ରାକ୍ଷସ ଅଙ୍ଗାରକ ଗୋଟିଏ ପାର୍ବତ୍ୟ ମୁଲକରେ ରହୁଥିଲା । ସେ ଯେପରି ବଳବାନ, ଠିକ୍ ସେହିପରି ସେ ଉଦ୍ଧତ ମଧ୍ୟ ଥିଲା । ରାଜା ସାମନ୍ତ ଓ ସମ୍ଭ୍ରାନ୍ତ ଘରମାନଙ୍କର ଝିଅମାନଙ୍କୁ ଧରି ନେଇଯାଇ ସେମାନଙ୍କୁ ସେ ନିଜ ଦାସୀ ରୂପେ ଖଟାଉଥିଲା ।
ସେତିକିବେଳେ ମହାସେନ ଉଜ୍ଜିୟିନୀରେ ରାଜୁତି କରୁଥିଲେ । ସେ ଥରେ ତାଙ୍କ ତପସ୍ୟା ଦ୍ୱାରା ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ଗୋଟିଏ ଅସୀ ଲାଭ କରିଥିଲେ । ଯଦି ସେ ଅତ୍ୟାଚାରୀ କବଳରୁ ନିରୀହମାନଙ୍କୁ ରକ୍ଷା କରିବା ନିମନ୍ତେ ସେ ଅସୀ ବ୍ୟବହାର କରିବେ, ତେବେ ତାଙ୍କୁ ଗୋଟିଏ ପୁରସ୍କାର ମିଳିବ ବୋଲି ଦେବୀ କହିଲେ ।
ଦିନେ ରାଜା ମହାସେନ ବଣ ଭିତରକୁ ଶୀକାର କରିବାକୁ ଯାଇଥାନ୍ତି, ହଠାତ୍ ଗୋଟାଏ ଉନ୍ମତ ବାର୍ହା ଆସି ତାଙ୍କ ରଥ ଦେହରେ ମୁଣ୍ଡ ଭୁଷି ସେହି ରଥକୁ ଓଲଟାଇ ଦେଲା । ରାଜା ବାର୍ହା ଉପରକୁ ତୀର ମାରିଲେ । କିନ୍ତୁ ସେସବୁ ତା’ ଦେହରୁ ଘାସ ଭଳି ଝଡି ପଡିଲା । ରାଜା ବାର୍ହାକୁ ଅନୁସରଣ କଲେ । ବାର୍ହା ସେକଥା ଜାଣି ପାରିଲା ନାହିଁ । ବାର୍ହା ଯାଇ ଗୋଟିଏ ଗୁମ୍ଫା ଭିତରେ ପଶିଲା ।
ରାଜା ସେ ଗୁମ୍ଫା କାନ୍ଥରେ କାନଡେରି ଶୁଣିଲେ: ଝିଅଟିଏ ପଚାରୁଛି, “ବାପା, ମୁଁ ଭଲଭାବେ ଏହା ଜାଣେ ଯେ ତମେ ବାର୍ହା ରୂପ ନେଇ ବୁଲିଲେ ତମର କେହି କିଛି ହେଲେ ମଧ୍ୟ କରି ପାରିବେ ନାହିଁ । କିନ୍ତୁ ମଣିଷ ଅବସ୍ଥାରେ ଯଦି ତୁମକୁ କେହି ଆକ୍ରମଣ କରେ?”
ଏକଥା ଶୁଣି ବାପା କହିଲେ “ଝିଅ! ତୁ ସେଥିଲାଗି ଆଦୌ ଚିନ୍ତା କର ନାହିଁ । ମୋତେ କେହି ମଧ୍ୟ ମାରି ପାରିବେ ନାହିଁ । କାହିଁକିନା ମୋ ବାମ ହାତରେ ମୋ ପ୍ରାଣ ରହିଛି । ଆଉ ମୁଁ ମୋର ସେ ହାତକୁ ହୀରାର ସାଞ୍ଜୁ ଭିତରେ ସଦା ସର୍ବଦା ଢାଙ୍କି ରଖିଥାଏ ।”
ଏଣେ ସେ ବାପଝିଅଙ୍କ ସବୁକଥା ଶୁଣି ରାଜା ଅପେକ୍ଷା କଲେ । ଅଙ୍ଗାରକ ଗୁମ୍ଫାରୁ ବାହାରିବା ମାତ୍ରେ ସେ ତାକୁ ଲଢେଇ ପାଇଁ ଆହ୍ୱାନ ଦେଲେ ଓ ଦେବୀ-ଦତ ଅସୀ ଦ୍ୱାରା ତା’ ବାମ ହାତ ଛେଦନ କଲେ । ଫଳରେ ସେ ରାକ୍ଷସ ଏଥର ମଲା ।
ରାକ୍ଷସର ଅସାମାନ୍ୟ ସୁନ୍ଦରୀ କନ୍ୟା ଅଙ୍ଗାରବତୀକୁ ରାଜା ମହାସେନ ବିବାହ କଲେ । ସେ ବୁଝିଲେ, ଏହି କନ୍ୟାହିଁ ଭବିଷ୍ୟତବାଣୀରେ କୁହାଯାଇଥିବା ସେହି ପୁରସ୍କାର ।