ପଂଚମ ଦିବସରେ ଜଣେ ସାଧାରଣ ବାଟୋଇ ଖଣ୍ଡିଏ ଚିଠି ଆଣି ରାଜାଙ୍କୁ ଦେଲା । ସେ ଖଣ୍ଡିକ ଶିବଦତହିଁ ତାଙ୍କ ପିତାମାତାଙ୍କ ପାଖକୁ ଲେଖିଥିଲେ, “ରାଜକୁମାର ଭାବରେ ମୋ କର୍ତ୍ତବ୍ୟ ମୁଁ କୌଣସି ମାମୁଲି କାରଣରୁ ଏଡାଇଦେଇ ନଥାନ୍ତି । କିନ୍ତୁ ମୁଁ ମୋ ଆତ୍ମାର ଆହ୍ୱାନ ଶୁଣୁଛି । ଶାସ୍ତ୍ର କହେ, ନିଜ ଆତ୍ମା ପ୍ରତି ଆମର ଦାୟିତ୍ୱ ପରିବାର, ସମାଜ, ଆସନ ଇତ୍ୟାଦିଠୁଁ ଢେର୍ ଅଧିକ । ତେଣୁ ମୁଁ ସବୁ ଜଳାଞ୍ଜଳି ଦେଲି । ମୁଁ ବର୍ତ୍ତମାନ ସନ୍ନ୍ୟାସୀ । ଆଉ ଯିଏ ସନ୍ନ୍ୟାସୀ, ତା’ର କାହାରି ପ୍ରତି ବି କୌଣସି ପ୍ରକାର ଦାୟିତ୍ୱ ନାହିଁ । ଏଣୁ ଆପଣମାନେ ମୋତେ କ୍ଷମା କରନ୍ତୁ ।”
“ପୁଅ! ତୁ ମୋ ଅନୁମତି ବିନା କିପରି ସନ୍ନ୍ୟାସ ନେଲୁ?” ଏହା କହି ସେ ରାଣୀ କାନ୍ଦିଲେ । ସେ ଯାହା ହେଉ, ରାଜା ରାଣୀ ଏଣେ ଗୋଟିଏ ଦିଗରୁ ଆଶ୍ୱସ୍ତ ବି ହେଲେ । କାରଣ ତାଙ୍କ ପୁଅର କିଛି ବି ଅନିଷ୍ଟ ହୋଇ ନଥିଲା ଓ ସେ ତା’ ନିଜ ଇଚ୍ଛାରେ ଆଧ୍ୟାତ୍ମ ମାର୍ଗକୁ ବାଛି ନେଇଥିଲା ।
ଏହି ଭିତରେ ପାଂଚବର୍ଷ ବିତିଗଲା । ରାଜା ଅସୁସ୍ଥ ହେଲେ । ମନ୍ତ୍ରୀମାନଙ୍କ ପରାମର୍ଶ କ୍ରମେ ସାନ ରାଜକୁମାର ଶାନ୍ତିଦତ ଯୁବରାଜ ହେଲେ । ଶାନ୍ତିଦତ ତାଙ୍କ ସାଧ୍ୟାନୁସାରେ ରାଜକାର୍ଯ୍ୟ ଦେଖାଶୁଣା କଲେ । ତାର ଆହୁରି କେଇ ବର୍ଷ ପରେ ରାଜା ପ୍ରାଣତ୍ୟାଗ କଲେ ଓ ଶାନ୍ତିଦତ ସିଂହାସନ ଆରୋହଣ କଲେ ।
ଶାନ୍ତିଦତ ଜଣେ ଭଲ ମଣିଷ ଥିଲେ, କିନ୍ତୁ ଶାସକ ହିସାବରେ ସେ ସେତେଟା ଦକ୍ଷ ନଥିଲେ । ଥରେ ତାଙ୍କ ରାଜ୍ୟରେ ମରୁଡି ଦେଖାଦେଲା । ଯଥା ସମୟରେ ପ୍ରତିବେଶୀ ରାଜ୍ୟମାନଙ୍କରୁ ଶସ୍ୟ ସଂଗ୍ରହ କରି ରଖିବା ଭଳି ଦୂରଦୃଷ୍ଟି ଶାନ୍ତିଦତଙ୍କର ନଥିଲା । ତାଉପରେ ପୁଣି ଚୋର ଡକାଏତ ଓ ଦୁର୍ନୀତିପରାୟଣ ବ୍ୟକ୍ତିମାନେ ପରିସ୍ଥିତିକୁ ଆହୁରି ଶୋଚନୀୟ କରିପକାଇଲେ । ତେଣେ ସୁରଯପୁରର ରାଜା ନୀଳସାଗର ରାଜ୍ୟ ଦଖଲ କରିବା ଉଦ୍ଧେଶ୍ୟରେ ସେ ତାଙ୍କ ଅଭିଯାନ ଆରମ୍ଭ କଲେ ।
