ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯୋଗୀ ଓ ନାସ୍ତିକ

                ଯୋଗୀ ଏହି ଉପଦେଶ ଦେଇ ଚାଲିଗଲେ । ପୂର୍ଣ୍ଣଚନ୍ଦ୍ର ସେକଥା ପାଶୋରି ଦେଲେ । ମଧ୍ୟେ ମଧ୍ୟେ ମନରେ କୌତୁହଳ ହେଉଥାଏ, କିନ୍ତୁ ସେଥି ପ୍ରତି ସେ କୌଣସି ଧ୍ୟାନ ଦେଉ ନଥିଲେ ।

                ଦିନେ ରାମଚନ୍ଦ୍ରପୁରର ଜମିଦାର ଭୀଷଣ ଅସୁସ୍ଥ ହୋଇ ପଡିଲେ । ସେ ଜମିଦାର ଜଣକ ଅତ୍ୟନ୍ତ ମହତ୍ ଲୋକ ଥିଲେ । ପୂର୍ଣ୍ଣଚନ୍ଦ୍ର ସମେତ ତାଙ୍କୁ ସମସ୍ତେ ଶ୍ରଦ୍ଧା କରୁଥିଲେ ।

                ଜ୍ୟୋତିଷ କହିଲେ, “ଏ ବ୍ୟାଧିର କୌଣସି ପ୍ରତିକାର ନାହିଁ । ଯଦି କୌଣସି ନାସ୍ତିକ ଲୋକ ଯାଇ ମନ୍ଦିରରେ ଜମିଦାରଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବ, ତେବେ ଫଳ ହୋଇପାରେ ।”

                ସମସ୍ତେ ତ ଏହା ଜାଣିଥିଲେ ଯେ ପୂର୍ଣ୍ଣଚନ୍ଦ୍ର ନାସ୍ତିକ । ତା’ ବାପା ବି ତାକୁ ଜମିଦାରଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଲେ ।

                ପୂର୍ଣ୍ଣଚନ୍ଦ୍ର ଅଡୁଆରେ ପଡିଲା । ଯାହାହେଉ, ସ୍ନାନ କରି, ନୂଆଲୁଗା ପିନ୍ଧି, ଫୁଲ ଧରି ମନ୍ଦିରକୁ ଯାଇ ସେ ଜମିଦାରଙ୍କ ପାଇଁ କିଛି ସମୟ ଧରି ପ୍ରାର୍ଥନା କଲା ।

                ଫଳ ଅପ୍ରତ୍ୟାଶିତ ହେଲା । ତହିଁ ପରଦିନ ଜମିଦାର ଏମିତି ଦେଖାଗଲେ, ସତେ ଅବା ତାଙ୍କୁ ଯେମିତି କୌଣସି ବ୍ୟାଧି ହୋଇ ନଥିଲା!

                ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ ଖୁସି ହେଲେ । ଏକଥା ଚାରିଆଡେ ପ୍ରଚାର ହୋଇଗଲା । ପୂର୍ଣ୍ଣଚନ୍ଦ୍ରର ପୁରୁଣା ଶିକ୍ଷକ ଆସି ତାକୁ କହିଲେ, “ବାପା! ମୁଁ ଅନେକ ଦିନରୁ ପୀଡିତ । ତମ ଉପରେ ଭରସା । ମୋ ପାଇଁ ପ୍ରାର୍ଥନା କରିବ ନାହିଁ?”

                ପୂର୍ଣ୍ଣଚନ୍ଦ୍ରର ପ୍ରାଣ ତା’ ଶିକ୍ଷକଙ୍କ ପାଇଁ କାନ୍ଦିଲା । ସେ ଯାଇ ତାଙ୍କ ପାଇଁ ପ୍ରାର୍ଥନା କଲା । ଆଶ୍ଚର୍ଯ୍ୟର କଥା, ଶିକ୍ଷକ ବି ଭଲ ହୋଇଗଲେ ।

                ଏହା ପରେ ଆହୁରି ଅନେକ ଲୋକ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ । ପୂର୍ଣ୍ଣଚନ୍ଦ୍ର ସମସ୍ତଙ୍କ ଅନୁରୋଧ ରକ୍ଷା କଲା । ସମସ୍ତେ ଆରୋଗ୍ୟ ହେଲେ ।

                ଦିନେ ପୂର୍ଣ୍ଣଚନ୍ଦ୍ର ଏକାକୀ ବସିଥାଏ, ତା’ ସ୍ତ୍ରୀ ଆସି କହିଲା, “ତୁମେ ତ ଏତେ ଲୋକଙ୍କ ପାଇଁ ପ୍ରାର୍ଥନା କରି ସୁଫଳ ଆଣି ଦେଉଛ । ମୋ ପ୍ରାର୍ଥନା ଶୁଣନ୍ତ ନାହିଁ?”

