ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର ବ୍ୟଙ୍ଗକାର ଯାଇ ତାକୁ ହଲାଇ ଦେଇ କହିଲେ –
ଉଠ ବୋଲକରା ହୋଇଲା ବେଳ
ସ୍ନାନ କାର୍ଯ୍ୟ ସାରି ଯିବା ଚଚଂଳ
କେତେ ଯେ ବାଟ ସେ ଗଙ୍ଗା କୂଳ
ପହଁଚିବା କାଳେ ବୁଡିବ ବେଳ ।
ଉପଦେଷ୍ଟାଙ୍କର ଡାକରା ଶୁଣି ବୋଲକରା ଧଡପଡ ହୋଇ ଉଠି ଦେଖିଲା ଯେ ସୁରୁଜ ସ୍ଥାନୀୟ ଦେବତାଙ୍କର ଖରା ଭାରି ଟାଣ ହେଲାଣି । ସେ କହିଲା ମହାନୁଭବ ମୁଁ ଆଉ ଗାଧୋଇବି କ’ଣ, ଚାଲ ଆମେ ଏଠାରୁ ଚାଲି ଯିବା । ବାଟରେ ଯହୁଁ ମୋତେ ପାଇଖାନା ଦେଖାଇବ ସେହି ସ୍ଥାନରେ ଜାଣ ମୁଁ ମୋର ନିତ୍ୟ କର୍ମ କାର୍ଯ୍ୟ ସାରି ଦେବି ।
ଉପଦେଷ୍ଟା କହିଲେ ହଉ ହେଲା ତୋରି କଥା ହେଉ । ତେବେ ବାଟ ଘାଟରେ ଆମକୁ ସଉଦା ପତ୍ର ମିଳିବା ସ୍ଥିର ନୁହେଁ । ତୁ ଗୋଟେ କାର୍ଯ୍ୟ କର । ମୋ ଠାରୁ ପଇସା ନେଇ ଏଇ କେତୋଟି ସଉଦା କିଣି ଆଣେ । ପାଖରେ ପାକ ସରଞ୍ଜାମ ତକ ଥିଲେ ଆମକୁ ଆଉ କିଛି ଚିନ୍ତା ନାହିଁ ।
ଏହା ପରେ ଉପଦେଷ୍ଟାଙ୍କ ଠାରୁ ପଇସା ନେଲା ବୋଲକରା । ମୁଣିରେ ତେଲ ବୋତଲଟା ପକାଇ ସେ ଆଗକୁ ଚାଲିଲା ।
ଅଳ୍ପ ବାଟ ଯାଇଛି ବୋଲକରା, ବାଟରେ ସେ ଏକ ଅସମ୍ଭବ କଥା ଦେଖିଲା । ରାସ୍ତା କଡରେ ବର ଗଛ । ବର ଗଛ ମୂଳରେ ବହୁ ଲୋକଙ୍କର ଭିଡ ଜମିଛି । ବୋଲକରା ଯାଇ ସେହି ଠାରେ ପହଁଚି ଦେଖିଲା ଗୋଟିଏ ଦିବ୍ୟ ସୁନ୍ଦରୀ କନ୍ୟା ସଂପୂର୍ଣ୍ଣ ଉଲଗ୍ନ ହୋଇ ସେଠାରେ ମଉନପ୍ରାୟ ବସି ରହିଛି । ତୁଣ୍ଡରେ ତାହାର କଥା ନାହିଁ । କାହିଁ କେଉଁ ଦିନରୁ ସେଠାରେ ସେ ବସିଲାଣି କେଜାଣି ତା’ର ମୁଣ୍ଡର କେଶ ତକ ଜଟା ଧରି ଗଲାଣି । ମୁଖ ମଣ୍ଡଳ ସହିତ ସାରା ଶରୀରଟା ତା’ର ଧୂଳି ଧୂସରିତ ଦେଖା ଯାଉଛି । ହେଲେ ସେ କାହାକୁ କିଛି କହୁ ନାହିଁ କାହିଁକି ।
ଅବୋଲକରା ଅବାକ୍ ପ୍ରାୟ ଚାହିଁଛି । ଏପରି ଯୌବନ ସୁନ୍ଦରୀ କନ୍ୟା, ଏମିତି ଏଠାରେ ବସି ରହିବାର କାରଣ କ’ଣ । ଏହା ପରେ ବୋଲକରା କନ କନ ହୋଇ ଲୋକ ମାନଙ୍କର ମୁଖକୁ ଚାହିଁ ଥାଏ । କାହାକୁ ପଚାରିଲେ ଏ କଥାର ଅସଲ ବିଷୟ ଜାଣି ହେବ – ଏମିତି ଭାବି ଭାବି ବୋଲକରା ଅନେକଙ୍କୁ ମଧ୍ୟ ସେହି ଉଲଗ୍ନା କନ୍ୟା ବିଷୟରେ ପଚାରିଲା । ହେଲେ ପଚାରି ପଚାରି କିଛି ଲାଭ ହେଲା ନାହିଁ । ଶେଷରେ ମନ ମଧ୍ୟରେ ଜାଣି ନ ପାରିବାର ଦୁଃଖକୁ ବୋହି ଅବୋଲକରା ସେ ସ୍ଥାନ ଛାଡି ଯିବା ବେଳକୁ ହଠାତ୍ ଜଣେ ବୃଦ୍ଧାଙ୍କ ଉପରେ ତାର ଲକ୍ଷ୍ୟ ପଡି ଗଲା । ବୃଦ୍ଧା କହିଲେ କ’ଣ ହେଲା ବାପ । ତୁ ସେହି କନ୍ୟା କଥା ଭାବୁ ଥିଲୁନା – ଶୁଣ ପୁଅ, ତା ବିଷୟରେ ଏଠାରେ କେହି କିଛି ଜାଣନ୍ତି ନାହିଁ । ଏଇ ପରିତ ଅନେକ ଦିନ ହେଲା ସେ ଏଠାରେ ବସିଛି । ତାକୁ ଏହି ପରି ଦେଖିବା ମନୁଷ୍ୟ ମାନଙ୍କର ମଧ୍ୟ ଦେହ ଶୁହା ହୋଇ ଗଲାଣି । ମୁଁ ଏତିକି ଯାହା ଜାଣିଛି ସେ ମନୁଷ୍ୟ ନୁହଁ ଗୋଟାଏ ଯୋଗିନୀ । କାହୁଁ କେତେ ବେଳୁ ସେ ଏହି ପରି ଏଠାରେ ବସି ରହିଛି ।