ସହରଠାରୁ ବହୁ ଦୂରରେ ଅବସ୍ଥିତ ଏକ ଗ୍ରାମରେ ଦୁଇଜଣ ସାଙ୍ଗ ରହୁଥିଲେ । ଏକ ବିଚିତ୍ର ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା । ମୈତ୍ର ଜନ୍ମରୁ ଅନ୍ଧ ଥିଲା ଓ ଫୁକାନ୍ ଜନ୍ମରୁ ଛୋଟା ଥିଲା । ସେମାନେ ଗ୍ରାମ ନିକଟରେ ଥିବା ବରଗଛ ପାଖରେ ପରସ୍ପରକୁ ଭେଟୁଥିଲେ ଓ ଗପସପରେ କିଛି ସମୟ ବିତାଉଥିଲେ ।
ବିହୁ ଉତ୍ସବ ପାଳିତ ହେଉଥାଏ । ଗ୍ରାମର ସବୁ ଲୋକ ସେହି ଉତ୍ସବର ଆନନ୍ଦରେ ମସ୍ଗୁଲ୍ ଥାଆନ୍ତି । ସେମାନେ ଏକ ନୂତନ ଯୋଜନା ପ୍ରସ୍ତୁତ କଲେ । ମୈତ୍ର ଫୁକାନ୍କୁ କାନ୍ଧରେ ବସାଇ ନେଇଯିବ । ମୈତ୍ରର ଗୋଡ ଫୁକାନ୍ର ଗୋଡ ଅପେକ୍ଷା ଖୁବ୍ ଶକ୍ତ ଓ ଦୃଢ ଥିଲା । ଆଉ ଫୁକାନ୍ ଦେଖି ପାରୁଥିବାରୁ ମୈତ୍ରକୁ ବାଟ ଦେଖାଇବ ।
ସେମାନଙ୍କର ଯୋଜନା ଫଳପ୍ରଦ ହେଲା । ମେଳା ସରିଗଲା ପରେ ବି ସେମାନେ ଏହି ଅଭ୍ୟାସ ଜାରୀ ରଖିଲେ ।
ଦିନେ ବିଶ୍ରାମ ନେଉଥିବା ସମୟରେ ମୈତ୍ର କହିଲା, “ସାଙ୍ଗ! ଆମେ ଆଉ କେତେଦିନ ଏଇ ଗାଁରେ ରହିବା! କାମଧନ୍ଦା କିଛି କରିବା କି ନାହିଁ? ଚାଲ, ଆମେ ଏଥର ଏଠାରୁ ବାହାରକୁ ଯିବା ଓ କିଛି କାମ କରିବା ।” ମୈତ୍ର ଏହିଭଳି ପ୍ରସ୍ତାବ ଦେଲା ।
କିନ୍ତୁ ଫୁକାନ୍ କୁଣ୍ଠିତ ହୋଇ ଉତ୍ତର ଦେଲା, “ମୈତ୍ର! ମୋ ମନରେ କିନ୍ତୁ ଭୟ ରହୁଛି । ମୋତେ ଏଇ ଗ୍ରାମ ପାଖରେ କାନ୍ଧରେ ବସାଇ ବୁଲିବା କଥା ଠିକ୍ । କିନ୍ତୁ ଆମେ ଏଠାରୁ କେତେ ଦୂରରେ ଥିବା ସହରକୁ ଯିବା…”
ଫୁକାନ୍ର କଥା ଶେଷ ହେବାକୁ ସୁଯୋଗ ନ ଦେଇ ମୈତ୍ର କହିଲା, “କିଛି ଚିନ୍ତା କରନି! ମୁଁ କ୍ଳାନ୍ତ ଅନୁଭବ କଲା ମାତ୍ରେ ଯେଉଁଠି ପାରେ ସେଇଠି ବିଶ୍ରାମ ନେଇ ପାରିବି । ମନେରଖ, ତୁମର ସାହାଯ୍ୟ ବିନା ମୁଁ ପାଦେ ବି ଆଗକୁ ଚାଲି ପାରିବି ନାହିଁ ।”
ତା’ ପରଦିନ ସକାଳେ ସେ ଦୁଇବନ୍ଧୁ ନିକଟସ୍ଥ ଗନ୍ତବ୍ୟ ସ୍ଥାନକୁ ସେମାନଙ୍କର ଦୁଃସାହସିକ ଯାତ୍ରା ଆରମ୍ଭ କଲେ ।
ଗୋଟିଏ ସ୍ଥାନରେ ଫୁକାନ୍ ଗୋଟିଏ ଗଛ ତଳେ ପଡିଥିବା ଢୋଲଟିଏ ଦେଖିବାକୁ ପାଇଲା । ସମ୍ଭବତଃ ଢୋଲ ବଜାଇ ଶିଖିଥିବା କୌଣସି ଲୋକ ଭୁଲବଶତଃ ସେଠାରେ ସେଇଟିକୁ ଛାଡି ଯାଇଥିଲା । ମୈତ୍ର ସାଙ୍ଗରେ ଢୋଲଟିକୁ ନେଇଯିବାକୁ ପରାମର୍ଶ ଦେଲା ।
କିଛି ସମୟ ପରେ, ସେମାନେ ଗୋଟିଏ କୁଅ ପାଖରେ ଯାଇ ପହଁଚିଲେ । ସେମାନେ କୁଅରୁ ପାଣି କାଢି ନିଜ ନିଜର ଶୋଷ ମେଂଟାଇଲେ । ସେଠାରେ ଖଣ୍ଡେ ଦଉଡି ପଡିଥିବାର ଦେଖି ସେଇଟିକୁ ମଧ୍ୟ ସେମାନେ ଉଠାଇ ନେଲେ । ଫୁକାନ୍ ଢୋଲରେ ଦଉଡି ଖଣ୍ଡକ ବାନ୍ଧି ଦେଇ ତାକୁ ନିଜ କାନ୍ଧରେ ଝୁଲାଇ ଦେଲା । ଆଉ କିଛି ବାଟ ଆଗକୁ ଗଲାପରେ ଗୋଟିଏ ପୋଖରୀ ପାଖରେ ସେମାନେ ଯାଇ ପହଁଚିଲେ । ସେହି ପୋଖରୀ ଚାରିପଟେ ବଡ ବଡ ଗଛ ଥିଲା । ଛାଇ ଜାଗା ଦେଖି ପୋଖରୀ କୂଳରେ, ଘାସ ଉପରେ ସେମାନେ ବିଶ୍ରାମ ନେଲେ ।
ଏତିକିବେଳେ ଫୁକାନ୍ ଲକ୍ଷ୍ୟ କଲା ଯେ, ଗୋଟିଏ କଇଁଛ ସେମାନଙ୍କ ଆଡକୁ ଚାଲି ଆସୁଛି । ସେ ମୈତ୍ରକୁ ଏହା ଜଣାଇ କହିଲା, “ଆମେ ଏହାକୁ ସାଙ୍ଗରେ ନେଇଯିବା କି ଏଠାରେ ଛାଡି ଦେଇଯିବା?”