ଦାନବର ଏପରି ଅଭିଳାଶ ପୂର୍ଣ୍ଣ ପ୍ରଶ୍ନ ଶୁଣି ଶଙ୍କର ଶାସ୍ତ୍ରୀ କହିଲେ ଏଇ ସମସ୍ୟାର ସମାଧାନ ରାସ୍ତା ବି ଅଛି । କଥା କ’ଣ କି, ରାଜ୍ୟର ଜନସଂଖ୍ୟା ଏତେ ବଢିଯାଇଛି ଯେ ଲୋକଙ୍କୁ ଦୁଇବେଳା ଦୁଇମୁଠା ଆହାର ତ ଠିକ୍ ଭାବରେ ମିଳୁନାହିଁ । ଫଳରେ ଭୋକ ଉପାସରେ ସଢି ସେମାନେ ମରୁଛନ୍ତି । ଆପଣ ସେମାନଙ୍କୁ ଖାଆନ୍ତୁ ବା ନ ଖାଆନ୍ତୁ ସେମାନଙ୍କର କିନ୍ତୁ ମରିବା ନିଶ୍ଚିତ । ଯଦି ଆପଣଙ୍କର ଆହାର କାମରେ ତାଙ୍କର ଜୀବନ ଲାଗିଯାଏ, ତେବେ ରାଜ୍ୟର ମଧ୍ୟ ଅନେକ ଲାଭ ହେବ । ଜନସଂଖ୍ୟା ନିୟନ୍ତ୍ରଣ କରି ହେବ, ଯାହା ଦ୍ୱାରା କି ଜନସଂଖ୍ୟା ବୃଦ୍ଧି ହେବାର ପରିମାଣ ଆପେ ଆପେ କମିଯିବ । ତାଛଡା ପ୍ରଜାମାନେ ବି କୌଣସି ଆପତ୍ତି କରିବେ ନାହିଁ । ଆପଣଙ୍କୁ ଦୋଷ ନ ଦେଇ ବରଂ ସେମାନେ ଆପଣଙ୍କୁ ଅତ୍ୟଧିକ ପ୍ରଶଂସା କରିବେ । ଶଙ୍କର ଶାସ୍ତ୍ରୀଙ୍କ ଏଭଳି ଯୁକ୍ତିକୁ ରାକ୍ଷସ ବିଶ୍ୱାସ କଲା । ତେଣୁ ସେ ଅତ୍ୟନ୍ତ ଆଗ୍ରହର ସହିତ କହିଲା, କିନ୍ତୁ ଏବେ ଯିଏ ରାଜା ଅଛି, ତାଙ୍କର କ’ଣ ହେବ?
ଏହା ଶୁଣି ଶଙ୍କର ଶାସ୍ତ୍ରୀ କହିଲା ଆପଣଙ୍କର ତାଙ୍କ ବିଷୟରେ ଚିନ୍ତା କରିବା କିଛି ବି ଦରକାର ନାହିଁ । ସେ ଦାୟିତ୍ୱ ମୋର । ଏମିତି ବି ସେ ଆପଣଙ୍କୁ ଦେଖୁଦେଖୁ ରାଜ୍ୟ ଛାଡି ଚାଲିଯିବେ । ତାଙ୍କୁ ହତ୍ୟାକରି ଆପଣ ମଧ୍ୟ ସିଂହାସନ ଅଧିକାର କରି ପାରିବେ । କିନ୍ତୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ମୁଁ ଦେବି ନାହିଁ । ଏପରି ଯୁକ୍ତି କରିବି ଯେ, ରଜା ନିଜ ଇଚ୍ଛାରେ ରାଜ ସିଂହାସନ ଆପଣଙ୍କୁ ଅର୍ପଣ କରି ରାଜ୍ୟରୁ ସବୁଦିନ ଲାଗି ବିଦାୟ ନେଇଯିବେ । ଆପଣଙ୍କୁ କେବଳ ମୋ ସହିତ ରାଜଧାନୀ ଯାଏଁ ଯିବାକୁ ପଡିବ ।” ପ୍ରାଣରକ୍ଷା ପାଇଁ ଶଙ୍କର ଶାସ୍ତ୍ରୀ ନିଜ ବୁଦ୍ଧି କୋଠରୀରୁ ଶେଷ ଉପାୟ ବାହାର କଲେ । ଏହା ମଧ୍ୟ ଅମୋଘ ଅସ୍ତ୍ର ପରି କାମ କଲା । ତାଙ୍କ କଥାରେ ପଡି ରାକ୍ଷସ ସଙ୍ଗେ ସଙ୍ଗେ ରାଜଧାନୀକୁ ଯିବା ପାଇଁ ବାହାରି ପଡିଲା ।
ଶଙ୍କର ଶାସ୍ତ୍ରୀ ଚାହୁଁଥିଲେ ରାକ୍ଷସ ତାଙ୍କୁ ନ ମାରୁ କିମ୍ବା ତାଙ୍କ ସହିତ ଜଙ୍ଗଲ ବାହାର ଯାଏଁ ଆସୁ । କିନ୍ତୁ ରାକ୍ଷସ ହାବୁଡରେ ଯିଏ ଥରେ ପଡିବ, ସିଏ ତାକୁ ଏତେ ସହଜରେ କେବେବି ଛାଡିବ ନାହିଁ । ରାକ୍ଷସ କବଳରୁ ମୁକ୍ତି ପାଇବା ଅସମ୍ଭବ । ତେଣୁ ନିଜର ବୁଦ୍ଧି ବିଦ୍ୟା, କୌଶଳ ପ୍ରୟୋଗ କରି ତାକୁ ଜଙ୍ଗଲ ବାହାରକୁ ଆଣିବା ପାଇଁ ସେ ଖୁବ୍ ଚେଷ୍ଟା କରିଥିଲେ । ଶେଷରେ ତାଙ୍କର ସର୍ବ ଶେଷ କୌଶଳର ଜାଲରେ କପୋତ ପଡିବା ଭଳି ସେ ରାକ୍ଷସ ମଧ୍ୟ ଧରାଦେଲା । ଦୁହେଁ ଜଙ୍ଗଲ ବାହାରକୁ ଆସିବା ରାସ୍ତାରେ ଚାଲିଲେ । ଯେତେବେଳ ଯାଏଁ ଶଙ୍କର ଶାସ୍ତ୍ରୀ ଜଙ୍ଗଲ ଭିତରେ ଯାଉଥିଲେ, ଭୟଭୀତ ହୋଇ ଏପଟକୁ ସେପଟକୁ ଚାହିଁ ବଡ ସତର୍କତାର ସହ ସେ ଆଗେଇ ଚାଲିଥିଲେ । ଯେମିତି ଜଙ୍ଗଲ ଅତିକ୍ରମ କରି ଆସିଛନ୍ତି ସେ ଏଥର ନିର୍ଭୟରେ ଚାଲିଲେ । ନିଶ୍ଚିତ ହୋଇ ବେପରୁଆ ଢଙ୍ଗରେ ଗୁଣୁ ଗୁଣୁ ଶ୍ଳୋକ ବୋଲିବା ସେ ଆରମ୍ଭ କଲେ ।
ତାଙ୍କର ଏପରି ବ୍ୟବହାରରେ ସେ ରାକ୍ଷସ ଜଣକ ଖୁବ୍ ଆଶ୍ଚର୍ଯ୍ୟ ହେଲା । ଏହାର କାରଣ ପଚାରିବାରୁ ଶଙ୍କର ଶାସ୍ତ୍ରୀ ହସି ହସି କହିଲେ, ଜଙ୍ଗଲରେ ସିଂହ, ବାଘ, ଭାଲୁ ଆଦି ହିଂସ୍ର ଜନ୍ତୁମାନଙ୍କର ଭୟ ରହିଛି । କାଳେ କେଉଁ ଦିଗରୁ କେଉଁ ସମୟରେ ସେମାନେ ହଠାତ୍ ଆକ୍ରମଣ କରିବେ, ତାହା ତ ମୋଟେ କହିହେବ ନାହିଁ । ଆମେ ଜଙ୍ଗଲର ସୀମା ଅତିକ୍ରମ କରି ସାରିଲେଣି । ତେଣୁ ମୁଁ ଏବେ ନିର୍ଭୟରେ ଚାଲିଛି ।