ତିନିଭାଇ ଯାକ ଫେରିବା ବାଟରେ ଗୋଟିଏ ଛକ ସ୍ଥାନରେ ସମସ୍ତେ ଏକାଠି ହୋଇ ପରସ୍ପର ଜିନିଷ ବିଷୟରେ ଆଲୋଚନା କଲେ । ମଝିଆଁ ଭାଇ ଦର୍ପଣରେ ଦେଖିଲା ଯେ, ତାଙ୍କ ରାଜମହଲର ସମସ୍ତେ ଖୁବ୍ ମନଦୁଃଖରେ ଅଛନ୍ତି । ନୟନତାରା ଖାଲି ରୋଗଶଯ୍ୟାରେ ଛଟପଟ ହେଉଛି । ତାଙ୍କ ରାଜବୈଦ୍ୟଙ୍କ ସମସ୍ତ ଚିକିତ୍ସା ବି ବ୍ୟର୍ଥ ହେବା ଉପରେ । ତେଣୁ ବଡପୁଅର ଘୋଡାଗାଡିରେ ବସି ସମସ୍ତେ ତୁରନ୍ତ ଆସି ତାଙ୍କ ରାଜମହଲରେ ପହଁଚିଲେ । ରାଜା ତାଙ୍କ ପୁଅମାନଙ୍କୁ ଦେଖି ଅତ୍ୟନ୍ତ ସନ୍ତୋଷ ଲାଭ କଲେ ।
ତାପରେ ସେ ସାନ ରାଜକୁମାର ନୟନତାରା ପାଖକୁ ଯାଇ ତାକୁ ଆଣିଥିବା ଫଳଟି ଖାଇବାକୁ ଦେଲା । ଫଳଟି ଖାଇସାରି ସେ ନୟନତାରା ସେହିକ୍ଷଣି ଝାଡିଝୁଡି ହୋଇ ଉଠି ବସିଲା । ରାଜାରାଣୀ ଏବେ ଯାଇ ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲେ ।
ବର୍ତ୍ତମାନ ପ୍ରଶ୍ନ ହେଲା ଯେ, ନୟନତାରାକୁ କେଉଁ ରାଜକୁମାର ବାହାହେବ । ସେଥିଲାଗି ଆଉ ଥରେ ଦରବାର ବସିଲା । ତିନିରାଜକୁମାର ଆଣିଥିବା ଜିନିଷକୁ ସମସ୍ତେ ବହୁତ ବହୁତ ପ୍ରଶଂସା କଲେ । ରାଜା କହିଲେ ମୋର ତିନି ରାଜକୁମାର ବୁଦ୍ଧିମାନ ଆଉ ଯୋଗ୍ୟ ବି । ଭଲ ଭଲ ଜିନିଷ ସବୁ ଆଣିଛନ୍ତି । କିନ୍ତୁ ଯେ ନୟନତାରାକୁ ବିବାହ କରିବ, ସେ ହିଁ ହେବ ମୋ ପରେ ଏହି ରାଜ୍ୟର ଉତ୍ତରାଧିକାରୀ ।
ବଡ ରାଜକୁମାର କହିଲା, “ମୋ ଘୋଡାଗାଡିରେ ଚଂଚଳ ନ ଆସିଥିଲେ ନୟନତାରା ଆଉ କେବେବି ତା ଜୀବନ ଫେରି ପାଇ ପାରି ନଥାନ୍ତା । ତେଣୁ ମୋର ଦାବୀ ହେଉଛି ପ୍ରଥମ ।” ତା ଦେଖାଦେଖି ମଝିଆଁ ପୁଅ ବି କହିଲା, “ମୋ ଦର୍ପଣ କହିଲା ନୟନତାରା ପୀଡିତା ବୋଲି । ନଚେତ୍ ଆମେ ଏଠାକୁ ଆସିଥାଆନ୍ତେ ବା କାହିଁକି?” କିନ୍ତୁ ସାନ ରାଜକୁମାର ନୀରବ ରହିଲା ।
ଏପରି ଏକ ପରିସ୍ଥିତିରେ ରାଜା ଏବଂ ରାଜପରିଷଦ କିଛି ବି ନିଷ୍ପତି କରିପାରିଲେ ନାହିଁ । ସେହି ସମୟରେ ସେ ରାଜସଭାରେ ଜଣେ ବୃଦ୍ଧଲୋକ ଉପସ୍ଥିତ ଥିଲେ । ସେ କହିଲେ, “ମଣିମା ! ମୋତେ ଏଥିରେ କିଛି କହିବା ପାଇଁ ଅନୁମତି ଦିଆଯାଉ । ନୟନତାରାଙ୍କ ପାଇଁ ଭଲ ଜିନିଷଟିଏ ଆଣିବାକୁ ଆପଣ କହିଥିଲେ । ଅନ୍ୟ ରାଜକୁମାର ମାନେ ଯାହା ଆଣିଛନ୍ତି, ତାହା ତ ଭଲ ନିଶ୍ଚୟ । ମାତ୍ର ସାନରାଜକୁମାରଙ୍କ ଫଳ ହିଁ ନୟନତାରାକୁ ଜୀବନ ଦାନ କଲା । ଜୀବନଠାରୁ ଆଉ କିଛି ମୂଲ୍ୟବାନ ଜିନିଷ ଅଛି କି?”
ଏସବୁ କଥା ଶୁଣି ସମସ୍ତେ ସେ ବୃଦ୍ଧଙ୍କୁ ଖାଲି ଧନ୍ୟବାଦ ଜଣାଇଲେ ।
ସମସ୍ତ କଥା ବିଚାର ଆଲୋଚନା କରିବା ପରେ ରାଜା ତାଙ୍କ ସାନପୁଅ ସହିତ ନୟନତାରାର ବାହାଘର କରିଦେଲେ । ରାଜାଙ୍କ ଅନ୍ତେ ସେମାନେ ଦୁହେଁ ରାଜା ରାଣୀ ହୋଇ ଅତ୍ୟନ୍ତ ସୁଖରେ ତାଙ୍କ ରାଜ୍ୟ ପାଳନ କଲେ ।