ସତକୁ ସତ, ବିଚାରି ଫାଟକ ପାଖରେ ବସିଛି ସାନ ଭଉଣୀ । ସାନ ରାଜ କୁମାର ଏକ ନାଲି ଅଶ୍ୱରେ ଚଢି ଉଦ୍ୟାନର ଫାଟକ ପାଖରେ ପହଁଚି ଗଲା । ସାଙ୍ଗରେ କେତେ ଜଣ କେଜାଣି ସିପାହୀ ଆଉ ଦେହ ରକ୍ଷୀ । ତତ୍କ୍ଷଣାତ୍ ସାନ ରାଜ କୁମାରଙ୍କୁ ଦେଖି ସାନ ଭଉଣୀ ପଳାଇ ଗଲା କୁମାରଙ୍କ ପାଖକୁ ତାଙ୍କର ପାଦ ଦୁଇଟାକୁ ଧରି ପକାଇ ଭୋ ଭୋ ହୋଇ କାନ୍ଦି ବାକୁ ଲାଗିଲା । ଏ ଦାସୀ ତୁମ ପାଖରେ କେଉଁ ଅପରାଧ କରି ଥିଲା । ତୁମେ ଏକା ବେଳକେ ତାଙ୍କୁ ଭୁଲି ପର କରି ଇଆଡେ ଏକା ହୋଇ ରହି ଗଲ । ଦିନେ କଣ ଏହି ଦାସୀ କଥା ତୁମର ମନେ ପଡିଲା ନାହିଁ । ମୁଁ ଦୁଃଖିନୀ ତୁମରି ଲାଗି ଭଉଣୀ ମାନଙ୍କର ଶତ୍ରୁ ହୋଇ ଗଲି । ଯେବେ ଠାରୁ ତୁମେ ମୋତେ ଛାଡି ଆସିଲଣି, ତୁମକୁ ନଦେଖି ମୁଁ ଅନ୍ଧ ହୋଇ ଗଲିଣି । ସ୍ୱାମୀ ସତରେ ତୁମକୁ ଏପରି ଆଉ ଥରେ ଦେଖିବି ବୋଲି ମୋର ବିଶ୍ୱାସ ନଥିଲା । ଭଗବାନ କରନ୍ତୁ ତୁମେ କୁଶଳରେ ଥାଅ । ଏତେ ଗୁଡାଏ ଶ୍ରମ ମୋର ସାର୍ଥକ ହୋଇ ଗଲା ସ୍ୱାମୀ ।
ଏହି ସ୍ୱାମୀ ଶବ୍ଦଟି ସାନ କୁମାରଙ୍କର କାନରେ ପଡି ଯିବାରୁ ସେ ସ୍ତବ୍ଧ ହୋଇ ଗଲେ । ତା’ର ଚୁଟି ଧରି ଝିଙ୍କି ଆଣି ଦେଖିବା ବେଳକୁ ସେ ଚାରି ସଇତାନି ଭଉଣୀ ମାନଙ୍କର ଏ ସାନ ଭଉଣୀ ବୋଲି ଜାଣି ପାରି ଭାବି ବାକୁ ଲାଗିଲେ – ଆରେ ୟାକୁ ମାରି ନଦେଇ ମୁଁ କେତେ ବଡ ଭୁଲ୍ କଲି ।
ମୁଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି ।
ସେଦିନ ୟାକୁ ମାରି ଦେଇ ପଳାଇ ଆସି ଥିଲେ ଖୁବ୍ ଭଲ ହୋଇ ଥାଆନ୍ତା । ନମାରି ଛାଡି ଆସିବାରୁ ସିନା ସେ ମୋ ରାଜ୍ୟକୁ ପଳାଇ ଆସିଲା । ଏଠାକୁ ସେ ଆସିଲା ନାହିଁ ତ ସେ ମୋ ଜୀବନ ଲାଗି ସାରା ଦିନକୁ କଂଟା ହେଲା । ନାଁ ୟାକୁ ଆଉ ଦୟା କରିବା ଦରକାର ନାହିଁ । ୟା ଲାଗି ଉଚିତ୍ ଦଣ୍ଡର ବ୍ୟବସ୍ଥା କରିବାକୁ ହେବ ।