ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

ଆଦିବାସୀ ଗ୍ରାମରେ ସୁଦାମ ନାମକ ଚାଷୀଟିଏ ଥାଏ । ତା’ର ସ୍ତ୍ରୀ ମରିଯାଇଥାଏ । ଲାଟୁ ନାମରେ ତା’ର ପୁଅଟିଏ ଥାଏ । ସେ ପୁଅଟି ଏତେବି ବୁଦ୍ଧିଆ ନୁହେଁ । ପୁଅଟି ବଡ ହୋଇ ବାହା ହେଲା । ବୋହୁଟି କିନ୍ତୁ ଭାରି ବୁଦ୍ଧିଆ, ତା’ ନାମ ହେଲା ଶୀଲା ।

                ଦିନେ ଲାଟୁ ବାଡିରେ ବସି କାଠ କାଟୁଛି, ତିନିଜଣ ଭୟଙ୍କର ମୋଟା ମୋଟା ଲୋକ ଆସି ତାକୁ କହିଲେ, “ଭାଇ, ତୁମକୁ ଆମ ରାଜା ଡକେଇ ପଠେଇଛନ୍ତି । ସେ ସାରା ସମୁଦ୍ରର ରାଜା । ତୁମକୁ ଆମ ସହିତ ଯିବାକୁ ହେବ ।”

                ଲାଟୁ ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ତୁମ ରାଜାଙ୍କର ମୋ ପାଖରେ କ’ଣ କାମ ଅଛି?”

                ସେମାନେ କହିଲେ, “ରାଜା ଶୁଣିଛନ୍ତି ତମେ କୁଆଡେ ଏ ରାଜ୍ୟରେ ସବୁଠାରୁ ବୁଦ୍ଧିମାନ ଲୋକ । ତେଣୁ ବୋଧହୁଏ ସେ ତୁମକୁ ତାଙ୍କ ଦରବାରରେ ରଖିବାକୁ ଚାହାଁନ୍ତି ।”

                ଲାଟୁ କହିଲା “ଦେଖ ଭାଇ, ବୁଦ୍ଧି ଯୋଗୁଁ ତ ମୋ ବାପା ପ୍ରସିଦ୍ଧ । ସେ ଟିକିଏ କ୍ଷେତରୁ ଆସିଯା’ନ୍ତୁ ତମେମାନେ ତାଙ୍କ ସହ କଥାବାର୍ତ୍ତା କରିବ ।”

ତିନିଜଣଙ୍କ ମଧ୍ୟରୁ ଜଣେ କହିଲା “ଆଚ୍ଛା, ଆଚ୍ଛା, ତେବେ ତ ବେଶ୍ ହେଲା । ଦୁହେଁ ଗଲେ ତ ଦରବାରରେ ଚାକିରୀ ପାଇବ । ଦେଖ, ଆମ ପାଖରେ ଆଉ ବିଲ୍କୁଲ୍ ସମୟ ନାହିଁ । ତୁମେ ତୁମ ବାପାଙ୍କୁ ଧରି କାଲି ସକାଳେ ନଦୀ ଘାଟକୁ ଆସିଯିବ । ସେଠାରେ ଆମେ ନୌକା ରଖି ତୁମ ଦୁହିଁଙ୍କ ଅପେକ୍ଷାରେ ଥିବୁ ।”

ତା’ପରେ ସେଠୁ ସେମାନେ ଚାଲିଗଲେ ।

ସେହିଦିନ ରାତିରେ ଲାଟୁ ତା’ ବାପା ସୁଦାମକୁ ସବୁ କଥା କହିଲା । ଶେଷରେ ସେ କହିଲା, “ବାପା, ଏହା ତ ଏକ ସୁବର୍ଣ୍ଣ ସୁଯୋଗ । କାଠକଟା, ମାଟିହଣା ଅପେକ୍ଷା ଏକାବେଳେ ଦରବାରରେ ଯାଇ ଚାକିରୀ ପାଇବା! ବାଃ କି ମଜା ।”

ସୁଦାମ ପଚାରିଲା “ଆଚ୍ଛା ଲାଟୁ, ସେମାନେ ରାଜାଙ୍କର କୌଣସି ଚିହ୍ନ ସାଥିରେ ଆଣିଥିଲେ?”