ପୂର୍ଣ୍ଣଚନ୍ଦ୍ର ପଚାରିଲା “କ’ଣ ତୁମ ପ୍ରାର୍ଥନା?”

“ତମେ ଦିଅଁଙ୍କୁ କୁହ, ସେ ତମକୁ ରାଜା କରିଦେବେ । ତା’ହେଲେ ମୁଁ ରାଣୀ ହେବି ।”

ପୂର୍ଣ୍ଣଚନ୍ଦ୍ର ଏକଥା ଶୁଣି ଚମକି ପଡିଲା । ସତେ ତ! ଏଭଳି ପ୍ରାର୍ଥନା କଲେ ମନ୍ଦ କ’ଣ ହୁଅନ୍ତା? ସେ ଆଶା ବାନ୍ଧି ମନ୍ଦିରକୁ ଗଲା ଓ ପ୍ରାର୍ଥନା କଲା । ସେ କହିଲା, “ଭଗବାନ! ମୋତେ ମାସକ ଭିତରେ ରାଜା କରିଦିଅ ।”

ମାସେ ଗଲା । ଦୁଇମାସ ଗଲା । ସେ ରାଜା ହେବାର କୌଣସି ସୂଚନା ଦେଖାଗଲା ନାହିଁ ।

ତା’ ସ୍ତ୍ରୀ କହିଲା, “ଆମ ପ୍ରାର୍ଥନାଟା ବହୁତ ଓଜନିଆ ହୋଇଗଲା । ଭଗବାନଙ୍କୁ କୁହ, ସେ ରାଜା ନକଲେ ନାହିଁ, ଅତି କମ୍ରେ ମନ୍ତ୍ରୀ ତ କରିଦେବେ ।”

ପୂର୍ଣ୍ଣଚନ୍ଦ୍ର ସେହି ପ୍ରାର୍ଥନା ଜଣାଇଲା । କିନ୍ତୁ ଫଳ କିଛି ହେଲେବି ହେଲା ନାହିଁ ।

ସ୍ତ୍ରୀ କହିଲା, “ମନ୍ତ୍ରୀ ପଦ ବି ବହୁତ ବଡ । ତମେ କିଛି ଟଙ୍କା ପଇସା ମାଗ । ଶୀଘ୍ର ହେଲେ ଭଲ ।”

ପୂର୍ଣ୍ଣଚନ୍ଦ୍ର ତାହାହିଁ କଲା । କିନ୍ତୁ କୌଣସି ଟଙ୍କା ପଇସା ମିଳିଲା ନାହିଁ ।

କିଛିଦିନ ପରେ ପୂର୍ଣ୍ଣଚନ୍ଦ୍ର ସହରରେ ଗୋଟିଏ ଚାକିରୀ ପାଇଁ ଯିବାକୁ ପ୍ରସ୍ତୁତ ହେଲା । ସେହିଦିନ ଯୋଗୀ ଆସି ସେ ଗାଁରେ ପହଁଚିଲେ ଓ ପୂର୍ଣ୍ଣଚନ୍ଦ୍ରକୁ ପଚାରିଲେ, “ବାପା! ତମର ଭଗବାନ ବିଶ୍ୱାସ ହେଲାଣି?”

ପୂର୍ଣ୍ଣଚନ୍ଦ୍ର କିଛି କହିବା ପୂର୍ବରୁ ତା’ ସ୍ତ୍ରୀ କହିଲା, “ମହାଶୟ! ମୋର ଯେତିକି ବିଶ୍ୱାସ ଥିଲା ସେତକ ବି ଚାଲିଗଲା । ତାଙ୍କର କ’ଣ ବିଶ୍ୱାସ ହେବ?”

