୍ଧା କବାଟ ପାଖରେ ଅଟକି ଗଲା ଓ ଧକ୍କା ମାରି କବାଟଟି ଖୋଲିଲା; ତା’ପରେ ବିଦ୍ୟାବତୀଙ୍କୁ ନେଇ ସେ ଭିତରକୁ ଗଲା । ସେହି କକ୍ଷଟି ପୂର୍ବ କକ୍ଷଭଳି, ସବୁକିଛି ସଜ୍ଜା ହୋଇଥାଏ, ଅଳ୍ପ କିଛି ଭିନ୍ନ ଥିଲା । ସେ ଭାବିଲେ ବୋଧହୁଏ ପରିଚାରିକା ମାନେ ସେପରି କରିଛନ୍ତି । ରାତ୍ରିରେ ଯେଉଁମାନେ ଖାଦ୍ୟ ନେଇ ଆସିଲେ ତାଙ୍କୁ ସେ ପଚାରିବାକୁ ଚାହିଁଲେ, କିନ୍ତୁ ମୁହଁ ବନ୍ଦ କରି ରହିବାକୁ ସେ ଶ୍ରେୟସ୍କର ମଣିଲେ ।