ବହୁତ ଦିନ ତଳର କଥା । କୁନ୍ତଳ ରାଜ୍ୟରେ ଜଣେ ବୃଦ୍ଧ ପୁରୋହିତ ରହୁଥିଲେ; ତାଙ୍କର ନାମ ଶଙ୍କର ଶାସ୍ତ୍ରୀ । ଥରେ ସେ ଦୂର ଗ୍ରାମକୁ ଜଣେ ଧନୀ ଯଜମାନଙ୍କ ଘରେ ଧାର୍ମିକ ଅନୁଷ୍ଠାନ କରିବା ପାଇଁ ଯାଇଥିଲେ । ଦକ୍ଷିଣା ସ୍ୱରୂପ ତାଙ୍କୁ ତ ସେଠାରୁ ମୋଟା ଅଙ୍କର ଟଙ୍କା ସହିତ କିଛି ମୂଲ୍ୟବାନ ବସ୍ତୁ ମଧ୍ୟ ମିଳିଥାଏ । ଘରକୁ ଫେରିବା ସମୟରେ ଶୀଘ୍ର ପହଁଚିବା ପାଇଁ ସେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏକ ରାସ୍ତାରେ ଆସୁଥିଲେ । କିଛି ଦୂର ଆଗକୁ ଗଲାପରେ, ଘନ ଜଙ୍ଗଲ ମଧ୍ୟରେ ଗୋଟିଏ ପାହାଡ ଦିଶିଲା । ସେହି ପାହାଡର ଏକ ଗୁମ୍ଫାରେ ଗୋଟିଏ ଦାନବ ରହେ । ସେ ପ୍ରତିଦିନ ଗୁମ୍ଫା ଦ୍ୱାରରେ ବସି ରହି ନିଜର ଭୋଜନକୁ ଅପେକ୍ଷା କରିଥାଏ । କେତେ ଦିନରୁ ଭୋଜନ ମିଳି ନଥିବାରୁ ସେ ଅତ୍ୟନ୍ତ ଭୋକିଲା ଅବସ୍ଥାରେ ଥାଏ । ଦୂରରୁ ଶଙ୍କର ଶାସ୍ତ୍ରୀଙ୍କୁ ଆସୁଥିବାର ଦେଖି ସେ ଖୁବ୍ ଖୁସି ହୋଇଗଲା । ରାସ୍ତାଠାରୁ ତା’ର ଗୁମ୍ଫା ଯଥେଷ୍ଟ ଉଚ୍ଚରେ ଥିଲେ ମଧ୍ୟ ତା’ର କିଛି ବି ଅସୁବିଧା ହେଲା ନାହିଁ । ସେ ତା’ର ହାତ ଲମ୍ବାଇ ଶଙ୍କର ଶାସ୍ତ୍ରୀଙ୍କ ଅଂଟା ପାଖକୁ ଧରି ଟେକି ଆଣିଲା । ନିଜର ଗୁମ୍ଫା ସଦୃଶ ପାଟି ପାଖରେ ଶଙ୍କର ଶାସ୍ତ୍ରୀଙ୍କୁ ରଖି ସେ ଦାନବ କହିଲା – ଇସ୍… ଆଜି କି ଖରାପ ଜିନିଷ ଖାଇବାକୁ ମିଳିଲା । ଦୁର୍ବଳ, ପୁଣି ପତଳା ବୁଢାଟା ପାଟିକୁ ଆଦୌ ଭଲ ଲାଗିବନି । ତେବେ କିଛି କଥା ନାହିଁ । କିଛି ସମୟ ପାଇଁ ଭୋକ ତ ମେଂଟିଯିବ ।
ତା’ର ହାତ ମୁଠାରେ ରହି ଶଙ୍କର ଶାସ୍ତ୍ରିଙ୍କୁ ଏମିତି ଲାଗୁଥାଏ ସତେ ଯେପରି ସେ କେଉଁ ବିରାଟ ବୃକ୍ଷର ଡାଳରେ ଓହଳି ରହିଛନ୍ତି । ତଳକୁ ଚାହିଁଲା ବେଳକୁ ସେ ଭୟରେ କମ୍ପି ଉଠିଲେ । ଗୁମ୍ଫାର ଦ୍ୱାର ପରି ବିରାଟ ଆଁ ସାଙ୍ଗକୁ ମୁନିଆ ବର୍ଚ୍ଛାପରି ଦାନ୍ତ ।