ଲାଟୁ କହିଲା “ନା ତ! ତେବେ ସେଥିରେ ଆମର କ’ଣ ଅଛି? ସକାଳେ ତ ଆମେ ଘାଟ ପାଖରେ ପହଁଚି ଯିବା ଓ ନୌକା ଚଢି ରାଜାଙ୍କ ପାଖକୁ ଯିବା! ଅସୁବିଧା ଆଉ କ’ଣ?”

“ମୁଁ ଏତେବାଟ ଚାଲିକରି କେବେବି ଯାଇପାରିବି ନାହିଁ । ତୁ ମୋ ଶ୍ରମ ଲାଘବ କରିବାର କିଛି ଉପାୟ କଲେ ଯାଇ ମୁଁ ସେଠାକୁ ଯାଇ ପାରେ ।” ଏତିକି କହି ସୁଦାମ ତା’ ଗୋଡ ହାତ ଲମ୍ବାଇ ଶୋଇଗଲା ।

ତା’ପରେ ଲାଟୁ ଶୀଲାକୁ ସବୁକଥା ଗପିଲା; ପୁଣି ପଚାରିଲା, “ବାପାଙ୍କୁ ଘାଟ ପାଖକୁ ନେବାର ତୁମେ କିଛି ଉପାୟ କହିପାରିବ?”

ଶୀଲା କହିଲା “ବହୁତ ସହଜ ଉପାୟ ଅଛି । ତମେ ଗଲାବେଳେ କୌଣସି ଗଳ୍ପ ବା କାହାଣୀ କହି କହି ରାସ୍ତାରେ ଯିବ । ତେବେ ଯାଇ ଚାଲିବାର ଶ୍ରମ ଆଉ ବାଧିବ ନାହିଁ ।”

ସକାଳୁ ଉଠି ସେ ବାପ ପୁଅ ଦୁହେଁ ଅଳ୍ପ କିଛି ଖାଇ ନେଇ ନଦୀ ଘାଟ ଆଡକୁ ଚାଲିଲେ । ବାଟରେ ଲାଟୁ ଏକ କାହାଣୀ ଶୁଣାଇଲା । ବହୁତ ଶୀଘ୍ର ସେମାନେ ସେଠାରେ ଯାଇ ପହଁଚିଗଲେ । ସେଠାରେ ଦେଖିଲେ ନୌକାଟିଏ ବନ୍ଧା ହୋଇଛି ଓ ସେହି ତିନିଜଣ ଲୋକ ଅପେକ୍ଷା କରିଛନ୍ତି ।

ସୁଦାମ ପଚାରିଲା “ଲାଟୁ, ଏ ନୌକା ତ ରାକ୍ଷସମାନଙ୍କର ପରି ଲାଗୁଛି ।”

ସେମାନଙ୍କ ମଧ୍ୟରୁ ଜଣେ କହିଲା “ଆମ ନୌକାମାନଙ୍କ ମଧ୍ୟରୁ ଏଇଟି କ୍ଷୀପ୍ର ଗତିରେ ଚାଲେ ବୋଲି ରାଜା ଏଇଟିକୁ ଆମ ସହିତ ପଠାଇଛନ୍ତି ।”

ବାପ ପୁଅ ଦୁହେଁ ନୌକାରେ ବସିବା ପରେ ନୌକା ଜୋର୍ରେ ଚାଲିଲା । କିଛି ସମୟ ପରେ ଏହା ଏକ ଜନମାନବିହୀନ ଦ୍ୱୀପରେ ଲାଗିଲା । ସେଠାରେ କୌଣସି ଗଛଲତା ନାହିଁ । ଏଣୁ ସେହି ସ୍ଥାନଟି ଖାଲି ମରୁଭୂମି ପରି ପଡି ରହିଛି । ଏସବୁ ଘଟଣା ଦେଖି ସେ ବାପ ପୁଅ ଦୁହେଁ ଭଲ ଭାବରେ ଜାଣିଗଲେ ଯେ ସେମାନେ ରାକ୍ଷସମାନଙ୍କ ହାବୁଡରେ ଆସି ପଡିଛନ୍ତି । କିନ୍ତୁ କିଛିବି କରିବାର ଉପାୟ ନାହିଁ ।

ସେ ଭୀଷଣ ଲୋକ ତିନୋଟି ଏମାନଙ୍କୁ ନେଇ ରାକ୍ଷସ ରାଜାଙ୍କ ପାଖରେ ହାଜର୍ କରାଇଲେ । ସେ ରାଜା ଜଣକ ଦେଖିବାକୁ ଆହୁରି କୁତ୍ସିତ କଦାକାର ଥିଲେ ।

ସୁଦାମ ରାଜାଙ୍କୁ ପଚାରିଲା “ଆପଣ ଆମକୁ କାହିଁକି ଡକେଇଥିଲେ?”

