ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

ଚୀନ୍ର ଗୋଟିଏ ଗ୍ରାମରେ ଜଣେ ଜମିଦାର ଥିଲେ । ତାଙ୍କର ବଡ ମନ୍ଦ ପ୍ରକୃତି ଥିଲା । କେହି ଜଣେ ହେଲେବି ଚାକର ସେଠାରେ ତିଷ୍ଠି ପାରନ୍ତି ନାହିଁ । କାରଣ ସେ ବହୁତ କାମ ଖଟାନ୍ତି । କିନ୍ତୁ ପଇସା ଦେବାବେଳକୁ ସେ ଯାହାତାହା କହି ଓଲଟା ଘରୁ ତଡି ଦିଅନ୍ତି । ତାଙ୍କର ଏପରି ସ୍ୱଭାବ ଯୋଗୁଁ ସେ ଗ୍ରାମର କେହି ହେଲେ ମଧ୍ୟ ତାଙ୍କ ପାଖରେ ଚାକିରୀ କରିବାକୁ ଆସନ୍ତି ନାହିଁ । କିନ୍ତୁ କେତେକ ସରଳ ଲୋକ ତାଙ୍କର ଏ ଗୁଣ ନ ଜାଣି ଆସି ସେଠାରେ ରହନ୍ତି ଓ ଅଳ୍ପଦିନ ପରେ ସେଠୁ ପଳାନ୍ତି । ସାଧାରଣତଃ ସେମାନେ ଅନ୍ୟ ଗ୍ରାମରୁ ଆସିଥା’ନ୍ତି । ତାଙ୍କର ସେହି ଦୁର୍ଗୁଣ ପାଇଁ ସେ ଯଥେଷ୍ଟ ଗର୍ବିତ ହୋଇ ସମସ୍ତିଙ୍କ ଉପରେ ମାମଲତ କାରୀ ଚଳାନ୍ତି । ତାଙ୍କର ଟଙ୍କା ଥିବାରୁ ସେ ଜାଣିଥିଲେ ଯେ କେହି ହେଲେବି ତାଙ୍କର କିଛି କ୍ଷତି କରି ପାରିବ ନାହିଁ । ଯଦି କୌଣସି ଚାକର ଅନ୍ୟ କାହା ପାଖରେ ଏପରି କଥା ବିଷୟରେ ଅଭିଯୋଗ କରୁଥିବାର ସେ ଶୁଣନ୍ତି, ତେବେ ସେହି ଚାକରର ଅବସ୍ଥା ସାଂଘାତିକ ହୋଇଯାଏ ।

                ଥରେ ଦୂର ଗ୍ରାମରୁ ଯୁବକଟିଏ ଆସି କାମ ଚାହିଁଲା ଓ ପାଇଗଲା ମଧ୍ୟ । ଜମିଦାର ପୂର୍ବରୁ ସାବଧାନ କରାଇ କହିଲେ, “ରେ ଟୋକା, ମୁଁ ତୋତେ ଯେଉଁ କାମ ଦେବି ମନଯୋଗ ଦେଇ ତୁ ସେ କାମଟି କରିବୁ । ଯଦି ଠିକ୍ ଭାବରେ ନ କରିବୁ ପଇସା ତ ପାଇବାର କୌଣସି ପ୍ରଶ୍ନହିଁ ଉଠୁନାହିଁ, ତା’ଛଡା ତୁ ମାଡ ମଧ୍ୟ ଖାଇବୁ ଓ ତୋତେ ଚାକିରୀରୁ ବାହାର କରିଦିଆଯିବ । ଆଗରୁ ଭାବିଚିନ୍ତି ଦେଖ, ପଛେ ଯେପରି ପଶ୍ଚାତାପ ନକରୁ ।”

                ଚାକର ବାଙ୍ଗ୍ ସୂର୍ଯ୍ୟଉଦୟଠାରୁ ଅସ୍ତ ହେବା ପର୍ଯ୍ୟନ୍ତ କାମରେ ଲାଗିଥାଏ । ଦିନେ ଜମିଦାର ବାଙ୍ଗ୍କୁ ଡାକି କହିଲେ, “ହେ ଟୋକା ଶୁଣ, ପାହାଡ ଉପରେ ବାଉଁଶ ଗଛ ସବୁରେ ନୂଆ କନ୍ଦା ଓ ଗଜା ଉଠୁଛି, କାଲି ଆମ ବଳଦକୁ ନେଇଯିବୁ । ସେ ସେଠାରେ କଅଁଳ ଘାସ ଖାଇବ ଆଉ ତୁ ବାଉଁଶ ପତ୍ର ତୋଳି ତାକୁ ଦେବୁ ନାହିଁ ।”

