ଏ କଥା ଶୁଣିବା ପରେ ଯୁଧିଷ୍ଠିର ଯାଇ ବୁଝିଲା ବେଳକୁ ଭକ୍ତ ମୋଚି ବାଲ୍ମୀକଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବାର ଜାଣି ଅତ୍ୟନ୍ତ ଦୁଃଖରେ ସେ ଭାଙ୍ଗି ପଡିଲେ । ତାହା ପରେ ସେ ଏହି ବିଷୟ ପାଇଁ ଭୀମସେନଙ୍କୁ ଦାୟିତ୍ୱ ଦେଲେ । ଭୀମସେନ ଯାଇ ପହଁଚି ସମସ୍ତ ବିଷୟ ଅବଗତ କରାଇ ବିନମ୍ରତାର ସହ ସେ ଭକ୍ତ ମୋଚି ବାଲ୍ମୀକଙ୍କୁ ଅନୁରୋଧ କରି ନେଇ ଆସି ଭୋଜନରେ ତାଙ୍କୁ ଆପ୍ୟାୟିତ କଲେ । ସେଥିରେ ମଧ୍ୟ ଭୀମସେନଙ୍କ ଶଙ୍ଖ ବାଜିଲା ନାହିଁ । ତେଣୁ ସମ୍ରାଟ୍ ଯୁଧିଷ୍ଠିର ପୁଣି ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଦତଳେ ପଡିଲେ ।
ସଖା କୃଷ୍ଣ ଧର୍ମରାଜଙ୍କ ଠାରୁ ଏହା ଶୁଣିବା ପରେ ପୁଣି ଥରେ ହସି ଉଠିଲେ । ତା’ପରେ ସେ କହିଲେ, ‘ଧର୍ମରାଜ ! ମୋର ମନେହୁଏ ଅତିଥିଙ୍କର ଉପଯୁକ୍ତ ସେବା କରାଯାଇ ନାହିଁ । ଯଦି ହୋଇ ନଥାଏ, ତେବେ ଆପଣ ଆପଣଙ୍କ ପତ୍ନୀ ଦ୍ରୌପଦୀଙ୍କ ସହ ଯାଇ ତାଙ୍କର ଯଥାର୍ଥ ସେବା କରିବାର ବନ୍ଦୋବସ୍ତ କରନ୍ତୁ । ଏହା ଶୁଣିବା ପରେ ମହାରାଜ ଯୁଧିଷ୍ଠିର ତାଙ୍କ ପତ୍ନୀ ଦ୍ରୌପଦୀଙ୍କ ପାଖକୁ ଯାଇ ତାଙ୍କୁ ଏ ସମସ୍ତ ବିଷୟ ଜଣାଇବା ଦ୍ୱାରା ସେ ବି ଖୁବ୍ ମର୍ମାହତ ହେଲେ । ସେ ସଖା କୃଷ୍ଣଙ୍କ ଉପଦେଶ ଅନୁସାରେ ମହାରାଜ ଯୁଧିଷ୍ଠିରଙ୍କ ସହିତ ଅତିଥିଙ୍କ ପାଖରେ ଯାଇ ପହଁଚିଲେ । ମହାରାଜ ଯାଇ ଭକ୍ତ ମୋଚି ବାଲ୍ମୀକଙ୍କ ପାଦ ଦ୍ୱୟ ଧୋଇ ଦେବା ପରେ ରାଣୀ ଦ୍ରୌପଦୀ ନିଜ ପଣତରେ ଅତିଥିଙ୍କର ପାଦ ଦୁଇଟି ଅତି ଯତ୍ନର ସହିତ ପୋଛି ଦେବା ସମୟରେ ବାଲ୍ମୀକ କହିଲେ, ‘ଆପଣମାନେ ଆଜି ହସ୍ତୀନାର ରାଜାରାଣୀ ହୋଇ ମୋ’ ପରି ଜଣେ ସାମାନ୍ୟ ଚର୍ମକାରଙ୍କ ସେବା କରି ମୋତେ ଅପରାଧୀ କରି ଦେଉଛନ୍ତି । ଆଉ କାହିଁକି ବା ଏମିତି କରୁଛନ୍ତି, ମୁଁ ତ କିଛି ବି ବୁଝି ପାରୁନାହିଁ । ତହୁଁ ମହାରାଜ ଯୁଧିଷ୍ଠିର କହିଲେ, ‘ହେ ମହାଭାଗ ! ଆମେ ଆପଣଙ୍କୁ ନ ଜାଣିପାରି ବହୁ ଦୁଃଖିତ । ସେଥିପାଇଁ ଆମେ ବି ଆପଣଙ୍କ ପାଖରେ କ୍ଷମାପ୍ରାର୍ଥୀ । ଦୟାକରି ଆମର ଦୋଷ ପାଇଁ ଆମକୁ କ୍ଷମା କରିଦିଅନ୍ତୁ ।’