ରାଜା କହିଲେ “ସେମିତି କିଛି ବଡ କଥା ନୁହେଁ । ତେବେ ଆମର ଏକ ବଡ ହାଣ୍ଡି ଅଛି । ତା’ ତଳେ ଚୁଲିରେ ଟିକେ ନିଆଁ ଧରେଇ ଦେବ । ଆମେ କେହି ମଧ୍ୟ ତାହା କରି ପାରୁନାହୁଁ । ହଁ, କରିଦେବ ତ ଭଲ, ନ ହେଲେ ତମେମାନେ ଆଉ ଏଠୁ ଜୀବନ ନେଇ ଫେରିବ ନାହିଁ ।”

ସୁଦାମ କହିଲା “ପ୍ରଥମେ ଆମକୁ ହାଣ୍ଡି ଓ ଚୁଲି ଦେଖାଇ ଦିଅନ୍ତୁ । ପରେ ଆମେ ଯାହା କରିବୁ ।”

                ରାଜାଙ୍କ ଆଜ୍ଞାରେ କେତେକ ରାକ୍ଷସ ସେମାନଙ୍କୁ ଗୋଟିଏ ବଡ ଘରକୁ ନେଇଗଲେ । ସେଠାରେ ଏକ ବିରାଟ ସୁସଜ୍ଜିତ ହାଣ୍ଡି ଚୁଲି ଉପରେ ବସିଛି । ଚୁଲିରେ କେହି ନିଆଁ ଧରାଇ ପାରୁ ନାହାଁନ୍ତି । ସୁଦାମ ଓ ଲାଟୁ ତହିଁ ଭିତରେ ରହିଲେ ଓ ରାକ୍ଷସମାନଙ୍କୁ ସେଠାରୁ ବାହାରି ଯିବାକୁ କହି ଭିତରୁ ଦ୍ୱାର ବନ୍ଦ କଲେ ।

                ତା’ପରେ ସୁଦାମ ଲାଟୁକୁ କହିଲା, “ଚିହ୍ନି ପାରୁଛୁ? ଏହା ହେଉଛି ଅକ୍ଷୟ ପାତ୍ର । ଆମ ରାଜାଙ୍କର ଥିଲା । ତହିଁରୁ ଯେତେ ଖାଇଲେ ବି ତାହା କେବେବି ସରିବ ନାହିଁ । ରାକ୍ଷସମାନେ ଏହାକୁ ଚୋରୀ କରି ଆଣିଛନ୍ତି । ଏବେ ଆମେ ଏମାନଙ୍କ ହାବୁଡରୁ କିପରି ରକ୍ଷା ପାଇବା?”

                ଦୁହେଁ ବସି ଚିନ୍ତା କଲେ । ସୁଦାମ କହିଲା, “ମୁଁ କିଛି ଗୋଟେ ଉପାୟ ନିଶ୍ଚୟ କରିବି ।” ତା’ପରେ ସେ ରାକ୍ଷସମାନଙ୍କୁ ଡାକି କହିଲା, “ତମେମାନେ ଯାଇ ଆମ୍ବ, ତେନ୍ତୁଳି, ଜାମୁ, ଦେବଦାରୁ, ଶାଳ, ବର, ପୋଲାଙ୍ଗ ଇତ୍ୟାଦି ଗଛର କାଠ ନେଇ ଆସ । ଆମେ ଚେଷ୍ଟା କରିବା । ଆଉ ତତ୍ସହିତ ଝକମକି ପଥର ଓ କିଛି ଲୁହାର ଗୁଣ୍ଡ ମଧ୍ୟ ଆଣିବ ।”

                ରାକ୍ଷସମାନେ ଯାଇ କାଠ ବିଷୟରେ ରାଜାକୁ କହିବାରୁ ସେ କହିଲେ, “ତମେମାନେ କ’ଣ ଏତେ ବୋକା? ଆମ ରାଜ୍ୟ ଏଇ ଦ୍ୱୀପଟାରେ ଗଛଲତା କିଛି ନାହିଁ । ମରୁଭୂମି ପରି ପଡିଛି । ଏତେ କାଠ ମୁଁ କାହୁଁ ଆଣିବି?”

