ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯାଦୁ ସିଢି

ସେ ଲୋକ ଆଉ କେହି ନୁହେଁ, ଖୋଦ୍ ଡାକୁ ମାନସିଂହ । ରାଜାଙ୍କ ଘୋଡା ଚଢି ସେ ଆସି ପ୍ରାସାଦରେ ପହଁଚି ରାଜାଙ୍କ ସାନ ଭାଇ ରୁଦ୍ରପାଳଙ୍କୁ କିଛି ଗୋପନ କଥା କହିବା ନିମନ୍ତେ ପ୍ରାସାଦ ବାହାରେ ଥିବା ଉଦ୍ୟାନ ଭିତରକୁ ନେଇଗଲା ଓ କହିଲା କି ରାଜା ବଣ ଭିତରେ ଭୀଷଣ ବିପଦରେ ପଡିଥିଲେ ଓ ସେ ତାଙ୍କୁ ରକ୍ଷା କରିଛି । ରାଜାଙ୍କ ଘୋଡା ନେଇ ସେ ତାଙ୍କୁ ସାଙ୍ଗରେ ନେଇଯିବାକୁ ଆସିଛି । ରୁଦ୍ରପାଳ ଖୁସି ହୋଇ ନିଜ ହାରଟି ବାହାର କରି ତାକୁ ଦେଇଦେଲେ ଓ ନିଜ ଘୋଡା ବାହାର କରିବାକୁ ଗଲେ । ଡାକୁ ତତ୍କ୍ଷଣାତ୍ ଘୋଡା ଚଢି ସେଠାରୁ ପଳାଇଗଲା ।

ଡାକୁ ସିଧା ଆସି ସେ ଗୁମ୍ଫା ପାଖରେ ପହଁଚିଲା । ପଥର ଘୁଂଚାଇ ସେ ରାଜାଙ୍କୁ ବାହାର କରି କହିଲା, “ମୁଁ ଆପଣଙ୍କ ସାନଭାଇଙ୍କୁ ଯାଇ ଜଣାଇଲି କି ଆପଣଙ୍କ ମୃତ୍ୟୁ ହୋଇଛି ଏବଂ ଏଣିକି ସେ ରାଜା ହେବେ । ଏହି ଆନନ୍ଦରେ ସେ ତାଙ୍କ ହାରଟି ମୋତେ ଉପହାର ଦେଲେ ।”

ରାଜା ଏହା ଶୁଣି ଏତେ ପ୍ରଚଣ୍ଡ ଖପା ହେଲେ ଯେ ସେ ଡାକୁର ଅପରାଧ ଭୁଲିଯାଇ ସାନଭାଇକୁ ଦଣ୍ଡ ଦେବା ନିମନ୍ତେ ଘୋଡା ଛୁଟାଇ ପ୍ରାସାଦରେ ଆସି ପହଁଚିଲେ । ଦୈବକୁ ପ୍ରାସାଦ ଆଗରେହିଁ ସେ ସିଢିବାଲା ବୁଢା ତାଙ୍କୁ ଦେଖି କହିଲା, “ମହାରାଜ, ବର୍ତ୍ତମାନଠୁଁ ସୂର୍ଯ୍ୟାସ୍ତ ଭିତରେ ସିଢିର ବିଶେଷ ଗୁଣ ପ୍ରକଟ ହେବ । ମାସକରେ ଥରେ ଏପରି ହୁଏ । ବର୍ତ୍ତମାନ ପାଇଁ ଯାହା ଆପଣଙ୍କର ପ୍ରକୃତରେ ହିତକର, ସିଢି ତାହାହିଁ ଆପଣଙ୍କୁ ଦେଖାଇ ଦେବ ।”

ଏହାପରେ ରାଜା ସେ ବୁଢା ସହ ପ୍ରାସାଦ ଭିତରେ ସିଢି ଥିବା ଘର ଭିତରକୁ ଗଲେ । ବୁଢାର ନିର୍ଦ୍ଧେଶ ମୁତାବକ ସେ ସିଢି ଚଢିଲେ । ତା’ର ଶେଷ ପାହାଚକୁ ଯିବା ମାତ୍ରେ ତାଙ୍କ ଆଖିରେ ଏକ ଅଦ୍ଭୁତ ଦୃଶ୍ୟ ଝଟକି ଉଠିଲା । ତାହା ତାଙ୍କ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଘଟିଥିଲା । ପିତା ତାଙ୍କୁ କହୁଥିଲେ, “ଜୀବନରେ କେବେହେଲେ ନ ବୁଝି ନ ଚିନ୍ତି କିଛି କାମ କରିବୁ ନାହିଁ । ବିଶେଷତଃ ତୁ ତୋ ସାନଭାଇକୁ ସବୁବେଳେ ସ୍ନେହପୂର୍ଣ୍ଣ ଆଖିରେ ଦେଖୁଥିବୁ ।”

ରାଜା ସିଢିରୁ ଅବତରଣ କରି ସାନଭାଇକୁ ଭେଟି ତାହାଠୁଁ ସବୁ ଶୁଣିଲେ । ସେ ଅଜ୍ଞାନବଶତଃ ତାକୁ ଦଣ୍ଡ ଦେବାକୁ ଯାଉଥିଲେ ଏହା ଜାଣି ସେ ତାଙ୍କ ମନେ ମନେ ବହୁତ ଗ୍ଳାନି ଅନୁଭବ କଲେ ।

କିନ୍ତୁ ପରେ ପରେ ସେ ଗୋଟିଏ ଅପ୍ରତ୍ୟାଶିତ କାମ କଲେ । ବୁଢା ଆଡେ ବୁଲିପଡି ସେ କହିଲେ, “ତମେ ତମ ସିଢି ଧରି ଏହିକ୍ଷଣି ଏଠାରୁ ବାହାରି ଯାଅ ।”

ବୁଢା ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମହାରାଜ! ଇଏ ଆପଣ କ’ଣ କହୁଛନ୍ତି? ଏହି ସିଢିର ଅଲୌକିକ ଗୁଣ କ’ଣ ଆପଣଙ୍କୁ ଆଦୌ ବିସ୍ମିତ କରୁନାହିଁ?”

