ତହୁଁ ଛେଳି କହିଲା, “ଏଣିକି ଗଉନ୍ତିଆ ଯେତେବେଳେ ତୋ ପିଠିରେ ଓଜନିଆ ବସ୍ତା ଲଦି ଦେବ, ତୁ ମଝିବାଟରେ ଏତେ ଭାର ବୋହି ପାରିବି ନାହିଁ କହି ପିଠିକୁ ଖାଲେଇ କରି ତଳେ ଢାଳିଦେବୁ । ତେବେ ଯାଇ ଲୋଭୀ ଗଉନ୍ତିଆର ଚେତା ପଶିବ । ସେ ଆଉ ବେଶୀ ଭାର ଲଦିବ ନାହିଁ ।”
କଥାଟା ଗଧ ମନକୁ ବେଶ୍ ପାଇଲା । ସିଏତ ସରଳବିଶ୍ୱାସୀ ଏବେ ଛେଳିର ଛନ୍ଦକପଟ କଥା ବୁଝିପାରିଲା ନାହିଁ । ଗଧ ଏବେ ସେଇଆ କଲା । ଖାଲକି ନାଳ ଦେଖି ଜିନିଷ ପତ୍ର ସବୁ ଢାଳିଦେଲା । ଗଉନ୍ତିଆର କ୍ଷତି ହେବାରୁ ସେ ଗଧ ଉପରେ ଭୀଷଣ ରାଗିଯାଇ ପିଟିଲା । ସେ ଦରମରା ହୋଇ ଯନ୍ତ୍ରଣାରେ ଛଟପଟ ହେଲା ।
ଏବେ ଧନୀରାମ ଗଧକୁ ପିଟିଥିବାରୁ ବହୁତ ଦୁଃଖ ପ୍ରକାଶ କଲା । ତାର ବେପାର ବଣିଜ ବନ୍ଦ ହୋଇଗଲା । ସେ ବଇଦ ଡକାଇ ଚିକିତ୍ସା ଆରମ୍ଭ କରିଦେଲା । ବୈଦ୍ୟରାଜ ଗଉନ୍ତିଆକୁ ପରାମର୍ଶ ଦେଲେ, ଯେ କୌଣସି ଛେଳିର ଚର୍ବି ଯଦି ଗଧର କ୍ଷତ ସ୍ଥାନରେ ଘସି ଦିଆଯିବ ତେବେ ଗଧର ଘା’ ଗୁଡିକ ଶୀଘ୍ର ଶୁଖିଯିବ ।
ଏବେ ତାହାହିଁ ହେଲା । ଲୋଭୀ ଗଉନ୍ତିଆ ଧନୀରାମ ମନେ ମନେ ଭାବିଲା ଟଙ୍କା ଖର୍ଚ୍ଚ କରି ବାହାରୁ କିଣିବା ଅପେକ୍ଷା ଘରେ ଥିବା ଛେଳିକୁ ମାରି ଦେଲେ ସବୁ ହୋଇଯିବ । ଏଣେ ଗଧ ସୁସ୍ଥହେବ, ତେଣେ ଛେଳିର ମାଂସ ବିକ୍ରିକରି କିଛି ଟଙ୍କା ବି ରୋଜଗାର ହୋଇଯିବ । ସତକୁସତ ଛେଳିଟିକୁ ଅତି ନିର୍ମମ ଭାବରେ ହତ୍ୟା କରାଗଲା ।
ଏଥିରୁ ଶିକ୍ଷା ମିଳିଲା, ଛେଳିଟି ସରଳବିଶ୍ୱାସୀ ଗଧ ଉପରେ ଈର୍ଷା ପରାୟଣ ହୋଇ ଯେଉଁ ଷଡଯନ୍ତ୍ର ଭିଆଇଲା, ସେଥିରେ ସେ ନିଜେ ହିଁ ମଲା ।