ମହୀପାଳ ସେତେବେଳେ ମଳୟଗିରି ରାଜ୍ୟ ଉପରେ ଶାସନ କରୁଥିଲେ । ଦିନେ ସେ ତାଙ୍କ ଦରବାରରେ ବସିଛନ୍ତି, ଜଣେ କୁବ୍ଜା ବୁଢା ଗୋଟାଏ ସିଢି ଧରି ତାଙ୍କ ଆଗରେ ପହଁଚିଲା ଓ କହିଲା, “ମହାରାଜ! ଏ ସିଢିର ବିଶେଷ ଗୁଣ ଅଛି । ଡାକୁ ମାନସିଂହ ଏହାକୁ ମୋଠୁଁ ଛଡାଇ ନେବାକୁ ବସିଛି । ଆପଣ ଏହାକୁ ରକ୍ଷା କରନ୍ତୁ ।”
ଅବଶ୍ୟ ଡାକୁ ମାନସିଂହ ବିରୁଦ୍ଧରେ ସେତେବେଳକୁ ନାନା ଅଭିଯୋଗ ଆସି ରାଜାଙ୍କ ପାଖରେ ପହଁଚିଥାଏ । କିନ୍ତୁ ଡାକୁ ଗୋଟାଏ ସିଢି ପାଇବା ନିମନ୍ତେ ଲାଳାୟିତ ହେବ, ଏ କଥାରେ ରାଜାଙ୍କର ବିଶ୍ୱାସ ନହେବା ସ୍ୱାଭାବିକ । ବୁଢାକୁ ଧମକ ଦେବା ଭଳି କଣ୍ଠରେ ପଚାରିଲେ, “ତମର ଏ ସିଢି କ’ଣ ଏଡେ ମୂଲ୍ୟବାନ୍? କ’ଣ ଏହାର ଗୁଣ?”
ଏକଥା ଶୁଣି ବୁଢା ଏଣେ ତେଣେ ଅନାଇ କହିଲା, “ମହାରାଜ! ଏହାର ଗୁଣ ଅଛି ବୋଲି ଜାଣି ଡାକୁ ମାନସିଂହ ମୋତେ ହଇରାଣ କରୁଛି । ପୁଣି ଏତେ ଲୋକଙ୍କ ଆଗରେ ଏହାର ଗୁଣ ବଖାଣିବି? ଆପଣଙ୍କୁ ଗୋପନରେ ପାଇଲେ ସିନା କହନ୍ତି?”
ସଭାସଦ୍ମାନେ ବୁଢା ଆଡେ ଅନାଇ ହସିଲେ । କେହି ତା’ କଥାରେ ଗୁରୁତ୍ୱ ଦେଲେ ନାହିଁ ।
ରାଜା ପ୍ରଥମେ ଭାବିଲେ ଏ ବୁଢାଟି ପାଗଳ । ଯାହାହେଉ, ପରେ ସେକଥା ବୁଝିବେ ବୋଲି ମନସ୍ଥ କରି ସେ ସିଢିକୁ ପ୍ରାସାଦର ଗୋଟାଏ କୋଣ ଘରେ ରଖିବାର ବ୍ୟବସ୍ଥା କରିଦେଲେ । ବୁଢା ମଧ୍ୟ ପ୍ରାସାଦରେ ରହିଲା ।
ରାଜା ତା’ପରେ ସେକଥା ଭୁଲିଗଲେ । କିନ୍ତୁ ସେଦିନ ରାତିରେ ମାନସିଂହ ପ୍ରାସାଦରେ ପ୍ରବେଶ କରି ସିଢି ଚୋରି କରି ନେବାର ଚେଷ୍ଟା କଲା । ଅବଶ୍ୟ ସେଥିରେ ସେ ସଫଳ ହେଲା ନାହିଁ, କିନ୍ତୁ ତା’ର ଏଭଳି ଦୁଃସାହସ ଯୋଗୁଁ ରାଜା ବହୁତ ରାଗିଗଲେ ଓ ସ୍ୱୟଂ ତାକୁ ଧରିବା ସକାଶେ ପ୍ରଯତ୍ନ ଆରମ୍ଭ କଲେ । ଡାକୁ ମାନସିଂହ କେଉଁ ବଣରେ ରହେ, ସେକଥା ସେ ଚରମାନଙ୍କଠାରୁ ବୁଝି ନେଲେ । ସେ ନିଜେ ଘୋଡା ଚଢି ସେ ବଣ ଆଡେ ଚାଲିଲେ ।
ବଣ ପାଖରେ କାଠୁରିଆ ଭଳି ଦିଶୁଥିବା ଜଣେ ଲୋକ ସହ ତାଙ୍କର ଭେଟ ହେଲା । କାଠୁରିଆ କହିଲା, “ଆପଣ ମହାରାଜାଟି? ଆପଣଙ୍କୁ ଗୋଟାଏ ଗୁପ୍ତଧନର ସନ୍ଧାନ କିପରି ଦେବି ସେକଥା ଭାବୁଥିଲି । ଅଳ୍ପ ଦୂରରେ ଏ ଯେଉଁ ଗୁମ୍ଫା ଦେଖୁଛନ୍ତି, ତାହାରି ଭିତରେ ବିପୁଳ ସୁନା ରହିଛି ।”
ରାଜା କୌତୁହଳୀ ହୋଇ ସେ କାଠୁରିଆ ସହ ଗୁମ୍ଫା ପାଖକୁ ଗଲେ । ସେ ଯେମିତି ସେ ଗୁମ୍ଫାରେ ପଶିଛନ୍ତି, ସେ ଲୋକ ସେମିତି କୌଶଳରେ ଖଞ୍ଜା ହୋଇଥିବା ଖଣ୍ଡିଏ ପଥର ତଳକୁ ପକାଇ ଦେଇ ଗୁମ୍ଫା ମୁହଁ ବନ୍ଦ କରିଦେଲା ।