ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରବିଭାମା କଥା

       ପରିଚୟ ମାଗିବାରୁ ପୁରୁଷ ଜଣକ କହିଲା, “ମୋ ନାମ ବିପ୍ରବର, ଇଏ ମୋ ପତ୍ନୀ ଏବଂ ମୋ ପୁତ୍ର । ପିଲାଟି କାଳରୁ ଅଭାବରେ ପଡି ପାଠ ଦି’ ଅକ୍ଷର ପଢି ପାରିଲି ନାହିଁ । ହେତୁ ହେବାଠାରୁ କାମଧନ୍ଦା କରି ବିବାହ କଲି, ସଂସାର ବଢିଲା । ଆୟ କମିଲା । କାମଧନ୍ଦା ମିଳିଲାନି । ଦରିଦ୍ର ଅବସ୍ଥାରେ ନ ଖାଇ ମରିବା ଅପେକ୍ଷା ଆମେ ନଦୀକୁ ଡେଇଁ ସବୁଦିନ ପାଇଁ ଜୀବନ ଦେବାକୁ ଚାହିଁଥିଲୁ । ଆପଣ ଆମକୁ ବଂଚାଇ…”

       “ମୁଁ କୌଣସି ଅପରାଧ କରିନାହିଁ । ଆପଣମାନଙ୍କୁ ବଂଚାଇବା ମୋର ଧର୍ମ । ଯେହେତୁ ମୁଁ ଏ ଦେଶର ରାଜା । ଆପଣ ମାନଙ୍କୁ ସୁଖ ଶାନ୍ତିରେ ରଖିବା ଏବଂ ଅଭାବ ଅସୁବିଧା ପୂରଣ କରିବା ମଧ୍ୟ ମୋର କର୍ତ୍ତବ୍ୟ । ଆପଣମାନଙ୍କ ଦୁଃଖର ରାତି ପାହି ଯାଇଛି । ଆଉ କାମଧନ୍ଦା କରିବାକୁ ପଡିବନି । ଆପଣମାନେ ମୋର ଅତିଥିହୋଇ ରହିବେ । ମୋ ଅତିଥିଶାଳାରେ ରହିଲେ ଆପଣମାନଙ୍କର କୌଣସି ଅସୁବିଧା ରହିବ ନାହିଁ ।”

       ମହାରାଜାଙ୍କ କଥା ଶୁଣି ବିପ୍ରବର କହିଲେ, “ସବୁଦିନ ପାଇଁ ଅତିଥିଭାବରେ ରଖି ସତ୍କାର କରିବା ସହଜ ନୁହେଁ ମହାରାଜ । ଦିନେ ନା ଦିନେ ଆମେ ପୁଣି ଭାଗ୍ୟଚକ୍ରର ଶିକାର ହେବୁ । ଏଣୁ ଆମକୁ ଛାଡି ଦିଅନ୍ତୁ । ଆମେ ଭାଗ୍ୟକୁ ଆଦରି ଯୁଆଡେ ଇଚ୍ଛା ଚାଲିଯିବୁ ।”

       “ନା… ଆପଣମାନେ ମୋର ଅତିଥି । ମୋ ଅତିଥିଶାଳାରେ ରହିବେ ।” ଏହା କହି ମହାରାଜ ଅନୁଚରମାନଙ୍କୁ ଡାକି ଅତିଥି ସତ୍କାରରେ ଯେମିତି କୌଣସି ଅସୁବିଧା ନ ହୁଏ ବୋଲି ତାଗିଦ୍ କରି ସମସ୍ତଙ୍କୁ ଅତିଥିଶାଳାକୁ ପଠାଇଦେଲେ ।

       ବିପ୍ରବର ସପରିବାର ଯାଇ ଅତିଥିଶାଳାରେ ରହିଲେ । ବେଶ୍ ଆରାମ୍ରେ ଖାଇ ପିଇ ସୁଖରେ ରହିଲେ । ଅନୁଚରମାନେ ସେମାନଙ୍କ ଦିନରାତି ସେବାଯତ୍ନରେ ଲାଗି ରହିଲେ । କିଛିଦିନ ମଧ୍ୟରେ ସବୁ ଅନୁଚର, ଚାକର ବାକରମାନେ କାମ ଛାଡି ଚାଲିଗଲେ । କାରଣ ବିପ୍ରବରଙ୍କ ପରିବାର ସେଠାରେ ରହି ଆରାମ୍ରେ ଖାଇ ପିଇ ଏମିତି ଅଳସୁଆ ପାଲଟିଗଲେ ଯେ ଯୋଉଠି ସେଇଠି ଛେପ ଖଙ୍କାର ପକାଇଲେ । ମଳମୂତ୍ର ତ୍ୟାଗକଲେ । ପରିବେଶକୁ ସଂପୂର୍ଣ୍ଣ ଭାବରେ ବିଷାକ୍ତ କରିଦେଲେ ।

