ଏହା ଶୁଣି ଦୀର୍ଘବାହୁ ଆହୁରି ଖୁସିହେଲା । ଏତେ ଖୁସି ହେଲା ଯେ, ଶଙ୍କର ଶାସ୍ତ୍ରୀଙ୍କୁ ହାତରୁ ମୁକ୍ତ କରି ତଳେ ଠିଆ କରିଦେଲା । କହିଲା – “ବାଃ, ତେବେ କ’ଣ ମୋ ଜନ୍ମ ପଛରେ କିଛି ରହସ୍ୟ ଅଛି? ଯଦି ଅଛି, ତେବେ ତାହା ଶୀଘ୍ର ପ୍ରକାଶ କରନ୍ତୁ ।” ଶିଶୁ-ସୁଲଭ ଚପଳତା ଓ ଉତ୍ସୁକତାର ସହ ସେ ଦାନବ ଦୀର୍ଘବାହୁ ଏହା କହିଲା ।
ଶଙ୍କର ଶାସ୍ତ୍ରୀ ଜଣେ ମହାଜ୍ଞାନୀ, ତ୍ରିକାଳ ଦର୍ଶୀଙ୍କ ପରି ଅଭିନୟ କରି ସେ ରାକ୍ଷସକୁ ଗଭୀର ଭାବେ ନିରୀକ୍ଷଣ କରିଲେ । ତା’ପରେ ଆଖି ବନ୍ଦ କରି ଆକାଶକୁ ସେ ଚାହିଁଲେ । ଏପରି ମୁଦ୍ରାରେ କିଛି ସମୟ ରହିବା ପରେ ସେ ଶଙ୍କର ଶାସ୍ତ୍ରୀ କହିଲେ, “ଦୁଇ ପୁରୁଷ ଆଗରୁ ଯିଏ, କୁନ୍ତଳ ରାଜ୍ୟର ମହାରାଜା ଥିଲେ, ମହାରାଜା ସୁର ସିଂହ, ଯାହାଙ୍କ ବିଷୟରେ ଅନେକ ପ୍ରସିଦ୍ଧ ଗାଥା ଓ କାହାଣୀମାନ ଆଜି ମଧ୍ୟ ଲୋକମୁଖରେ ପ୍ରଚଳିତ, ସେ ଆଉ କେହି ନୁହଁନ୍ତି, ତାହା ହିଁ ଆପଣଙ୍କ ପୂର୍ବ ଜନ୍ମ । ସେହି ସମୟରେ ଆପଣଙ୍କ ଯଶ, କୀର୍ତ୍ତି, ଖ୍ୟାତି ଖାତିରି ବହୁ ଦୂରଯାଏଁ ବ୍ୟାପିଯାଇଥିଲା । ଜଣେ କ୍ରୋଧି ଋଷିଙ୍କ ଅଭିଶାପରୁ ଆପଣଙ୍କୁ ରାକ୍ଷସ କୁଳରେ ଜନ୍ମଗ୍ରହଣ କରିବାକୁ ପଡିଛି । ଏବେ ଏହି ଗୁମ୍ଫାର କଠୋର ପାଷାଣ ଆପଣଙ୍କର ଶଯ୍ୟା ଓ ସିଂହାସନ । କାହିଁ ମହାନରପତି ସୁର ସିଂହ, କାହିଁ ପୁଣି କଠୋର ଜୀବନ ବିତାଉଥିବା ରାକ୍ଷସ ଦୀର୍ଘବାହୁ । ଆପଣଙ୍କର ଏପରି ଦୁରବସ୍ଥା ଦେଖି ମୋ ମନରେ ବହୁତ ଦୁଃଖ ଆସୁଛି ।” ଏହିଭଳି ଭାବେ ମିଥ୍ୟା ସହାନୁଭୂତି ଦେଖାଇ ନିଜର ପ୍ରାଣ ବଂଚାଇବାକୁ ଚେଷ୍ଟା କଲେ ବୃଦ୍ଧ ପୁରୋହିତ ।
ସବୁ ଶୁଣିସାରି ରାକ୍ଷସ କହିଲା, ଏ ମଣିଷ ! ମୋ ପାଇଁ ଏତେ ଦୁଃଖୀ ହେବା ଆଦୌ କିଛି ବି ଦରକାର ନାହିଁ । ମୋର ଏଡେ ମହାନ ଅତୀତ ବିଷୟରେ ମୁଁ ଜାଣିପାରିଲି । ଏହା କ’ଣ କମ୍ ଖୁସିର କଥା? ଏବେ ମୋ ଭବିଷ୍ୟତ ବିଷୟରେ କିଛି ତ କୁହ । ଏଇ ସାପରୁ ମୁକ୍ତି ପାଇବା କ’ଣ ସମ୍ଭବ ନୁହେଁ? ଆଉ କେତେଦିନ ଏପରି ରାକ୍ଷସ ଜୀବନ ବିତାଇବି?
