ଆକବରଙ୍କ ଦରବାରରେ ଯେତେଜଣ ମନ୍ତ୍ରୀ ଥିଲେ, ସେମାନେ ମହାରାଜଙ୍କର ବିରବଲଙ୍କ ପ୍ରତି ଏକତରଫା ଆଦର ଦେଖି ବେଳେବେଳେ ଈର୍ଷା କରୁଥିଲେ । କେମିତି ସୁବିଧା ସୁଯୋଗ ଦେଖି ବିରବଲଙ୍କର କାର୍ଯ୍ୟରେ ତ୍ରୁଟି ବାହାର କରି ମହାରାଜଙ୍କୁ ଜଣାଇବା ପାଇଁ ସେମାନେ ଇଚ୍ଛା କରୁଥାଆନ୍ତି । ଆକବରଙ୍କ ଦରବାରରେ ‘ଅବ୍ଦୁଲ୍ କରିମ୍’ ନାମକ ଜଣେ ମନ୍ତ୍ରୀ ଥିଲେ । ତାଙ୍କର ଗୋଟେ ଆଖିକୁ ଦେଖାଯାଉନଥାଏ । ସେ ମନେ ମନେ ବିରବଲଙ୍କ ଉପରେ ଖୁବ୍ ରାଗୁଥାଆନ୍ତି । କେମିତି ରାଜାଙ୍କୁ ତାଙ୍କ ବିରୋଧରେ କହି ତାଙ୍କୁ ଅପମାନିତ କରିବେ ସେହି ଅପେକ୍ଷାରେ ଥାଆନ୍ତି । ଦିନେ ଅବ୍ଦୁଲ୍ କରିମ୍ ଦରବାରକୁ ଆସିବା ସମୟରେ ଦେଖିଲେ ବିରବଲ ରାଜ ପ୍ରାସାଦ ପାଖରେ ଠିଆ ହୋଇ ପ୍ରାସାଦର କାନ୍ଥରେ ପାନ ପିକ ପକାଉ ଅଛନ୍ତି । ଏହା ଦେଖି ଅବ୍ଦୁଲ୍ କରିମ୍ ସଂଗେ ସଂଗେ ରାଜାଙ୍କ ପାଖରେ ପହଁଚି କହିଲେ, “ମହାରାଜ ! ମୁଁ ଆଜି ଆପଣଙ୍କୁ ଏକ କଥା କହିବା ପାଇଁ ଆସିଛି । କଥାଟି ନିଚ୍ଛକ ସତ୍ୟ । ମୁଁ ପ୍ରାସାଦକୁ ଆସିବା ସମୟରେ ଦେଖିଲି ଆପଣଙ୍କ ପ୍ରିୟମନ୍ତ୍ରୀ ବିରବଲ ରାଜ ପ୍ରାସାଦର କାନ୍ଥରେ ପାନ ପିକ ପକାଉଅଛନ୍ତି । ଯାହା ଦ୍ୱାରା କି ପ୍ରାସାଦର କାନ୍ଥ ଅସୁନ୍ଦର ଦେଖାଯାଉଛି ।”
ଅବ୍ଦୁଲ୍ କରିମ୍ଙ୍କ ଅଭିଯୋଗ ଶୁଣିବାପରେ, ରାଜା ବିରବଲ ଦରବାରକୁ ଆସିବା ପରେ କହିଲେ, “ବିରବଲ! ତୁମ ବିରୋଧରେ ଅବ୍ଦୁଲ୍ କରିମ୍ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗଟି ହେଲା ଯେ ତୁମେ ରାଜ ପ୍ରାସାଦର କାନ୍ଥରେ ପାନପିକ ପକାଇଛ । ପାନପିକ ସେହି ଠାରେ ପକାଇବା ଉଚିତ୍ ଯେଉଁ ସ୍ଥାନ ଅପରିଷ୍କାର