ଆଗ କାଳର କଥା । ଗୋଟିଏ ରାଜ୍ୟରେ ରାଜା କୁମାରଗୁପ୍ତ ରାଜୁତି କରୁଥାଆନ୍ତି । ପ୍ରଜାମାନେ ତାଙ୍କର କିପରି ସୁଖରେ ରହିବେ, ସେଥିପାଇଁ ସେ ରାଜାଙ୍କର ସବୁବେଳେ ଚିନ୍ତା । ମନ୍ତ୍ରୀ, ସେନାପତିଙ୍କୁ ମଧ୍ୟ ସେ ରାଜାଙ୍କର କଠୋର ନିର୍ଧେଶ ଥାଏ, ଯେପରି ତାଙ୍କ ପ୍ରଜାମାନେ ଆଦୌ ଅତ୍ୟାଚାରିତ ନ ହୁଅନ୍ତି । ତେଣୁ ସେ ରାଜାଙ୍କର ଦଣ୍ଡ ଭୟରେ ଚୋରୀ, ଡକାୟତି ସେ ରାଜ୍ୟରେ ଆଦୌ ନ ଥିଲା । ପ୍ରଜାମାନେ କୃଷି କର୍ମ କରି ଅତ୍ୟନ୍ତ ସୁଖରେ ଚଳି ଯାଉଥିଲେ । ସେ ରାଜ୍ୟରେ ଭଲ ରାସ୍ତା, ଡାକ୍ତରଖାନା ଓ ପାଠଶାଳା ପାଇଁ ରାଜକୋଷରୁ ପ୍ରଚୁର ଅର୍ଥ ବରାଦ କରାଯାଉଥାଏ । ରାଜା ଥିଲେ ପ୍ରଜାମାନଙ୍କର ବାପା, ମା’ ସଦୃଶ । ଯେକୌଣସି ସମୟରେ ବି ରାଜାଙ୍କ ଦରବାରରେ ତାଙ୍କ ପ୍ରଜାମାନେ ହାରି ଗୁହାରୀ ଜଣାଇ ପାରୁଥିଲେ । ରାଜକର୍ମଚାରୀମାନେ ପ୍ରକୃତରେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି କି ନାହିଁ, ଏଥିପାଇଁ ବେଳେବେଳେ ସେ ରାଜା ଅନ୍ଧାରିବିଜେ ବି କରୁଥିଲେ ।
ସେ ରାଜା କୁମାରଗୁପ୍ତଙ୍କର ତିନି ପୁଅ । ରୂପରେ କି ଗୁଣରେ କେହି କାହାଠାରୁ ଆଦୌ କମ୍ ନୁହଁନ୍ତି । ସେମାନେ ସବୁ କ୍ରମଶଃ ବଡ ହେଲେ । ବିଭିନ୍ନ ବିଦ୍ୟା ଓ ଶସ୍ତ୍ର ବିଦ୍ୟାରେ ସେମାନେ ଖୁବ୍ ପାରଙ୍ଗମ ହୋଇଉଠିଲେ । ରାଜ ପରିବାରରେ ଜନ୍ମ ହୋଇଥିଲେ ହେଁ ସେମାନଙ୍କର ମନରେ ଆଦୌ ଗର୍ବ କି ଅଭିମାନ କିଛି ବି ନ ଥିଲା । ସେଥିପାଇଁ ସେ ରାଜ୍ୟରେ ରାଜକୁମାରମାନଙ୍କର ଅତିଶୟ ପ୍ରଶଂସା ହେଉଥାଏ ।
ଏତେ ସୁଖରେ କିନ୍ତୁ ସେ ରାଜାଙ୍କର ଗୋଟିଏ ଅଭାବ ଥାଏ । ତାଙ୍କ କୋଳରେ ଝିଅଟିଏ ନ ଥାଏ । ତେଣୁ ସେ ରାଜା ଓ ରାଣୀଙ୍କର ମନରେ ଆଦୌ ସୁଖ ନ ଥାଏ ।
ଦିନକର କଥା । ରାଜା ଛଦ୍ମବେଶରେ ଗୋଟିଏ ଗାଁରେ ଯାଇ ପହଁଚିଲେ । ଘର ଘର ବୁଲି ନିଜକୁ ସୌଦାଗର ବୋଲି ସେ ପରିଚୟ ଦେଉଥାଆନ୍ତି । ଏହି ବାହାନାରେ ସେ ଲୋକମାନଙ୍କର ସୁଖ ଦୁଃଖ ପ୍ରତି ମଧ୍ୟ ଲକ୍ଷ୍ୟ କରୁଥାଆନ୍ତି । ସେହି ଗାଁର ଶେଷରେ ଜଣେ ବୁଢୀର ଘର । ତାର ବୟସ ହେବ ନବେ ପାଖାପାଖି । ତାର ପୁଅ ବୋହୂ ସମସ୍ତେ ଅକାଳରେ ମରିଯାଇ ଥାଆନ୍ତି । ଏକମାତ୍ର ନାତୁଣୀଟିଏ ଥାଏ ତାର ଆଶା ଓ ଭରଶା । ଏତେ ଅଭାବରେ ସୁଦ୍ଧା ସେ ବୁଢୀଟି ବଡ ଯତ୍ନରେ ତା ନାତୁଣୀଟିକୁ ପାଳିଥାଏ । ସେ ନାତୁଣୀଟିର ନାଁ ହେଉଛି ନୟନତାରା ।