ଗମ୍ଭୀର ଭାବରେ ମୁଣ୍ଡ ହଲାଇ ଶଙ୍କର ଶାସ୍ତ୍ରୀ କହିଲେ, ଅବଶ୍ୟ ମୁକ୍ତିର ମାର୍ଗ ଅଛି । କିନ୍ତୁ… ଯେଉଁ ଋଷି ଆପଣଙ୍କୁ ଅଭିଶାପ ଦେଇଥିଲେ, ସେ ହିଁ କେବଳ ଆପଣଙ୍କୁ ମୁକ୍ତି ଦେଇପାରିବେ । ମୋର ଆଭ୍ୟନ୍ତରୀଣ ଦୃଷ୍ଟିରୁ ମୁଁ ଜାଣିପାରୁଛି ଯେ ସେ ଏବେ ହିମାଳୟରେ ତପସ୍ୟାରତ ଅଛନ୍ତି । ତେଣୁ ଏବେ ଆପଣ ସାପ ମୁକ୍ତ ହେବା କଦାପି ସମ୍ଭବ ନୁହେଁ । ଅବଶ୍ୟ ଆପଣ ଯଦି ଇଚ୍ଛା କରନ୍ତି ତେବେ ଏଇ ରାକ୍ଷସ ରୂପରେ ମଧ୍ୟ ରାଜା ହୋଇପାରିବେ । ରାଜା ହୋଇଗଲେ ଆପଣଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ମଧ୍ୟ ମିଳିପାରିବ । ଆହାର ପାଇଁ ଗୁମ୍ଫା ସମ୍ମୁଖରେ ବସିରହି କୋଉ ପ୍ରାଣୀକୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ରାଜା ହେବା ପରେ ବିନା ପରିଶ୍ରମରେ ସ୍ୱାଦିଷ୍ଟ ଭୋଜନ ମଧ୍ୟ ତୁମକୁ ମିଳିପାରିବ । ମଦ୍ୟପାନ ବି ଆପଣ କରି ପାରିବେ । ପିନ୍ଧିବା ବସ୍ତ୍ର ରେଶମର ତଥା ସ୍ୱର୍ଣ୍ଣ ଅଳଙ୍କାର, ଛତ୍ର, ସେବା କରିବାକୁ ପରିଚାରକ ଭୃତ୍ୟମାନଙ୍କର ଅଭାବ ଆଉ ରହିବ ନାହିଁ । କିଛି ବି ଅସୁବିଧା ହେବ ନାହିଁ । ରାକ୍ଷସ କବଳରୁ ରକ୍ଷା ପାଇବା ପାଇଁ ପୁରୋହିତ ତା’ ମନରେ ସ୍ୱପ୍ନରେ ଜାଲ ବିଛାଇ ଦେଲେ ।
ଶଙ୍କର ଶାସ୍ତ୍ରୀଙ୍କ କଥା ଶୁଣି, ଦୀର୍ଘବାହୁ ସତକୁ ସତ ଦିବା ସ୍ୱପ୍ନରେ ହଜିଗଲା । ତାକୁ ଲାଗିଲା ସେ ଯେପରି ସତରେ ରାଜା ହୋଇଯାଇଛି । କିନ୍ତୁ ରାଜା ହେବା ପରେ ମଧ୍ୟ ତାକୁ ସବୁ ପ୍ରକାରର ସୁଖ ସୁବିଧାରୁ ବିଶେଷ ଆନନ୍ଦ ମିଳୁନାହିଁ । କେବଳ ଗୋଟିଏ ଚିନ୍ତା ତା’ ମନକୁ ବାରମ୍ବାର ଆସିଲା, ମନୁଷ୍ୟ ଭୋଜନ ମିଳୁନାହିଁ । ଭୋଜନ କଥା ମନେ ପଡିବାରୁ ତା’ର ସେ ଦିବା ସ୍ୱପ୍ନ ହଠାତ୍ ଭାଙ୍ଗିଗଲା । ତା’ପରେ ସେ ପୁରୋହିତଙ୍କୁ ପୁଣି ପ୍ରଶ୍ନ କଲା – ଆଉ ଖାଇବାକୁ କ’ଣ ମିଳିବ? ମୋର ତ ପ୍ରତିଦିନ ତିନି ଚାରୋଟି ମନୁଷ୍ୟ ଭୋଜନ ପାଇଁ ଦରକାର । ମୋ ପ୍ରଜାମାନଙ୍କୁ ତ ଏହା ମୋଟେ ଭଲ ଲାଗିବ ନାହିଁ ।