ଏ ଗୁଣିଆ ସମାଜର କ୍ଷତି କରିବା ଲାଗି ବଂଚିଛି । କେତେ ବେଳେ ସେ କାହାରି ଉପକାର କରିବାକୁ ଯାଇ ଆଉ କାହାର ଭେଳା ବୁଡାଇ ଦେବ ।
କଥା ସରିବା ପରେ ବିଚାରପତି କହିଲା ଯେ – ୟାକୁ ମଧ୍ୟ ସେହି ପରି ଫାଶି ଦଣ୍ଡରେ ଦଣ୍ଡିତ କରାଯିବା ଦରକାର । ସାନ ରାଜା ପୁଅଙ୍କର ମନକୁ ମଧ୍ୟ ବିଚାରପତିର ବିଚାର ପାଇ ଗଲା । ସେ ମଧ୍ୟ ବିଚାରପତି ମତରେ ସହମତ ହେଲେ । କହିଲେ ଆପଣ ଯେତେ ଶୀଘ୍ର ପାରୁଛନ୍ତି ବର୍ତ୍ତମାନ ତାକୁ ବନ୍ଦିଶାଳରୁ ଆଣି ଫାଶୀ ଖୁଂଟରେ ଝୁଲାଇ ଦିଅନ୍ତୁ ।
ଏହା ପରେ ବିଚାରପତି ସେ ସ୍ଥାନ ଛାଡି ଗଲେ । ତା’ ପରର କିଛି କ୍ଷଣ ପରେ ସାନ ଭଉଣୀଙ୍କୁ ଫାଶି ଦଣ୍ଡ ଭୋଗିବାକୁ ହେଲା ।
ଶାରୀ କହିଲା ଏ କଥା ଶୁଣିଲୁ ନା ଶୁଆ – ବିଚରା ସାନ ଭଉଣୀ କେତେ ଭଲ ପାଉ ଥିଲା ରାଜା ପୁଅକୁ । ତାହା ତ ଆଗରୁ ଜାଣିଛୁ । ଶେଷରେ ସେ ଟିକେ ସାନ ରାଜ କୁମାରଙ୍କୁ ଦେଖିବାକୁ ଆସି ଥିଲା – ଦେଖିଲୁ ତ ତମ ପୁରୁଷ ଜାତିର ଲୋକମାନେ କେଡେ ନିଷ୍ଠୁର ।
ଶୁଆ କହିଲା – ମୁଁ ସବୁ ତ ଶୁଣିଲି ଶାରୀ, ଯାହାର ଯାହା ଦଣ୍ଡ ପାଇବା କଥା ସେ ଠିକ୍ ସେହି ଦଣ୍ଡ ପାଇଛି । ଏହା ତ ବିଚାର ଯୋଗ୍ୟ କଥା । ତୁ ଏଥିରେ ଅଯଥାଟାରେ ଓକିଲାତି କରୁଛୁ । ତାହା ହେଲେ ଶୁଣ ମୁଁ ତୋତେ ଏହାର ଆଉ ଏକ ଉଦାହରଣ ଦେଉଛି । ସେହି ଥିରୁ ଜାଣି ପାରିବୁ ଯେ ତୁମ ନାରୀ ଜାତିର ଗୁଣ ।