ଯୋଗୀ ହସିଲେ ଓ ପୂର୍ଣ୍ଣଚନ୍ଦ୍ର ଆଡେ ଅନାଇଲେ । ପୂର୍ଣ୍ଣଚନ୍ଦ୍ର ଯୋଗୀଙ୍କ ପାଦଧୂଳି ନେଇ କହିଲା, “ମହାଶୟ! ଆପଣଙ୍କ ଉପଦେଶ କାର୍ଯ୍ୟକାରୀ କରି ମୁଁ ଯେଉଁ ପ୍ରକାରେ ଉପକୃତ ହୋଇଛି, ତାହାର ମୂଲ୍ୟ ଅମାପ । ମୁଁ ଆପଣଙ୍କ ପ୍ରତି ଜନ୍ମ ଜନ୍ମ ଧରି କୃତଜ୍ଞ ରହିବି ।”

ଯୋଗୀ ଆଶୀର୍ବାଦ କରି ସେଠାରୁ ଚାଲିଗଲେ ।

ବେତାଳ ଟିକିଏ ଚୁପ୍ ରହି ପ୍ରଶ୍ନ କଲା, “ରାଜା! ଏଠାରେ ପୂର୍ଣ୍ଣଚନ୍ଦ୍ରର ମତିଭ୍ରମ ହେଲା ବୋଲି କହିବା ଛଡା ଆଉ କ’ଣ ବା କୁହାଯାଇ ପାରେ? ଯେଉଁ ସବୁ ପ୍ରାର୍ଥନା ପୂରଣ ହେଉଥିଲା ବୋଲି ମନେ ହେଉଥିଲା, ସେସବୁ ଯୋଗାଯୋଗ ହୋଇପାରେ । ଯେଉଁ ପ୍ରାର୍ଥନା ପୂରଣ ହୋଇଥିଲେ ଭଗବାନ ତାହା ପୂରଣ କଲେ ବୋଲି ସ୍ପଷ୍ଟ ବୁଝା ପଡିଥାନ୍ତା, ସେ ପ୍ରାର୍ଥନା ପୂରଣ ହେଲା ନାହିଁ । ତଥାପି ପୂର୍ଣ୍ଣଚନ୍ଦ୍ର ସେ ଯୋଗୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାର କାରଣ କ’ଣ ହୋଇପାରେ? ତା’ର ସ୍ତ୍ରୀର ଭଗବାନ ବିଶ୍ୱାସ ଚାଲିଗଲା । ପୂର୍ଣ୍ଣଚନ୍ଦ୍ର ତ ସହଜେ ନାସ୍ତିକ ଥିଲା । ସେ ଭଗବାନଙ୍କ ବିଷୟରେ ଆହୁରି ବିତୃଷ୍ଣ ହେବା ଉଚିତ୍ । ସେ ଯୋଗୀଙ୍କ ପ୍ରତି ବିରକ୍ତ ହେବା ଉଚିତ୍ । ତାହା ନହୋଇ ସେ ଏଭଳି ଆଚରଣ କାହିଁକି କଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ପୂର୍ଣ୍ଣଚନ୍ଦ୍ର ସରଳ ଓ ସତ୍ୟବାଦୀ । ସେ ଯେଯାଏଁ ଅନ୍ୟମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ ପ୍ରାର୍ଥନା କରୁଥିଲା, ସେସବୁ ପ୍ରାର୍ଥନା ତା’ର ପୂରଣ ହେଉଥିଲା । କିନ୍ତୁ ନିଜ ସ୍ୱାର୍ଥ ପାଇଁ ପ୍ରାର୍ଥନା ପୂରଣ ହେଲା ନାହିଁ । ଏତକ ବୁଝିବା ଭଳି ଶକ୍ତି ତା’ର ଥିଲା । ତା’ଛଡା ପ୍ରାର୍ଥନାର ନିଜସ୍ୱ ଗୋଟିଏ ପ୍ରଭାବ ଅଛି । ପ୍ରାର୍ଥନା ସ୍ଥୁଳ ଭାବରେ ପୂରଣ ହେଉ ବା ନହେଉ, ପ୍ରାର୍ଥନା ଦ୍ୱାରା ଭଗବାନଙ୍କ ସହ ସମ୍ପର୍କ ସ୍ଥାପିତ ହୋଇଯାଏ । ଫଳରେ ଚେତନାରେ ବହୁତ ପରିବର୍ତ୍ତନ ହୁଏ । ପୂର୍ଣ୍ଣଚନ୍ଦ୍ରର ତାହାହିଁ ହୋଇଥିଲା । ତା’ ସ୍ତ୍ରୀର ବିଶ୍ୱାସ ଅବିଶ୍ୱାସ ବୋଲି କିଛି ନଥିଲା । ସେ ଅନ୍ୟ ଅନେକଙ୍କ ଭଳି ସଂସ୍କାର ଯୋଗୁଁ ଭଗବାନ ଅଛନ୍ତି ବୋଲି ଧରିନେଇଥିଲା । ତାହା ଉପରେ ଠଉରିଆ ବିଶ୍ୱାସ । ତାହା ତ ସହଜରେ ଭାଙ୍ଗିଯାଇ ପାରେ ।”

ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