                ଠିକ୍ ସେତିକିବେଳେ ସୁଦାମ ଆସି ରାଜାଙ୍କୁ କହିଲା, “ମହାରାଜ, ଆମ ଦେଶରେ ଏସବୁ ଅତି ସହଜରେ ମିଳିବ । ଆପଣଙ୍କ ଆଦେଶ ହେଲେ ଆମେ ସେଠାରୁ ଏସବୁ ଜିନିଷ ଅତି ଶୀଘ୍ର ନେଇ ଆସନ୍ତୁ ।”

ରାଜା ତତ୍କ୍ଷଣାତ୍ ଆଜ୍ଞା ଦେଲେ କି କେତେକ ରାକ୍ଷସ ଯାଇ ସୁଦାମ କହିବା ମୁତାବକ କାଠ ତା’ରି ଘରୁହିଁ ନେଇ ଆସିବେ ।

ସୁଦାମ କହିଲା, “କିନ୍ତୁ ମୋ ବୋହୁ ତ ଏମାନଙ୍କୁ ଆଦୌ ବିଶ୍ୱାସ କରିବ ନାହିଁ । କାହିଁକିନା ସେ ତ ଆଉ ଆମମାନଙ୍କ ଭଳି ଏତେ ବୁଦ୍ଧିମାନ ନୁହେଁ! ତେବେ ତା’ର ଗୋଟିଏ ଭଲ ଗୁଣ ଅଛି । ସେ ଯାହାଠିଁ ରାଜଲକ୍ଷଣ ଥିବ, ତାକୁ ଚିହ୍ନି ଦେବ । ଆପଣ ଯଦି ଆପଣଙ୍କ ପୁଅକୁ ପଠାଇ ଦିଅନ୍ତେ, ତେବେ ସେ ସବୁ କାଠ ଦେଇ ଦିଅନ୍ତା ।” ବୋହୁକୁ କହିବେ ଆମେ ଦୁହେଁ ଆପାତତଃ ଛୋଟା ହୋଇ ଯାଇଛୁ ବୋଲି ଯାଇ ପାରିଲୁ ନାହିଁ ।”

ରାଜା ତା’ କଥାରେ ରାଜି ହୋଇ ନିଜ ପୁଅକୁ ସେ ତିନି ରାକ୍ଷସଙ୍କ ସହ ସୁଦାମ ଘରକୁ ପଠାଇଲେ । ସେମାନେ ସେ ଦେଶରେ ପହଁଚି ସୁଦାମ ଘରକୁ ଗଲେ ଓ ଶୀଲାକୁ ସବୁ କଥା କହିଲେ । ଶୀଲା ସବୁ କିଛି ବୁଝିନେଲା ଓ ବୁଦ୍ଧିର ସହିତ କାମ କଲା । ସେ ରାକ୍ଷସରାଜର ପୁଅକୁ କହିଲା, “ତମେ ଏପଟେ ଆସ । ଆମର ଗୋଟାଏ ସମ୍ପୂର୍ଣ୍ଣ ଘର ନାନା ରକମ କାଠରେ ଭରା । ତମର ଯାହା ଯାହା ସବୁ ଦରକାର ସେଇଠାରୁ ବାଛି ନିଅ ।” ଘର ଅନ୍ଧାର ଥିଲା । ରାକ୍ଷସ ରାଜାର ପୁଅ ସେ ଘରେ କାଠ ଦେଖିବାକୁ ପଶିବା ମାତ୍ରେ ଶୀଲା ଘରଟିକୁ ବନ୍ଦ କରି ବାହାରୁ ତାଲା ଦେଇଦେଲା ।

ଶୀଲା ଝରକା ଦେଇ ସେ ରାକ୍ଷସ-ରାଜପୁତ୍ରଙ୍କୁ କହିଲା “ମୋ ସ୍ୱାମୀ ଓ ଶ୍ୱଶୁର ଯେମିତି ଛୋଟା ହୋଇଛନ୍ତି, ତମେ ବି ବର୍ତ୍ତମାନ ଠିକ୍ ସେମିତି ଛୋଟା ବୋଲି ଜାଣ!”