ଏ ସମ୍ବାଦ ନୀଳସାଗର ବ୍ୟାପି ଆତଙ୍କ ସୃଷ୍ଟି କଲା । ସେତିକିବେଳେ ରାଜା ଶାନ୍ତିଦତ ବି ଅସୁସ୍ଥ ହେଲେ ।
ଏସବୁ ଦେଖି ରାଜମାତାଙ୍କ ଚିନ୍ତାର ଆଉ କୌଣସି ସୀମା ରହିଲା ନାହିଁ । ଜଣେ ମନ୍ତ୍ରୀ କହିଲେ, “ମା, ଏ ସଙ୍କଟରୁ ଆମକୁ କେବଳ ଜଣେ ମଣିଷ ହିଁ ରକ୍ଷା କରିପାରିବେ । ଆଉ ସେ ଜଣକ ହେଲେ ଋଷି ବିସ୍ମୟଦେବ । ତାଙ୍କ ବିଷୟରେ ତ ଆପଣ ଅବଶ୍ୟ ଶୁଣିଥିବେ । ତାଙ୍କର ଆଶୀର୍ବାଦ ଶକ୍ତିରେ ଅନେକ ଅସମ୍ଭବ ବି ସମ୍ଭବ ହୋଇପାରେ ।”
ରାଜମାତା ବି ଋଷି ବିସ୍ମୟଦେବଙ୍କ କଥା ଶୁଣିଥିଲେ । କେତେବର୍ଷ ତଳେ କେଇଜଣ କାଠୁରିଆ କୁଆଡେ ବଣ ଭିତରେ ଗୋଟାଏ ଉଇ ହୁଙ୍କା ତାଡି ପକାଇବାରୁ ତହିଁ ଭିତରେ ଋଷି ଧ୍ୟାନରତ ଥିବାର ଦେଖାଯାଇଥିଲା । କାଠୁରିଆମାନେ ଏଥିରେ ଅତ୍ୟନ୍ତ ବିସ୍ମିତ ହୋଇଥିବାରୁ ସେମାନେ ସେ ଋଷିଙ୍କୁ ବିସ୍ମୟଦେବ ବୋଲି ଅଭିହିତ କରୁଥିଲେ । ଅନେକେ ତାଙ୍କୁ ଦେଖିବାକୁ ଆସୁଥାନ୍ତି । ତାଙ୍କ ଆଶୀର୍ବାଦ ଉପରେ କ୍ରମେ ଲୋକଙ୍କର ଗଭୀର ବିଶ୍ୱାସ ଜନ୍ମିଲା । ଏହିପରି ଭାବେ ଖୁବ୍ ଅଳ୍ପଦିନ ଭିତରେ ସେ ସାରା ରାଜ୍ୟରେ ସବୁଠାରୁ ଭକ୍ତିଭାଜନ ବ୍ୟକ୍ତି ହୋଇପାରିଲେ ।
ବଣ ଭିତରେ ଲୋକେ ତାଙ୍କ ପାଇଁ ଆଶ୍ରମ ଓ ମନ୍ଦିର ତିଆରି କରିଦେଇଥିଲେ । ବଣର ସେ ଅଂଚଳ ଅତି ମନୋହର ଦିଶୁଥାଏ ।
ରାଜମାତା ମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଚିନ୍ତା କରୁଛନ୍ତି, ଠିକ୍ ସେତିକିବେଳେ ତାଙ୍କୁ ଖବର ମିଳିଲା ଯେ ସୁରଯପୁରର ସୈନ୍ୟବାହିନୀ ନୀଳସାଗର ଅଭିମୁଖେ ମାଡି ଆସୁଛନ୍ତି ।
