ବୁଢୀ ବାର ଘରେ ପାଂଚ ପାଇଟି କରି ଚଳୁଥିଲେ । ଏବେ ବୟସ ହୋଇଯିବାରୁ ତାଙ୍କ ଆଖିକୁ ଆଉ ଭଲ ଦେଖାଯାଏ ନାହିଁ । ନିଜେ ପାଖ ଜଙ୍ଗଲକୁ ଯାଇ କାଠ ହାଣି ତାକୁ ବଜାରରେ ବିକିଦିଏ । ସେଇ ପଇସାରେ ସେ ଦୁଇ ପ୍ରାଣୀ ଦୁଃଖେ ସୁଖେ ଚଳିଯାଆନ୍ତି ।
ଗରିବ ହୋଇଥିବାରୁ ଗାଁରେ ସେ ବୁଢୀକୁ କେହି ବି ଟିକେ ଆଡ ଆଖିରେ ଚାହାଁନ୍ତି ନାହିଁ । ସେଥିପାଇଁ ନୟନତାରାର ବି କାହାରିକୁ ଆଦୌ ଖାତିର ନ ଥାଏ । ସେ କାହାରି ଦୁଆରକୁ ଯାଏ ନାହିଁ । ସେ କେବଳ ନିଜର ଘର କାମ କରେ, ବୁଢୀମା’ର ସେବା କରେ । ସମୟ ପାଇଲେ ସେ ନୟନତାରା ନିଜ ବାଡିରେ ଥିବା ଫୁଲ ଗଛମାନଙ୍କର ବି ଯତ୍ନ ନିଏ ।
ସୌଦାଗରବେଶୀ ରାଜା କୁମାରଗୁପ୍ତ ଶେଷରେ ଯାଇ ସେ ବୁଢୀ ଘର ପିଣ୍ଡାରେ ବସିପଡିଲେ । ସେତେବେଳେ ତ ସେ ରାଜାଙ୍କୁ ବଡ ଶୋଷ ହେଉଥାଏ । ଭୋକ ମଧ୍ୟ ତାଙ୍କୁ ହେଉଥାଏ । ହଠାତ୍ ବିଦେଶୀଙ୍କୁ ଦେଖି ନୟନତାରା ଘର ଭିତରୁ ତାର ବୁଢୀମା’କୁ ଡାକିଆଣିଲା । ବୁଢୀ ଆସି ଦାଣ୍ଡ ଦୁଆରେ ବିଦେଶୀ ଜଣଙ୍କୁ ଖୁବ୍ ଆଦରରେ ତା ଘର ଭିତରକୁ ଡାକି ଆଣିଲା । ସଉପ ପାରି ଦେଇ ବୁଢୀ କହିଲା, “ପୁଅ ବସ । ତୁ ତ ବଡ ଲୋକର ପୁଅ ପରି ଦିଶୁଛୁ । ତୋତେ ଚର୍ଚ୍ଚା କରିବାକୁ ମୋର କ’ଣ ବା ଅଛି? ମୋତେ ଲାଗୁଛି, ତୁ ବଡ ଭୋକିଲା ଅଛୁ । ଏ ଗରିବ ଘରେ ତୋ ମନଲାଖି ଜିନିଷ ମୁଁ କେଉଁଠୁ ପାଇବି?”
ରାଜା କହିଲେ, “ମା, ତୁମ ଘରେ ଯାହା ଅଛି ଦିଅ । ପ୍ରକୃତରେ ମୋତେ ବଡ ଭୋକ ଲାଗୁଛି ।”
ତହୁଁ ସେ ବୁଢୀ ସଙ୍ଗେ ସଙ୍ଗେ ନୟନତାରାକୁ ଡାକି କହିଲା, “ତାରା ! ଗୁଡ ଗୋଳେଇ ଛତୁଆ ଗଣ୍ଡିଏ ଆଣ । ବିଦେଶୀ ପୁଅ ମୋର ଟିକେ ଠା କରିବ ।”
ନୟନତାରା ବି ସାଙ୍ଗେ ସାଙ୍ଗେ ବାଢିଦେଲା । ରାଜା ସେ ଛତୁଆ ଖାଉ ଥାଆନ୍ତି । ବୁଢୀର ସ୍ନେହ ଓ ଆନ୍ତରିକତା ଯୋଗୁଁ ତାହା (ସେ ଛତୁଆ) ଅମୃତ ପରି ଲାଗୁଥାଏ । ମନେ ହେଉଥାଏ, ରାଜମହଲରେ ମଧ୍ୟ ସେ ରାଜା ଏପରି ଆନନ୍ଦରେ କେବେହେଲେ ବି ଖାଇନାହାଁନ୍ତି । ତାଙ୍କ ପାଖରେ ବସି ନୟନତାରା ବି ତାଙ୍କୁ ପଂଖା କରିଦେଉଥାଏ ।
ରାଜାଙ୍କ ଆଗରେ ସେ ବୁଢୀ ନିଜ ଦୁଃଖ କହି କେବଳ ଲୁହ ଝରାଉଥାଏ । ବୁଢୀ କହୁଥାଏ, “ବୁଝିଲୁ ପୁଅ ! ମୁଁ ତ ଝଡିଲା ପତର । ଆଜି ଅଛି, କାଲିକୁ ନାହିଁ । କେତେ ଗେଲବସରରେ ‘ତାରା’କୁ ମୁଁ ପାଳିଥିଲି । ମୁଁ ଆଖି ବୁଜିଲେ ତାର ଭବିଷ୍ୟତ କ’ଣ ହେବ । ମୋର ତ ବାସି ଓଳିକୁ ବି ଦାନା ନାହିଁ । ତାକୁ ଅବା ହାତକୁ ଦି’ହାତ ମୁଁ କିପରି କରିବି? ସେହି ଚିନ୍ତାରେ ଦିନରାତି ମୁଁ ଖାଲି ଝୁରି ହେଉଛି ।”
ରାଜା ସେ ନୟନତାରାର ରୂପ ଏବଂ ସଣ୍ଠଣା ପଣ ଦେଖି ଭାରି ଖୁସି ହେଉଥାଆନ୍ତି । ଏତେ ଅଭାବ ସତ୍ୱେ ମଧ୍ୟ ଝିଅଟି କାହାରି ପାଖରେ ହାତ ନ ପତାଇ ନିଜ ଗୋଡରେ ନିଜେ ଠିଆ ହେବାକୁ ଶିଖିଛି । ନିଜେ ପରିଶ୍ରମ କରି ତାର ପରିବାର ପ୍ରତିପୋଷଣ କରୁଛି ଏବଂ ବୁଢୀମା’ର ବି ଉଚିତ୍ ଯତ୍ନ ନେଉଛି । ଝିଅଟିର ମର୍ଯ୍ୟାଦାବୋଧ ସେ ରାଜାଙ୍କୁ ଅଧିକ ମୁଗ୍ଧ କଲା ।