ଯୋଗୀ ରାଜାଙ୍କର ସେ ସମୟକୁ ଖୋଜୁ ଥିଲା । ଏହି ସୁଯୋଗରେ ଯୋଗୀ ବୀର ବେତାଳଙ୍କୁ ଲଗାଇ ଦେଲା । ବେତାଳ ମାନେ ରାଜାଙ୍କୁ ନେଇ ତାଙ୍କର ପହଁଚିବା ସ୍ଥାନରେ ପହଁଚାଇ ଦେଲେ ।
ରାଜାଙ୍କର ଏଥର ନିଦ୍ରା ଭାଙ୍ଗିଲା, ତାଙ୍କର ଯେଉଁ ସ୍ଥାନରେ ପହଁଚିବା କଥା ସେ ସ୍ଥାନରେ ପହଁଚି ଥିବାର ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଗଲେ । ଏବେ ରାଜା ତାଙ୍କର ଯେଉଁ ଯେଉଁ କାର୍ଯ୍ୟ କରିବା କଥା ତାହା ସବୁ ଶୀଘ୍ର ଶୀଘ୍ର ସମାପନ କରି ଦେଇ ଭୋଜନ କାର୍ଯ୍ୟ ମଧ୍ୟ ସାରି ଦେଲେ । ତା’ପରେ ଯାଇ କିଛି ସମୟ ବିଶ୍ରାମ ନେଲେ ।
ଏଣେ ଯୋଗୀର ବୀର ବେତାଳ ମାନେ ରାଜାଙ୍କର ବିଶ୍ରାମ ସମୟକୁ ଅପେକ୍ଷା କରି ଥିଲେ । ସେ ସଙ୍ଗେ ସଙ୍ଗେ କ’ଣ କଲେ ନା ରାଜାଙ୍କର ଶୟନ ଅବସ୍ଥା ଦେଖି ସେଠାରୁ ପୁଣି ଉଠାଇ ନେଇ ଚାଲି ଆସିଲେ ।
ରାଜା ଏବେ ଦେଖନ୍ତି ତ ସେ ଯାଇଥିବା ସ୍ଥାନରୁ ଆସି ପୁଣି ନିଜର ରାଜ ଉଆସରେ ଅଛନ୍ତି । ରାଜା ଏଥର ବିଶ୍ୱାସ କଲେ ଯୋଗୀ ଜଣଙ୍କ ଖୁବ୍ ବଡ ଗୁଣିଆ । ତେଣୁ ଏପରି ଗୁଣିଆକୁ ପାଖରେ ରଖିଲେ ନିଜ ଜୀବନ ଲାଗି ଦିନେ ନା ଦିନେ ନିଶ୍ଚୟ ବିପଦ ଆସିବ । ସମୟତ ସବୁ ବେଳେ ସମାନ ଯାଏ ନାହିଁ । କେତେ ବେଳେ ଯଦି ମୋର ଯୋଗୀ ସହିତ ଅପ୍ରିୟତା ସୃଷ୍ଟି ହେବ ସେତେ ବେଳେ ଗୁଣିଆ ତା’ର କାରନାମା ଦେଖାଇ ମୋତେ ଉଠାଇ ନେଇ ସାଗର ମଧ୍ୟରେ ପକାଇ ଦେବ ନାହିଁ କାହିଁକି? ଏତେ ସବୁ କଥା ଭାବିବା ମଧ୍ୟରେ ଶେଷରେ ରାଜାଙ୍କ ମୁଣ୍ଡରେ ଆସି ଗୋଟେ କଥା ଢୁକିଲା । ସେ ସଙ୍ଗେ ସଙ୍ଗେ ଆଦେଶ ଦେଲେ ଯେ ଏହି ଗୁଣିଆକୁ ନେଇ ଯେତେ ଶୀଘ୍ର ପାରୁଛ ଫାଶି ଖୁଂଟରେ ଝୁଲାଇ ଦିଅ ।