ସେତେବେଳେ ତ ଦ୍ୱିଧା ପାଇଁ ଆଉ ବେଳ ନଥିଲା । ତେଣୁ ସେହି ରାତିରେହିଁ ରାଜମାତା ବଣକୁ ଯାଇ ଋଷିଙ୍କୁ ଭେଟିଲେ । ଋଷି ତାଙ୍କୁ ବହୁତ ସମ୍ମାନ ଦେଖାଇଲେ । ରାଜମାତା ତାଙ୍କୁ ଶତ୍ରୁର ଆକ୍ରମଣ ଓ ରାଜାଙ୍କ ଅସୁସ୍ଥତା କଥା କହି ଶେଷରେ କହିଲେ, “ହେ ଋଷିବର, ଏବେ କେବଳ ତମେହିଁ ଚାହିଁଲେ ଆମକୁ ଏ ସଙ୍କଟରୁ ରକ୍ଷା କରି ପାରିବ ।”
ଏକଥା ଶୁଣି ଋଷି ଆଖି ବନ୍ଦ କରି କିଛି ସମୟ ନୀରବ ରହି କହିଲେ, “ମା! ଆପଣ ଆଉ ବିଚଳିତ ହୁଅନ୍ତୁ ନାହିଁ । ଆପଣଙ୍କର ବା ଆପଣଙ୍କ ରାଜ୍ୟର କୌଣସି ବି ଅନିଷ୍ଟ ହେବ ନାହିଁ ।”
ତା’ପରେ ସେ ଋଷି ଗୋଟିଏ ଅପ୍ରତ୍ୟାଶିତ କାମ କଲେ । ସେ ସ୍ୱୟଂ ରାଜପ୍ରାସାଦ ଆଗକୁ ଯାଇ ସମବେତ ସୈନ୍ୟଦଳକୁ ଉଦ୍ବୋଧନ ଦେଲେ । ଫଳରେ ସେ ସୈନ୍ୟମାନେ ଗଭୀର ଉତ୍ସାହରେ ପ୍ରାଣାପାତ କରି ରାଜ୍ୟରକ୍ଷା କରିବାର ସଂକଳ୍ପ ନେଲେ । ତା’ପରେ ସେ ରାଜପ୍ରାସାଦ ଭିତରକୁ ଯାଇ ଶଯ୍ୟାଶାୟୀ ରାଜା ଶାନ୍ତିଦତଙ୍କୁ ଦେଖାକରି ତାଙ୍କୁ କହିଲେ, “ରାଜା! ତମର ଆଦୌ କିଛି ବି ହୋଇନାହିଁ । ଉଠ ତଥା କାମରେ ଲାଗିଯାଅ । ଆଉ କୌଣସି ଚିନ୍ତା ନାହିଁ ।”
ଆଶ୍ଚର୍ଯ୍ୟର କଥା, ରାଜା ଶାନ୍ତିଦତ ସେହିକ୍ଷଣି ଉଠି କିପରି ଭାବରେ ରାଜ୍ୟ ରକ୍ଷା କରାଯିବ, ସେ ବିଷୟରେ ଆଲୋଚନା କଲେ । ନୀଳସାଗରର ସୈନ୍ୟବାହିନୀ ଏଭଳି ବିକ୍ରମରେ ଶତ୍ରୁକୁ ସାମ୍ନା କଲେ ଯେ ଶତ୍ରୁପକ୍ଷ ଏକାବେଳେ ସ୍ତମ୍ଭୀଭୂତ ହୋଇ ପଛଘୁଂଚା ଦେଲେ । ନୀଳସାଗରର ସୈନ୍ୟମାନେ ସୁରଯପୁର ଭିତରକୁ ଯାଇ ସେ ରାଜ୍ୟ ଦଖଲ କରିନେଲେ ଓ ତେଣିକି ତାହା ନୀଳସାଗରର ଗୋଟାଏ ଇଲାକାରେ ପରିଣତ ହେଲା ।
ଏଥର ସେ ଋଷି ବିସ୍ମୟଦେବ ଏକାକୀ ରାଜମାତାଙ୍କୁ ସାକ୍ଷାତ କରି ତାଙ୍କୁ ଭୁମିଷ୍ଠ ପ୍ରଣାମ କଲେ ଓ ପଚାରିଲେ, “ମା, ମୁଁ ବର୍ତ୍ତମାନ ଏଠାରୁ ଯିବାପାଇଁ ଆପଣଙ୍କ ଅନୁମତି ପାଇ ପାରେ?”