ରାଜା ଧମକ ଦେଇ କହିଲେ “ବର୍ତ୍ତମାନ ଯାଉଛ ନା ମରିବ?”

ରାଜାଙ୍କ କଡା ହୁକମ୍ରେ ବୁଢା ସିଢି ଧରି ପ୍ରାସାଦରୁ ବାହାରିଗଲା । ରାଜା ସଙ୍ଗେ ସଙ୍ଗେ ତାଙ୍କ ସେନାପତିଙ୍କୁ ଡାକି ଗୋପନରେ କ’ଣ ସବୁ ନିର୍ଦ୍ଧେଶ ଦେଲେ । ସେନାପତି ତରବରରେ ଯାଇ କେତେଜଣ ସୈନିକଙ୍କ ସହ ଭିନ୍ନ ରାସ୍ତାରେ ଘୋଡା ଛୁଟାଇ ଚାଲିଗଲେ ।

ବୁଢା ସିଢି ସହ ଯେମିତି ଯାଇ ଗୋଟିଏ ନିର୍ଜନ ସ୍ଥାନରେ ପହଁଚିଛି, ସେମିତି ଡାକୁ ମାନସିଂହ ଆସି ସିଢି ତାହାଠୁଁ ଛଡାଇ ନେଲା । ସେ ଜାଣିଥିଲା କି ସୂର୍ଯ୍ୟାସ୍ତ ପୂର୍ବରୁ ସିଢି ତାକୁ କିଛି ନା କିଛି ହିତକର ଜ୍ଞାନ ଅବଶ୍ୟ ଦେବ । ସେ ସିଢିଟି ନିକଟବର୍ତ୍ତୀ ଗୋଟିଏ ଗଛରେ ଆଉଜାଇ ଶେଷ ପାହାଚକୁ ଉଠିଯିବା ମାତ୍ରେ ଦେଖିଲା, ଚାରିଆଡୁ ଧନୁତୀର ଉଦ୍ୟତ କରି ଚାରିଜଣ ସୈନିକ ତା’ଆଡକୁ ମାଡି ଆସୁଛନ୍ତି । ସେ ସତରେ ଅନାଇ ଦେଖିବା ବେଳକୁ ସେନାପତିଙ୍କ ସହ ସୈନିକମାନେ ତାକୁ ଧରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।

ସେ ପଳାଇବାକୁ ବାଟ ନ ପାଇ ଗଛ ତଳକୁ ଆସି ବୁଢା ଗୋଡତଳେ ପଡି ତାକୁ ରକ୍ଷା କରିବାକୁ ବିନତି କଲା । ସେନାପତି ଓ ସୈନିକମାନେ ଆସି ତାକୁ ଧରିନେଲେ । ତାକୁ ସଙ୍ଗେ ସଙ୍ଗେ ଫାସିରେ ଲଟକାଇବା ନିମନ୍ତେ ରାଜାଙ୍କ ନିର୍ଦ୍ଧେଶ ଥିଲା । କିନ୍ତୁ ବୁଢା କଥାରେ ସେମାନେ ତାକୁ ରାଜାଙ୍କ ପାଖକୁ ନେଇଗଲେ । ମାନସିଂହ ଦସ୍ୟୁବୃତି ଛାଡି ରାଜାଙ୍କ ପାଖରେ ଚାକିରୀ କଲା । ରାଜା ବୁଢାକୁ ବହୁତ ପୁରସ୍କାର ଦେଲେ ଓ ହସି ହସି କହିଲେ, “ତମକୁ କାହିଁକି ତଡିଥିଲି ଏଥର ସେକଥା ବୁଝିଲ ତ?”

ବୁଢା ତା’ମନେ ମନେ ସେ ରାଜାଙ୍କର ଅନେକ ପ୍ରଶଂସା କଲା । ସିଢି ସହ ତାକୁ ଏକୁଟିଆ ଦେଖିଲେ ମାନସିଂହ ନିଶ୍ଚୟ ଆସି ପହଁଚିବ, ରାଜା ଏହା ଜାଣି ମାନସିଂହକୁ ଧରିବା ନିମନ୍ତେ ତାକୁ ସେଠାରୁ ତଡି ଦେଇଥିଲେ । ମାନସିଂହ ଯେ ଖାଲି ଦସ୍ୟୁ ହିସାବରେ ଭୀଷଣ ଥିଲା, ତାହା ନୁହେଁ, ବରଂ ସେ ତା’ର ମାରାତ୍ମକ ବୁଦ୍ଧି ଯୋଗୁଁ ରାଜା ଓ ତାଙ୍କ ଭାଇଙ୍କ ଭିତରେ ମନାନ୍ତର ସୃଷ୍ଟି କରିବାକୁ ବସିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