ଏହା ପରେ ସାନ ରାଜ କୁମାର ସିପାହୀ ମାନଙ୍କୁ ଆଦେଶ ଦେଲେ ଯେତେ ଶୀଘ୍ର ପାରୁଛ ଏହି ପାଷାଣ୍ଡୀ ରମଣୀକୁ ବାନ୍ଧି ନେଇ କାରାଗାରର ଅନ୍ଧାରିଆ ସ୍ଥାନରେ ନେଇ ପକାଇ ଦିଅ । ଆସନ୍ତା କାଲି ସକାଳ ହେଲେ ଏହାର ଉଚିତ୍ ବିଚାର ହେବ ।
ସାନ କୁମାରଙ୍କର ଆଦେଶ ପାଇବା ମାତ୍ରେ ସିପାହୀ ମାନେ ତାକୁ ବାନ୍ଧି ପକାଇଲେ । ସେତେ ବେଳେ ବିଚାରୀ କେତେ ଯେ ଅନୁନ୍ନୟ ବିନୟ ନହୋଇଛି । କେତେ ଯେ ଆଖିରୁ ଲୁହ ନଝରାଇଛି । ହେଲେ ନିଷ୍ଠୁର ସାନ ରାଜ କୁମାର ତା’ର ସମସ୍ତ ଭଲ ପାଇବାକୁ ଭୁଲି ଗଲା ।
ସକାଳ ହେବାରୁ ରାଜା ପୁଅ ଯାଇ ବିଚାରପତି ଆଗରେ ସବୁ କଥା ବୁଝାଇ କହି ଦେବାରୁ ବିଚାରପତି କହିଲେ । ଏଥି ଲାଗି ସେ ରମଣୀଙ୍କୁ କି ଦଣ୍ଡ ଦିଆ ଯିବ ତାହା ମୁଁ ସ୍ଥିର କରିବି ।
ସାନ ରାଜ କୁମାର କହିଲେ – ତୁମେ ପୁଣି କି ବିଚାର କରିବ ଶୁଣେ । ବିଚାରପତି କହିଲେ ତାହା ହେଲେ ମୁଁ ଯାହା କହୁଛି ତାହାକୁ ଶୁଣ ।
ବିରାଟ ଦେଶ ନାମରେ ଏକ ରାଜ୍ୟ ଥିଲା । ସେ ଦେଶରେ ମନୁରଜନ ନାମରେ ଜଣେ ରାଜା ଥିଲେ । ସେ ରାଜାଙ୍କ ପାଖରେ ଜଣେ ଯୋଗୀ ମଧ୍ୟ ରହୁ ଥିଲେ । ଯୋଗୀଟି ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଏ ସବୁ ବିଦ୍ୟାରେ ପାରଙ୍ଗମ ଥିଲେ ।
ଦିନେ ମଣିମାଙ୍କର ଏକ ଦୂର ରାଜ୍ୟକୁ ଜରୁରୀ କାର୍ଯ୍ୟରେ ଯିବାକୁ ଥିଲା । ପୁଣି ଯଥା ଶୀଘ୍ର ଯିବାକୁ ହେବ । ବିଳମ୍ବ କରିଲେ କଥା ସରିଲା ।
ରାଜା କିପରି ଯିବେ ଶୀଘ୍ର ଚିନ୍ତା କରୁ ଥାଆନ୍ତି । ଯୋଗୀ ତାହା ଜାଣି ପାରି କହିଲେ – ସେ ସବୁ କଥା ମୋ ଉପରେ ଛାଡି ଦିଅନ୍ତୁ । ବର୍ତ୍ତମାନ ଆପଣ ଯାଇ ବିଶ୍ରାମ କରନ୍ତୁ ।
ରାଜା ଯାଇ ନିଜ ଉଆସରେ ବିଶ୍ରାମ ନେଲେ, ବିଶ୍ରାମ ନେଉ ନେଉ ରାଜାଙ୍କର ଆଖି ଲାଗି ଗଲା ।