ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ନାନାଦି କିସମର ଅଦ୍ଭୁତ ଜିନିଷ ସବୁ ସଂଗ୍ରହ କରିବାରେ ସଉକ୍ ଥିଲା । ରାଜାଙ୍କର ଏହି ସଉକ୍ ପୂରଣ କରିବାପାଇଁ ରାଜାଙ୍କ ପାରିଷଦ ବର୍ଗ ମଧ୍ୟ ସବୁ ସମୟରେ କେବଳ ଚେଷ୍ଟା କରୁଥାଆନ୍ତି । ମହାରାଜଙ୍କର ମନ କିଣିବା ସମସ୍ତଙ୍କର ଯେପରି ଗୋଟିଏ ଉଦ୍ଧେଶ୍ୟ । ଦିନେ ରାଜାଙ୍କର ଜଣେ ସେବକ ଆସି ରାଜାଙ୍କୁ କହିଲା, “ମହାରାଜ! ମୁଁ ଆପଣଙ୍କ ପାଇଁ ଏକ ଅଦ୍ଭୁତ୍ ଜିନିଷ ଆଣିଛି । ଆପଣ ତ କେବେବି ଲାଲ୍ ରଙ୍ଗର ମୟୂର ଦେଖି ନଥିବେ । ମୁଁ ଆପଣଙ୍କ ପାଇଁ ଏକ ସେଇ ଲାଲ୍ ରଙ୍ଗର ମୟୂର ଆଣିଛି । ଏହି ମୟୂରକୁ ମୁଁ ମଧ୍ୟପ୍ରଦେଶର ଘନ ଜଙ୍ଗଲରୁ ପାଇଲି ।” ସେବକର କଥା ଶୁଣିସାରିବା ପରେ ରାଜା ସେହି ମୟୂରଟିକୁ କିଛି ସମୟପାଇଁ ଚାହିଁଲେ । ରାଜାଙ୍କୁ ବଡ ତାଜୁବ୍ ଲାଗିଲା ଏହି ନାଲି ମୟୂରଟିକୁ ଦେଖି । ତାପରେ ରାଜା କହିଲେ, “ବାସ୍ତବିକ୍ ତୁମେ ମୋ ପାଇଁ ଏକ ଅଦ୍ଭୁତ ଜିନିଷ ଆଣିପାରିଛ । ମୁଁ ଏହାକୁ ଖୁବ୍ ଯତ୍ନର ସହିତ ରାଷ୍ଟ୍ରୀୟ ଉଦ୍ୟାନରେ ରଖିବି । ଆଚ୍ଛା! ତୁମେ କୁହ ଏହି ମୟୂର ସଂଗ୍ରହ କରିବାରେ ତୁମର କେତେ ଅର୍ଥ ଖର୍ଚ୍ଚ ହୋଇଛି?”
ରାଜାଙ୍କ ପାଖରୁ ନିଜର ପ୍ରଶଂସା ଶୁଣି ସେ ସେବକଟିର ମନ ପୁରାପୁରି କୁଣ୍ଢେମୋଟ ହୋଇଗଲା । ତାପରେ ସେ ବିନମ୍ର ସହକାରେ ରାଜାଙ୍କୁ କହିଲା, “ମହାରାଜ! ଆପଣଙ୍କ ପାଇଁ ମୁଁ ମୋର ଦୁଇଜଣ ସେବକଙ୍କୁ ପୁରା ଇଣ୍ଡିଆ ବୁଲିବାପାଇଁ ପଠାଇଥିଲି । ଗୋଟିଏ ବର୍ଷ ସେମାନେ ଅଦ୍ଭୁତ ଦ୍ରବ୍ୟ ଖୋଜିବାରେ ଲାଗିଲେ । ଶେଷରେ ଯାଇ ମଧ୍ୟପ୍ରଦେଶର ଜଙ୍ଗଲରୁ ଆପଣଙ୍କ ପାଇଁ ଏହି ଲାଲ୍ ରଙ୍ଗର ମୟୂର ସେମାନେ ଆଣିଲେ । ମୁଁ ସେମାନଙ୍କ ପାଇଁ ପ୍ରାୟ ପଚାଶ ହଜାର ଟଙ୍କା ଖର୍ଚ୍ଚ କରିଛି ।” ସେବକର କଥା ଶୁଣି ରାଜା କୃଷ୍ଣଦେବରାୟ ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ ଆଦେଶ ଦେଲେ, ରାଜକୋଷରୁ ତୁରନ୍ତ ପଚାଶହଜାର ଟଙ୍କା ଆଣି ସେ ସେବକକୁ ଦେବାକୁ । କେବଳ ସେତିକି ନୁହେଁ, ରାଜା ଆକର୍ଷଣୀୟ ପୁରସ୍କାର ଦେବା ପାଇଁ ମଧ୍ୟ ଘୋଷଣା କଲେ । ରାଜାଙ୍କ କଥା ଶୁଣି ସେ ସେବକର ମନ ପୁରା ଖୁସି । ତାପରେ ସେ ସେବକ ଜଣକ ତେନାଲୀରାମାଙ୍କ ଆଡକୁ କିପରି ଏକ ଅନ୍ୟ ପ୍ରକାର ଭାବରେ ଚାହିଁ ସେ ଦରବାର ତ୍ୟାଗ କଲେ । ତେନାଲୀରାମା ସେ ସେବକର ଏପରି ଚାହିଁବାରୁ ହିଁ ଜାଣିଦେଲେ ଯେ ଏହା ମଧ୍ୟରେ କିଛି ଗୋଟେ ଉଦ୍ଧେଶ୍ୟ ନିଶ୍ଚୟ ଅଛି ।