ରାଜମାତାଙ୍କ ଆଖିରେ ଅଶ୍ରୁ ଦେଖାଦେବା ସଙ୍ଗେ ସଙ୍ଗେ ତାଙ୍କ ମୁହଁରେ ହସ ବି ଫୁଟିଲା । ସେ ଋଷିଙ୍କ କପାଳରେ ଚୁମ୍ବନ ଦେଇ ରାଜମାତା କହିଲେ, “ପୁଅ, ତୁ ଆଜି ତୋ କର୍ତ୍ତବ୍ୟ ଠିକ୍ ପାଳନ କରିଛୁ । ତୋ ଭଳି ସନ୍ତାନଟିଏ ପାଇ ପ୍ରକୃତରେ ମୁଁ ବଡ ଭାଗ୍ୟବତୀ ।” ଏହାପରେ ସେହି ରାତିରେ ହିଁ ଋଷି ରାଜପ୍ରାସାଦରୁ ବିଦାୟ ନେଲେ ।
ଗପଟି କହିସାରି ବେତାଳ ଟିକିଏ ନୀରବ ରହି ସେ ପୁଣି ତା’ର କଠୋର କଣ୍ଠରେ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜା! ସେ ଋଷି ଯେ ବଡ ରାଜକୁମାର ଶିବଦତଙ୍କ ଛଡା ଆଉ କେହି ବି ନୁହଁନ୍ତି, ଏହା ତ ସ୍ପଷ୍ଟ । କିନ୍ତୁ ତାହା ମୋ ମନରେ ଥିବା ପ୍ରଶ୍ନର ସମାଧାନ ନକରି ତାକୁ ବରଂ ଆହୁରି ଜଟିଳ କରୁଛି । ସନ୍ନ୍ୟାସୀ ଶିବଦତ କାହିଁକି ଚାଲିଯିବା ପାଇଁ ତାଙ୍କ ମା’ଙ୍କ ଅନୁମତି ଭିକ୍ଷା କଲେ? ଦ୍ୱିତୀୟରେ ଶିବଦତ ରାଜ୍ୟର ହାନିଲାଭ ପ୍ରତି ଖାତିର୍ କରନ୍ତି ନାହିଁ ବୋଲି ଏକଦା ଏହା ସେ ସ୍ପଷ୍ଟ କରିଦେଇଥିଲେ । ଏତେବର୍ଷ ସନ୍ନ୍ୟାସୀ ହୋଇ ରହିବା ପରେ ପୁଣି ସେ ତାଙ୍କ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଦୌଡି ଆସିବାଟା କ’ଣ ବିସ୍ମୟକର ନୁହେଁ କି? ପୁଣି ନୀଳସାଗର ସୂରଯପୁର ଦଖଲ କରିନେବାରେ ସେ ଆପତ୍ତି କିପରି କଲେ ନାହିଁ? ରାଜା, ତମେ ପାରିଲେ ମୋର ଏସବୁ ପ୍ରଶ୍ନର ଉତ୍ତର ଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତୁମେ ନୀରବ ରହିବ, ତେବେ ତମ ଶୀର ଏହିକ୍ଷଣି ସ୍କନ୍ଧଚ୍ୟୁତ ହେବ ।”
