ରାଜା ବିକ୍ରମ ଏଥର ମୌନଭଙ୍ଗ କରି କହିଲେ, “ବେତାଳ, ଶିଷ୍ୟ ଦୁଇଜଣ ଗୁରୁଙ୍କ କୃପାରୁ ସବୁଥିରେ ଯୋଗ୍ୟ ଥିଲେ । କିନ୍ତୁ ଶକ୍ତିକିରଣ କାହିଁକି ଶାପମୋଚନ ବିଦ୍ୟା ଶିଖିଲେ? ଯେହେତୁ ବରାବର ଶାପ ଦେଇ ଦେଇ ତାଙ୍କର ଶକ୍ତି ନିଃଶେଷ ହୋଇଯିବ ତେଣୁ ଶାପମୋଚନ ବିଦ୍ୟା ଶିଖାଇ ଗୁରୁ ଏଠାରେ ପକ୍ଷପାତିତା କରି ନାହାଁନ୍ତି ବରଂ ତଦ୍ୱାରା ଅନେକ ପରିସ୍ଥିତିରେ ସେ ନିଜକୁ ସମ୍ଭାଳିବାକୁ ଶିଖିଲା । ଲୋକପ୍ରିୟଙ୍କ ସକାଶେ ଶାପମୋଚନ ଶିଖିବାର କୌଣସି ଆବଶ୍ୟକତା ନାହିଁ । ଯେହେତୁ ସେ ଶାପ କେବେ ଦିଅନ୍ତି ନାହିଁ । ସେଥିପାଇଁ ଗୁରୁଙ୍କ ଚେତନାରେ ଲୋକପ୍ରିୟର ସ୍ଥାନ ଅଧିକ ଉଚ୍ଚରେ ଥିଲା । ସେହି କାରଣରୁ ରାଜପଦବୀ ପାଇଁ ସେ ଲୋକପ୍ରିୟର ନାମ ପ୍ରସ୍ତାବ କରିଦେଲେ । ଗୁରୁ ଶକ୍ତିକିରଣଙ୍କୁ ଶାପ ମୋଚନର ବିଧି ଶିଖାଇଥିଲେ, କାରଣ ଶାପ ଦେଇ ଅଯଥା ଅନର୍ଥ ସୃଷ୍ଟି କରି ପାପ କରିବାରୁ ନିଜକୁ ଅନ୍ତତଃ ସେ ରକ୍ଷା କରିପାରିବ । ଲୋକପ୍ରିୟ ଥିଲେ ଜ୍ଞାନୀ ଓ ସତ୍ସ୍ୱଭାବର । କ୍ରୋଧ ଓ ଶାପଦେବା ତାଙ୍କ ସ୍ୱଭାବ ପାଇଁ ଏକ ପ୍ରକାର ଅସମ୍ଭବ କଥା ଥିଲା । କାରଣ ତାଙ୍କର ଯେତେ ଶକ୍ତି ଥିଲେ ମଧ୍ୟ ସେ ସେସବୁର ଦୁରୁପଯୋଗ କରିବେ ନାହିଁ ବୋଲି ଗୁରୁ ଭଲ ଭାବରେ ଜାଣିଥିଲେ । ସେଥିପାଇଁ ଲୋକପ୍ରିୟଙ୍କୁ ରାଜଗୁରୁ ପଦ ଦେବାପାଇଁ ଗୁରୁ କହିଲେ । ଏଥିରୁ ପ୍ରମାଣ ହେଉଛି ଯେ ଯୋଗ୍ୟତାର ବା ଶ୍ରେଷ୍ଠତାର ବେଶି ମୂଲ୍ୟ ନାହିଁ । ସର୍ବାପେକ୍ଷା ମୂଲ୍ୟବାନ୍ ଗୁଣ ହେଲା ମଣିଷର ଚେତନା ଓ ସଂଯମ । ସେତକ ଲୋକପ୍ରିୟଙ୍କ ପାଖରେ ଥିଲା ।”
ବେତାଳ ଉତ୍ତର ପାଇ ଖୁସି ହୋଇ କହିଲା, “ରାଜନ୍, ସର୍ତ୍ତ ଅନୁସାରେ ତୁମର ମୌନଭଙ୍ଗ ହୋଇଛି – ଯଦିଓ ମୋର ପ୍ରଶ୍ନର ତୁମେ ସନ୍ତୋଷଜନକ ଉତ୍ତର ଦେଇଛି । ଏଥର ମୁଁ ଚାଲିଲି ।” ଏତିକି କହି ଶବ ସହିତ ବେତାଳ ବିକ୍ରମଙ୍କ କାନ୍ଧ ଉପରୁ ଖସିଯାଇ ପୁଣି ସେହି ବୃକ୍ଷ ଡାଳରେ ଝୁଲି ପଡିଲା ।