       ମହାରାଜ ନୂଆ ନୂଆ ଚାକର ଚାକରାଣୀଙ୍କୁ ନିୟୋଜିତ କଲେ । ତଥାପି ତାଙ୍କର ଅତିଥି ସତ୍କାରଧର୍ମ ସଫଳ ହେଲା ନାହିଁ । ମଇଳା ଦୁର୍ଗନ୍ଧରେ ଭରା ଅତିଥିଶାଳାରେ ରହି ସେମାନଙ୍କର ସେବା କଲେ । ରାନ୍ଧି ବାଢି ଖୁଆଇଲେ । ମଳମୂତ୍ର ସଫାକଲେ । ଆଦୌ ଘୃଣା କଲେ ନାହିଁ । ରାତିରେ ଗୋଡ ବି ମୋଡି ଦେଲେ । ମାତ୍ର ଆଶ୍ଚର୍ଯ୍ୟର କଥା ସେଦିନ ରାତିରେ ମହାରାଜ ବିପ୍ରବରଙ୍କ ମଇଳା ସଫା କରି ଗୋଡରେ ତେଲ ମାଲିସ୍ କରିବା ବେଳକୁ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା ।

       ଯେଉଁ ବ୍ରାହ୍ମଣ ପରିବାର ଅତିଥି ଶାଳାକୁ ମଳମୂତ୍ର ଭରା ନର୍କରେ ପରିଣତ କରିଥିଲେ ସେମାନେ ଦିବ୍ୟ ରଥରେ ଉଭା ହେଲେ । ବିପ୍ରଙ୍କ ମୁଖମଣ୍ଡଳରୁ ଅପୂର୍ବ ଜ୍ୟୋତି ଉଦ୍ଭାସିତ ହେଲା । ଅତିଥିଶାଳା ଆଲୋକିତ ହୋଇ ଉଠିଲା । ମହାରାଜ ପ୍ରଣାମ କରିବା ଆଗରୁ ବିପ୍ରବର ତାଙ୍କୁ ଆଲିଙ୍ଗନ କରି କହିଲେ, “ଧନ୍ୟ ତୁମେ ବିକ୍ରମାଦିତ୍ୟ! ପରୀକ୍ଷାରେ ତୁମେ ଶ୍ରେଷ୍ଠ ବିବେଚିତ ହୋଇଛ । ମୁଁ ସାଧୁ ନୁହେଁ ଦେବତା । ତୁମର ଧର୍ମବଳ, ଅତିଥେୟତା, ପ୍ରଜାପାଳନ ଗୁଣର ପରୀକ୍ଷା କରିବା ପାଇଁ ଏମିତି ଅଭିନୟ କରୁଥିଲି । ଏଣିକି ନିର୍ଭୟରେ ରୁହ । ସେ ରାଜ୍ୟରେ କେବେ ମରୁଡି ପଡିବ ନାହିଁ । ରାଜ୍ୟବାସୀ ବର୍ଷକୁ ତିନୋଟି ଫସଲ କରିବେ । ସମସ୍ତେ ସୁଖ ଶାନ୍ତିରେ କାଳାତିପାତ କରିବେ ।” ଏଇ ଆଶୀର୍ବାଦ ଦେଇ ଦେବ ଅନ୍ତର୍ଦ୍ଧାନ ହୋଇଗଲେ ।

       କାହାଣୀ ଶୁଣାଇ ସାରି ରବିଭାମା ପୁଣି ଥରେ ପ୍ରଶ୍ନକଲା, “କୁହନ୍ତୁ ମହାରାଜ! ସବୁତ ଶୁଣିଲେ । ତେବେ ବିଚାରକରି କହନ୍ତୁ, ଆପଣ କେବେ ମହାରାଜା ବିକ୍ରମାଦିତ୍ୟଙ୍କ ପରି ମନପ୍ରାଣ ଦେଇ କୌଣସି ଅତିଥିଙ୍କର ସେବା କରିଛନ୍ତି? ଜୀବନକୁ ବାଜି ଲଗେଇ ଭରାନଦୀକୁ ଡେଇଁ କାହାରି ପ୍ରାଣ ବଂଚାଇଛନ୍ତି? ତେବେ ସିଂହାସନରେ ଆରୋହଣ କରନ୍ତୁ । ନଚେତ୍….. ।”

       ମହାରାଜ ଭୋଜ ନିର୍ବାକ ହୋଇ ରାଜପ୍ରାସାଦକୁ ଫେରିଗଲେ । ରବିଭାମା ପୁଣିଥରେ କଣ୍ଢେଇ ପାଲଟିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