ବେତାଳର ଏଭଳି ପ୍ରଶ୍ନ ଶୁଣି ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ତୁରନ୍ତ ଉତ୍ତର ଦେଲେ, “ଜଣେ ଯେତେବେଳେ ନିଜ ଆତ୍ମାର ଆହ୍ୱାନ ଶୁଣେ, ସେତେବେଳେ ସେ ପରିବାର ବା ସମାଜ ପ୍ରତି ତା’ର କର୍ତ୍ତବ୍ୟରୁ ଓହରି ଯିବାରେ ଶାସ୍ତ୍ରର ସମ୍ମତି ରହିଛି, ଏହା ସତ୍ୟ । କିନ୍ତୁ ପୃଥିବୀରେ ଗୋଟିଏ ସମ୍ପର୍କ ଅଛି, ଯାହା କି ଖାସ୍ କରି କି ପାରିବାରିକ ବା ସାମାଜିକ ନୁହେଁ । ତାହା ହେଲା ଜନନୀ ସହ ସମ୍ପର୍କ । ଶିବଦତ ତାଙ୍କ ମା’ଙ୍କ କ୍ଷୋଭ କଥା ଜାଣିଥିଲେ । ବର୍ତ୍ତମାନ ମା’ଙ୍କ ଅନୁମତି ଭିକ୍ଷା କରି ସେ ମାଙ୍କର ସେ କ୍ଷୋଭ ଶାନ୍ତ କଲେ । ଏହା ଯେ, ସେ କୌଣସି କର୍ତ୍ତବ୍ୟ ଦୃଷ୍ଟିରୁ କଲେ, ତାହା ନୁହେଁ, ବରଂ ସେ ଏହା ତାଙ୍କ ନିର୍ମଳ ସଦିଚ୍ଛାରୁ କଲେ । ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଲା, ଉପରକୁ ଏକପ୍ରକାର ଦେଖାଗଲେ ବି ଜଣେ ରାଜାର କାର୍ଯ୍ୟ ଓ ଜଣେ ଋଷିର କାର୍ଯ୍ୟ ଭିତରେ ବହୁତ ପାର୍ଥକ୍ୟ ରହିଛି । ଶିବଦତ ରାଜା ହୋଇ ଯୁଦ୍ଧ କରିଥିଲେ ତାହା ସେ ନିଜ ସ୍ୱାର୍ଥ ପାଇଁ ବା ଆସକ୍ତି ସହ କରିଥାନ୍ତେ । ଋଷି ହିସାବରେ ଶିବଦତଙ୍କର କୌଣସି ସ୍ୱାର୍ଥ ନଥିଲା, ଆସକ୍ତି ବି ନଥିଲା । ସେ ଅନ୍ୟମାନଙ୍କୁ ନିଜ ଶକ୍ତି ବଳରେ ସାହାଯ୍ୟ କରୁଥିଲେ । ତେଣୁ ସେ ରାଜମାତାଙ୍କୁ ବା ସାହାଯ୍ୟ ନ କରନ୍ତେ କିଆଁ? ଜଣେ ଆଧ୍ୟାତ୍ମିକ ଲୋକ ସାଂସାରିକ ବ୍ୟାପାରରେ ହସ୍ତକ୍ଷେପ କରିପାରେ । ତୃତୀୟ ପ୍ରଶ୍ନର ଉତ୍ତର ହେଲା, ସେ କାହିଁକି ବା ନୀଳସାଗରର ସୂରଯପୁର ଦଖଲ କରିବାରେ ଆପତ୍ତି କରିଥାନ୍ତେ? ସୂରଯପୁର ତ ପୁଣି ନୀଳସାଗର ଦଖଲ କରିବାକୁ ବସିଥିଲା? ସୂରଯପୁରର ରାଜା ନିଜ କର୍ମର ଫଳ ପାଇଲେ ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେହି ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।