ରକ୍ତତର୍ପଣ କହିଲା, “ମୁଁ ଥରେ ତୁମ ଦେଶକୁ ଆସି ଦେଖିବି, ତୁମେ କିପରି ଶାସନ କାର୍ଯ୍ୟ ଚଳାଉଛ । ତା’ପରେ ଯାଇ ମୁଁ ଭାବିବି ତୁମକୁ ମଣିଟି ଦେବା ଉଚିତ୍ ହେବ ନା ନାହିଁ ।”
ବିକ୍ରମଭୂପତି ରାକ୍ଷସ ପ୍ରତି ନିଜର କୃତଜ୍ଞତା ପ୍ରକଟ କରି ନିଜ ରାଜଧାନୀକୁ ଲେଉଟି ଗଲେ ।
ପରଦିନ ବିଜୟାଦିତ୍ୟ ଜଙ୍ଗଲକୁ ଆସିଲେ । ସେ ସେହି ରାକ୍ଷସକୁ ଚିହ୍ନିପାରି କହିଲେ, “ମହୋଦୟ, ମୁଁ ହେମଗିରିର ରାଜା ବିଜୟାଦିତ୍ୟ । ସିଂହପୁରୀର ରାଜା ବିକ୍ରମଭୂପତି ମୋ ଦେଶ ଉପରେ ଆକ୍ରମଣ କରି ତାକୁ କରଗତ କରିବାକୁ ଚାହାଁନ୍ତି । ତାଙ୍କର ଉଦ୍ଧେଶ୍ୟ ମନ୍ଦ । ତାଙ୍କୁ ଜିତିବାବି ଭାରି କଷ୍ଟ । କେବଳ ଆପଣ ଯଦି ମଣିଟି ଦେବେ ତେବେ ତାଙ୍କୁ ଜିତିବା ସହଜ ହେବ । ମୋର ବିଶ୍ୱାସ ଯେ ଆପଣ ମୋତେ ନିଶ୍ଚୟ ସହାୟତା କରିବେ ।”
ରକ୍ତତର୍ପଣ କହିଲା, “ରାଜନ୍, ଚିନ୍ତିତ ହୁଅନାହିଁ । ମୁଁ ତୁମ ଦେଶକୁ ଯାଇ ଦେଖିବି ପ୍ରଜା ଓ ପରିସ୍ଥିତି ।” ତା’ପରେ ବିଜୟାଦିତ୍ୟ ରକ୍ତତର୍ପଣକୁ ନମସ୍କାର କରି ସେଠାରୁ ଫେରିଗଲେ ।
ରକ୍ତତର୍ପଣ ପ୍ରଥମେ ହେମଗିରିକୁ ଗଲା ଓ ଦେଖିଲା ଯେ ବିଜୟାଦିତ୍ୟ ଜଣେ ଧାର୍ମିକ ରାଜା । ତାଙ୍କ ପ୍ରଜାମାନେ ବଡ ସୁଖରେ ରହିଛନ୍ତି । ସେଠାରୁ ସେ ସିଂହପୁରୀ ଯାଇ ଦେଖିଲା କି ବିକ୍ରମଭୂପତି ଜଣେ କ୍ରୁର ସ୍ୱଭାବର ଲୋକ ଓ ଯୁଦ୍ଧ ପାଇଁ ସେଠାରେ ଜୋର୍ରେ ପ୍ରସ୍ତୁତି ଚାଲିଛି । ରକ୍ତତର୍ପଣ ବହୁସମୟ ଧରି ଚିନ୍ତା କରିବା ପରେ, ବିକ୍ରମଭୂପତିଙ୍କୁ ସେ କହିଲା, “ରାଜନ୍, ମୁଁ ତୁମକୁ ଏହି ମଣିଟି ଦେଉଛି, ତାହା ସ୍ୱୀକାର କର ।” ତା’ପରେ ସେ ଜଙ୍ଗଲକୁ ଲେଉଟି ଗଲା ।
ଗଳ୍ପଟି ଶୁଣାଇ ସାରି ବେତାଳ କହିଲା, “ରାଜନ୍, ରାକ୍ଷସ ମଣିଟି ଅପାତ୍ରରେ ଦାନ କଲାନାହିଁ କି? ରାକ୍ଷସ ଜାଣେ ଯେ ସେ ନିଜର ସ୍ୱାର୍ଥ ପୂରଣ କରିବାକୁ ମଣି ଚାହୁଁଛି ଯଦ୍ୱାରା ଯୁଦ୍ଧରେ ଅନେକ ନିରୀହ ପ୍ରଜା ପ୍ରାଣ ଦେବେ । ମୋର ଏ ବିଷୟରେ ସନ୍ଦେହ ରହୁଛି । ମୋର ସନ୍ଦେହ ମୋଚନ କରିବାର ଶକ୍ତି ଥାଇ ଯଦି ତମେ ନକରିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମ ଉତ୍ତର ଦେଲେ, “ବେତାଳ, ତୁମେ ଯାହା କହୁଛ, ତାହା ତ ଠିକ୍ । ଆପାତଃଦୃଷ୍ଟିରେ ତାହାହିଁ ସତ୍ୟ । କିନ୍ତୁ ନିଜ ଅନୁଭୂତିରୁ ରାକ୍ଷସ ଯାହା କିଛିବି କରିଛି ଠିକ୍ କରିଛି; ତାହା ଅତ୍ୟନ୍ତ ନ୍ୟାୟସଙ୍ଗତ । କାରଣ ସେ ମଧ୍ୟ ଦିନେ କ୍ରୁରସ୍ୱଭାବର ଥିଲା । ମଣି ପ୍ରଭାବରୁ ତା’ ମନ ମଧ୍ୟରେ ଦୟା, କ୍ଷମା, ସଦ୍ଭାବ ଓ ଧର୍ମଭାବ ପ୍ରଭୃତି ଉଦୟ ହେଲା ଓ ସେ ଏକ ଭଲ ମଣିଷରେ ପରିଣତ ହେଲା । ତେଣୁ ରାଜା ମଣି ପିନ୍ଧିବାମାତ୍ରେ ତାଙ୍କ କ୍ରୁରସ୍ୱଭାବ ଓ ଚରିତ୍ରରେ ପରିବର୍ତ୍ତନ ଘଟିବ ବୋଲି ଭାବି ସେ ମଣିଟିକୁ ବିକ୍ରମଭୂପତିଙ୍କୁ ଦେଲା । ମଣିଟି ପିନ୍ଧିବା ମାତ୍ରେ ଯୁଦ୍ଧ ପାଇଁ ତାଙ୍କର ଆଉ ଇଚ୍ଛା ହେବନାହିଁ । ତେଣୁ ମଣିକୁ ବିକ୍ରମଭୂପତିଙ୍କୁ ଦେବା ଅତ୍ୟନ୍ତ ନ୍ୟାୟପୂର୍ଣ୍ଣ ।”
ରାଜାଙ୍କର ମୌନଭଙ୍ଗ ହୁଅନ୍ତେ ପୂର୍ବ ସର୍ତ୍ତ ଅନୁସାରେ ବେତାଳ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।