                ବାଙ୍ଗ୍ କହିଲା “ଠିକ୍ ଅଛି ।” ପରଦିନ ସେ ବଳଦକୁ ନେଇ ଗୋଟାଏ ବାଉଁଶ ଗଛରେ ବାନ୍ଧି ଦେଇ ପିଟିଲା ଓ ତାକୁ କହିଲା, “ଚଢ, ଗଛ ଉପରକୁ ଚଢ ।” ବାଟରେ ଯାଉଥିବା ଲୋକେ ଏସବୁ ଘଟଣା ଦେଖି ହସି ହସି ଗଡିଗଲେ । ଏକଥା ଯାଇ ଜମିଦାରଙ୍କ କାନରେ ପଡିଲା । ସେ ଦୌଡି ଦୌଡି ଆସି କହିଲେ, “କ’ଣ ବଳଦଟାକୁ ମାରିଦେବୁ ବୋଲି ଭାବୁଛୁ କି?”

                ବାଙ୍ଗ୍ କହିଲା “ଆପଣ ବଳଦ ବିଷୟରେ କ’ଣ ବା ଜାଣନ୍ତି? କି ଗର୍ବୀ ଏ ବଳଦଟା । ଆପଣ କହିବା ମୁତାବକ ଗଛ ଉପରେ ଚଢି ପତ୍ର ଖାଇବାକୁ ତାକୁ ଯେତେ କହିଲେ ମଧ୍ୟ ସେ ଚଢୁନାହିଁ । ପିଟି ସାବାଡ କରିଦେବି; ତେବେ ଯାଇ ଅକଲ୍ ଶିଖିବ ।”

ଜମିଦାର ଆଦେଶ ଦେଲେ “ବାସ୍ ଯଥେଷ୍ଟ ହୋଇଛି । ପତ୍ର ଖୁଆଇବାର ଆଉ କୌଣସି ଆବଶ୍ୟକତା ନାହିଁ । ବଳଦକୁ ଶୀଘ୍ର ଘରକୁ ନେଇ ଚାଲ ।” ସେହି ଘଟଣା ପରଠାରୁ ଜମିଦାର ତାଙ୍କ ମନେ ମନେ ଠିକ୍ କଲେ ଯେ କୌଣସି ଆଳ ଦେଖାଇ ଏହି ଚାକରକୁ ଏଠାରୁ ତଡିବାକୁ ହେବ । ଏବଂ ପଇସା ଆଦୌ ନ ଦେଇ । ସେଥିପାଇଁ ଜମିଦାର ଉପାୟ ଖୋଜିଲେ । ଦିନେ ସକାଳୁ ଉଠି ସେ ବାଙ୍ଗ୍କୁ କହିଲେ, “ଦେଖ ଏହି ଖପରଲି ଛାତଟା ବିରାଟ ବଡ । ତୁ ତା’ଉପରେ ଯାଇ ପରିବା ପତ୍ର ଓ ଫୁଲ ଫଳ ଗଛ ଲଗା ।” ବାଙ୍ଗ୍ କହିଲା “ସେଇଟା ଆଉ କ’ଣ ବା ଏମିତି ବଡ କଥା? ଯାଉଛି କରିଦେବି ।”

ପରଦିନ ସକାଳୁ କୋଦାଳଟିଏ ନେଇ ସେ ଖପରଲି ଛାତ ଉପରେ ଯାଇ ହାଜର୍ । ତା’ପରେ କୋଦାଳରେ ହାଣି ସେ ଭାଙ୍ଗି ଚାଲିଲା । ଖପରା ଖଣ୍ଡସବୁ ଶୋଇଥିବା ଜମିଦାରଙ୍କ ଉପରେ ପଡିଲା । ସେ ଚମକି ଉଠି ପଡିଲେ । ବାହାରକୁ ଆସି ଦେଖିଲେ ଓ ଘଟଣା କ’ଣ ତୁରନ୍ତ ତାହା ବୁଝିଗଲେ । ତା’ପରେ ସେ କହିଲେ “ଆରେ, ବାଙ୍ଗ୍, କାହିଁକି ଏପରି ଛାତ ଖୋଳି ଭାଙ୍ଗି ପକାଉଛୁ? ତୋ ମୁଣ୍ଡରେ କ’ଣ ଭୂତ ପଶିଛି କି?”

ବାଙ୍ଗ୍ କହିଲା “ଆପଣ ଏ ବଗିଚା କାମ ବିଷୟରେ କ’ଣ ବା ଜାଣନ୍ତି? ଚୁପ୍ ରହନ୍ତୁ ନା । ସାରା ଛାତ ଭାଙ୍ଗିଭୁଙ୍ଗି କୋଦାଳରେ ସମତଳ କଲେ ଯାଇ ତା’ପରେ ସିନା ଗଛ ଲଗାଇବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