ପୁରୋହିତ ଲକ୍ଷ୍ୟ କଲେ ରାକ୍ଷସ ହଠାତ୍ ତାଙ୍କୁ ମାରି ନଦେଇ କିଛି ସମୟ କଥାବାର୍ତ୍ତା କରିବାକୁ ଚାହୁଁଛି । ତେଣୁ ଜୀବନ ରକ୍ଷା ପାଇଁ ସେ ମନରେ ଏକ ଉପାୟ ପାଂଚିଲେ । ତା’ମନକୁ ଖୁସି କରିବା ପାଇଁ ଶଙ୍କର ଶାସ୍ତ୍ରି କହିଲେ, ହେ ଦାନବ ରାଜ, ଆପଣଙ୍କୁ ଦେଖିବା ବେଳଠୁଁ ମୁଁ ଜାଣିପାରିଲି ଯେ, ଆପଣ ମହାପରାକ୍ରମଶାଳୀ ଓ ଅଲୌକିକ ଶକ୍ତିର ଅଧିକାରୀ । ଆପଣ ଯେପରି ହାତ ବଢେଇ ରାସ୍ତା ଉପରୁ ମତେ ପାଟି ପାଖକୁ ଉଠାଇ ଆଣିଲେ, ସେପରି ଶକ୍ତି ନା ମାନବ ପାଖରେ ଅଛି, ନା ଦେବତାମାନେ ଏସବୁ କରି ଦେଖାଇ ପାରିବେ ।”
ବୃଦ୍ଧ ପୁରୋହିତଙ୍କ କଥାରେ ରାକ୍ଷସ ଅତ୍ୟନ୍ତ ଖୁସିହୋଇ ବଡ ପାଟିରେ ଅଟ୍ଟହାସ୍ୟ କରିବାକୁ ଲାଗିଲା । ତା’ ହସର ଶବ୍ଦରେ ସାରା ଜଙ୍ଗଲ ପ୍ରକମ୍ପିତ ହେଲା । ଆରେ ବୁଢା ମଣିଷ! ଜନ୍ମରୁ ମୋ ହାତ ଏପରି ଲମ୍ବା । ସେଥିପାଇଁ ପରା ମୋ ନାମ ଦୀର୍ଘବାହୁ । ଏଇ ଦେଖ… ଏପରି କହି ସେ ତା’ର ଆର ହାତରେ ଥିବା ଏକ ଗଛରୁ ଡାଳ ଖଣ୍ଡେ ଭାଙ୍ଗି ଆଣିଲା ।
ରାକ୍ଷସର ଏଭଳି ପ୍ରତିକ୍ରିୟା ଦେଖି ଶଙ୍କର ଶାସ୍ତ୍ରୀଙ୍କ ମନରେ ଟିକେ ସାହସ ବଢିଲା । ତହୁଁ ସେ ତାଙ୍କ ମନରେ ଆଉ ଏକ ଉପାୟ ପାଂଚିଲେ । ନିର୍ଭୟରେ ଦାନବକୁ ଚାହିଁ ସେ କହିଲେ, ବାସ୍ତବରେ ମୁଁ ବୃଦ୍ଧ, କିନ୍ତୁ ଜଣେ ତ୍ରିକାଳଦର୍ଶୀ ଜ୍ୟୋତିଷ ହୋଇଥିବାରୁ ମୋ ନିଜର ମୃତ୍ୟୁ ସମୟ ମୁଁ ଜାଣିପାରିଛି । ଆଉ ଅଳ୍ପ ସମୟ ମୋର ଜୀବନ ବାକି ଅଛି । ମୋର ଏହି ଦୁର୍ବଳ ଶରୀର ଆପଣଙ୍କର କିଛି କାମରେ, କିଛି ସମୟ ପାଇଁ ଭୋକ ମେଂଟାଇ ପାରିଲେ ମୋ ଜୀବନ ସାର୍ଥକ ହେବ । ତଥା ମୋତେ ହଜାର ଜନ୍ମର ପୁଣ୍ୟଫଳ ମିଳିବ । କିନ୍ତୁ ମୁଁ ମରିବା ପୂର୍ବରୁ ଆପଣ ମୋଠାରୁ ଆପଣଙ୍କ ଜନ୍ମ ରହସ୍ୟ ଜାଣିନେଲେ ଭଲ ହେବ ।