ହୋଇଥିବ । ପାନପିକ ପରିଷ୍କାର ସ୍ଥାନ କିମ୍ବା ଘରର କାନ୍ଥ ଉପରେ ପକାଯାଏ ନାହିଁ । ତେଣୁ ତୁମେ ଆଜିଠାରୁ ଆଉ ଏପରି ଭୁଲ୍ କରିବ ନାହିଁ ।” ମହାରାଜଙ୍କ କଥା ଶୁଣି ବିରବଲ ତାଙ୍କ କଥାରେ ‘ହଁ’ ମାରିଲେ । କିନ୍ତୁ ମନେ ମନେ କିପରି ଅବ୍ଦୁଲ୍ କରିମ୍ଙ୍କ ଉପରେ ପ୍ରତିଶୋଧ ନେବେ ଚିନ୍ତା କରୁଥାଆନ୍ତି । ରାଜା ମଧ୍ୟ ବିରବଲଙ୍କୁ ତାଙ୍କ ଦୋଷ ସୂଚାଇ ଦେବା ପରେ ରାଜ୍ୟର ସମସ୍ୟାବଳୀ ସଂପର୍କରେ ଆଲୋଚନା କରିବାକୁ ଲାଗି ପଡିଲେ । ଦିନେ ଦୁଇଦିନ ବିତିଗଲା । ଦିନେ ଅବ୍ଦୁଲ୍ କରିମ୍ ରାଜପ୍ରାସାଦକୁ ଆସୁଥାଆନ୍ତି । ବିରବଲ ପ୍ରାସାଦର ଛାତ ଉପରେ ଠିଆ ହୋଇ କରିମ୍ଙ୍କର ଯେଉଁ ଆଖିଦୁଇଟି ଦେଖାଯାଉନଥାଏ । ସେହି ଆଖି ଉପରକୁ ପାନପିକ ପକାଇଦେଲେ ।
ବିରବଲଙ୍କର ଏପରି କୁକାର୍ଯ୍ୟ ହେତୁ କରିମ୍ ରାଗିଯାଇ ପୁଣି ଥରେ ରାଜାଙ୍କ ନିକଟରେ ପହଁଚିଗଲେ ଓ ମହାରାଜଙ୍କୁ ସବୁ କଥା କହିଦେଲେ । ଆକବର ମଧ୍ୟ ବିରବଲଙ୍କର ଏ ପ୍ରକାର କାର୍ଯ୍ୟରେ ଖୁବ୍ ରାଗିଗଲେ । ବିରବଲଙ୍କୁ ସଂଗେ ସଂଗେ ଦରବାରକୁ ଡକାଇଲେ । ବିରବଲ ଦରବାରକୁ ଆସିବାପରେ ତାଙ୍କର ଏ ପ୍ରକାର କାର୍ଯ୍ୟ ସଂପର୍କରେ ପଚାରିଲେ । ବିରବଲ ଚଟାପଟ୍ ଉତ୍ତର ଦେଲେ, “ମହାରାଜ! ଆପଣଙ୍କ କଥା ଅନୁଯାୟୀ ମୁଁ ତ କାର୍ଯ୍ୟ କରିଛି । ଆପଣ ତ’ କହିଥିଲେ ଯେଉଁ ସ୍ଥାନ ଅପରିଷ୍କାର ହୋଇଥିବ ବା, କୌଣସି କାର୍ଯ୍ୟରେ ଲାଗୁନଥିବ ସେଠାରେ ତୁମେ ପାନପିକ ପକାଇବ । ମୁଁ ତ’ ଆପଣଙ୍କ କଥା ଅନୁଯାୟୀ କାର୍ଯ୍ୟ କରିଛି । ମୋର ଭୁଲ୍ ରହିଲା କେଉଁଠି?”
ବିରବଲଙ୍କ କଥା ଶୁଣି ଆକବର ନୀରବ ରହିଲେ ମଧ୍ୟ ମନେ ମନେ ବିରବଲଙ୍କ ବୁଦ୍ଧିକୁ ପ୍ରଶଂସା କରୁଥିଲେ ।