ଏହି ଛବି ଦେଖା ଚାଲିଥିବାବେଳେ ହଠାତ୍ ଏକ ଛବି ଉପରେ ଟର୍ଣ୍ଣରଙ୍କର ନଜର ପଡିଗଲା । ସେହି ଛବିଟିକୁ ନେଇ ସେ ତତ୍କ୍ଷଣାତ୍ ପ୍ରଦର୍ଶନୀର ଆୟୋଜକଙ୍କ ପାଖରେ ଯାଇ ପହଁଚିଗଲେ । ଆଉ ତାଙ୍କୁ ପଚାରିଲେ ଆପଣ ଏଇ ଛବିଟିକୁ ପ୍ରଦର୍ଶନ କରି ନାହାଁନ୍ତି କାହିଁକି? ଇଏତ ଅତି ଚିତାକର୍ଷକ ଫଟୋଟିଏ ।
ତାଙ୍କ କଥା ଶୁଣି ଆୟୋଜକ କହିଲେ, “ଭଲ ତ ହୋଇଛି ନିଶ୍ଚୟ । ମାତ୍ର ପ୍ରଖ୍ୟାତ ଚିତ୍ରଶିଳ୍ପୀମାନଙ୍କର ଅଧିକସଂଖ୍ୟକ ଚିତ୍ର ଆସି ପହଁଚିବାରୁ ଗ୍ୟାଲେରୀ ଭର୍ତ୍ତି ହୋଇଗଲା । ଇଏ ତ ନାଁ କମେଇ ନ ଥିବା ଜଣେ ନୂଆ ଚିତ୍ରକରଙ୍କର । ତାଙ୍କୁ ଅବା କିଏ ଜାଣେ? ତା’ ଛଡା ଗ୍ୟାଲେରୀରେ ଆଉ ସ୍ଥାନ ଥିଲେ ତ…?”
ଆୟୋଜକଙ୍କ ତୁଣ୍ଡରୁ କଥା ଛଡେଇ ନେଇ ଟର୍ଣ୍ଣର କହିଲେ, “ଯୋଗ୍ୟ ଲୋକ ପାଇଁ କେଉଁଠାରେ ବି ସ୍ଥାନର ଅଭାବ ନ ଥାଏ । ଯଦି ଅଭାବ ଅଛି ତେବେ ମୋର ଚିତ୍ର ଟଙ୍ଗା ହୋଇଥିବା ସ୍ଥାନରେ ଏଇ ଚିତ୍ରଟି ଲଗାଯାଉ । ମୁଁ ଯେତିକି ମାନସମ୍ମାନ ପାଇଗଲିଣି ମୋ’ ପାଇଁ ସେତିକି ଯଥେଷ୍ଟ, ଆଉ ଲୋଡା ନାହିଁ । ଏଣିକି ନୂଆ ନୂଆ ଚିତ୍ରଶିଳ୍ପୀଙ୍କୁ ସମ୍ମାନିତ କରାଯାଇ ଲୋକ ଲୋଚନକୁ ଅଣାଯାଉ ।” ଏହା କହି ଟର୍ଣ୍ଣର ନିଜେ ନିଜର ଫଟୋଚିତ୍ରକୁ ବାହାର କରିଦେଇ ଏଇ ନୂଆଶିଳ୍ପୀଙ୍କର ଫଟୋଚିତ୍ରକୁ ସେଠାରେ ସ୍ଥାନିତ କରିନେଲେ ।
ସତକୁ ସତ ସେଇ ଚିତ୍ରଟି ହିଁ ପ୍ରଦର୍ଶନୀର ପୁରସ୍କାର ବିତରଣ ବେଳେ ଶ୍ରେଷ୍ଠ ସ୍ଥାନ ପାଇଲା ।
କଥାରେ ଅଛି –
“ଯୋଗ୍ୟ ବ୍ୟକ୍ତିଙ୍କର ସ୍ଥାନ ସବୁଠାରେ ରହିଅଛି ସଦା ଧରାପୃଷ୍ଠରେ
ଅମର ପ୍ରତିଭାଧର ଯେଉଁମାନେ ତାଙ୍କ ପ୍ରତି ହେଳା ନକର ତିଳେ ।
ବାୟୁ ପରଶରେ ବିକଶି ଉଠଇ ବଣମଲ୍ଲୀ ଯେହ୍ନେ ସୁଗନ୍ଧ ବାଂଟି
ଅଜଣା ଗୁଣକୁ ଚିହ୍ନି ଗୁଣୀଜନ ପ୍ରତିଭାଧରକୁ ଆଣେ ସାଉଁଟି ।”