ତା’ପରେ ବାହାରକୁ ଆସି ରାକ୍ଷସ ନାବିକମାନଙ୍କୁ ଡାକି ଶୀଲା କହିଲା, “ଦେଖ, ତୁମ ରାଜପୁତ୍ର ଘରେ ଥିବାବେଳେ ଘର ହଠାତ୍ ବନ୍ଦ ହୋଇଗଲା ଓ ତାଲା ମଧ୍ୟ ପଡିଗଲା । ମୁଁ କିଛି କରିନାହିଁ । ତେବେ ଯେତେ ଚେଷ୍ଟା କଲେ ମଧ୍ୟ ତାହା ମୋଟେ ଖୋଲୁନାହିଁ । ଚାବି ତ ମୋର ସ୍ୱାମୀ ଓ ଶ୍ୱଶୁରଙ୍କ ପାଖରେ ଅଛି । ଏବେ କ’ଣ କରାଯିବ? ଆଗ ସେମାନଙ୍କୁ ଯାଇ ଆଣ । ନହେଲେ ଏଠାରୁ ରାଜପୁତ୍ର ଆଉ କେବେବି ଫେରି ପାରିବେ ନାହିଁ ।” ସେମାନେ ଏଭଳି ପରିସ୍ଥିତିର ଗୁରୁତ୍ୱ ବୁଝି ଶୀଘ୍ର ରାକ୍ଷସ ରାଜା ପାଖକୁ ଫେରିଯାଇ ତାଙ୍କୁ ସବୁ କହିଲେ ।

ରାଜା ବିରକ୍ତି ହୋଇ ସୁଦାମ ଓ ଲାଟୁକୁ ସେଠାରୁ ମୁକ୍ତ କରି ଦେଲେ ଓ ଫେରିଯାଇ ଶୀଘ୍ର ତାଙ୍କ ପୁଅକୁ ପଠାଇ ଦେବାକୁ କହିଲେ ।

ସୁଦାମ କହିଲା “ମହାରାଜ, ଆମେ ତ ଆପଣଙ୍କ କାମ କରିବା ପାଇଁ ଏଠାରେ ଥିଲୁ । ଗ୍ରାମକୁ ଫେରିଯିବା ଏତେ ଶୀଘ୍ର ଆମର କ’ଣ ଦରକାର? ଏତେ ଦୂରରୁ ଆପଣଙ୍କ ପାଖକୁ ଆସି ଆମେ କ’ଣ ଏମିତି ଖାଲି ହାତରେ ଫେରିବୁ?”

ରାଜା ବୁଝିଲେ ଏମାନଙ୍କୁ ସନ୍ତୁଷ୍ଟ ନ କଲେ ପୁଅ ପ୍ରାଣ ନେଇ ଫେରିବା ସନ୍ଦେହ ଜନକ । ତେଣୁ ସେ ଅଳ୍ପ ହସି କହିଲେ, “ନା ନା, ତା କି କେବେ ହୁଏ? ମୁଁ ତୁମକୁ କିଛି ଧନ ନିଶ୍ଚୟ ଦେବି ।” ଏହା କହି ରାଜା ସେମାନଙ୍କୁ ଅନେକ ସୁନା ଓ ରତ୍ନ ଦେଲେ । ସେମାନେ ଖୁସିରେ ଫେରିଲେ ଓ ସେଇ ନୌକାରେ ରାଜପୁତ୍ରଙ୍କୁ ଫେରାଇ ପଠାଇ ଦେଲେ । ଆଉ ଯେଉଁ ଧନ ସେଠାରୁ ସେମାନେ ଆଣିଥିଲେ ସେଥିରେ ଆରାମରେ ଖାଇ ପିଇ ଚଳିଲେ । ଆଉ କ୍ଷେତକୁ ଯାଇ ବାପ ପୁଅଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