ତହୁଁ ସେ ରାକ୍ଷସ କହିଲା, “ଠିକ୍ ଅଛି । ଶୀଘ୍ର ଆରମ୍ଭ କର ।” ଏପରି କଥା ଶୁଣି ଅୟୁତା ଗରମ ହୋଇ ପାଚିଥିବା ଖଣ୍ଡେ ପଥର ଚୁଲୀରୁ କାଢି ସେ ରାକ୍ଷସ ଆଡକୁ ଫିଙ୍ଗିଲା । ଗୋଟାଏ ବିରାଟ ଆଁ କରି ରାକ୍ଷସ ଚଟକରି ସେଇଟିକୁ ଗିଳିଦେଲା । ଅୟୁତା ଗୋଟାଏ ପରେ ଗୋଟାଏ ଗରମ ପଥର ଫୋପାଡୁ ଥାଏ ଓ ସେ ଅସୁର ବି ତାକୁ ଗିଳୁଥାଏ । ଏମିତି କେତେ ସମୟ ପରେ ସେ ଅସୁର କ୍ଳାନ୍ତ ହୋଇପଡିଲା । ଆଉ ଢେଲା ପଥର ଖଣ୍ଡ ସବୁ ସେ ରାକ୍ଷସର ପେଟକୁ ଖୁବ୍ ଗରମ ଏବଂ ଓଜନିଆ କରିଦେଲେ । ତା’ପରେ ସେ ଅସୁର ଆଉ ସମ୍ଭାଳି ନପାରି ତଳେ କଚାଡି ହୋଇ ପଡିଲା । ଏସବୁ ଘଟଣା ଦେଖି ସେ ଅୟୁତା ଆଉ କାଳ ବିଳମ୍ବ ନ କରି ବୁଢୀର କୁରାଢି ଆଣି ସେ ଅସୁରକୁ ହାଣି ତା ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଲା । ତା’ପରେ ସେ ବୁଢୀ ଘର ପଛପଟେ ଥିବା ଗହଳିଆ ବୁଦା ତଳେ ଅୟୁତା ଅସୁରର ମୁଣ୍ଡକୁ ନେଇ ଲୁଚାଇ ଦେଲା ।
ବୁଢୀ ଓ ଆଦାମାକୁ ଏଥର ନିଶ୍ଚିନ୍ତରେ ଶୋଇବାକୁ କହି ଅୟୂତା କୂଅ ଆଡକୁ ଧାଇଁଲା । କୂଅ ନିକଟରେ ପହଁଚି ସେ ଦେଖିଲା ଯେ, ଜମିଦାରଙ୍କ ସୁନ୍ଦରୀ ଝିଅ ବନ୍ଧାହୋଇ ଖାଲି କାନ୍ଦୁଛି । ଏମିତିକି କାନ୍ଦି କାନ୍ଦି ତାର ସୁନ୍ଦରିଆ ମୁହଁଟି ପୁରାପୁରି ଝାଉଁଳି ପଡିଲାଣି । ଅୟୁତା ସେ ଅସୁରର ମୃତ୍ୟୁ ସମ୍ବାଦ ସେ ଜମିଦାର ଝିଅକୁ ଦେଲା ଓ ତା’ର ବନ୍ଧନ ମଧ୍ୟ ଖୋଲିଦେଲା । ତା’ପରେ ସେ ଝିଅଟି ବନ୍ଧନ ମୁକ୍ତ ହୋଇ ଅୟୁତାକୁ ବହୁତ ଧନ୍ୟବାଦ ଦେଇ ଅତ୍ୟନ୍ତ ଆନନ୍ଦରେ ନିଜ ଘରକୁ ଫେରିଲା । ଗଲାବେଳେ ସେ ଝିଅଟି କେବଳ ଏତିକି କହିଲା, “ତୁମର ସାହସ ପାଇଁ ମୋର ବାପା ତୁମକୁ ନିଶ୍ଚୟ ଉପଯୁକ୍ତ ପୁରସ୍କାର ଦେବେ ।” ଏଣେ ଏ ଅୟୁତା ବି ଅନୁଭବ କଲା ଯେ, ସେ ମଧ୍ୟ ଖୁବ୍ କ୍ଳାନ୍ତ । ଆଉ ବର୍ତ୍ତମାନ ବି ତା’ର ବହୁତ ବିଶ୍ରାମ ଦରକାର । ତେଣୁ ସେ ଅୟୁତା ବୁଢୀ ଘରକୁ ଫେରିଯାଇ ଆରାମ୍ରେ ଶୋଇପଡିଲା । ରାତି ପାହିଲା । ସକାଳୁ ଲୋକେ ମାଠିଆ ଧରି ଡରିଡରି ସେ କୂଅ ପାଖକୁ ବାହାରିଲେ । ସେମାନେ ଭାବୁଥିଲେ ବୋଧହୁଏ ଅସୁର ଆସି ଜମିଦାର ଝିଅକୁ ନେଇଯିବଣି ।
ମାତ୍ର କୂଅ ପାଖରେ ପହଁଚି ସେ ଅସୁରକୁ ତଳେ ଶୋଇଥିବାର ଦେଖି ସମସ୍ତେ ଭୟରେ ଛାନିଆ ହୋଇ ସେଠାରୁ ପଳେଇ ଆସିଲେ । ଜଣେ ସାହସୀଲୋକ ଜମିଦାର ପାଖକୁ ଯାଇ କହିଲା, “ଆପଣ ବଛା ବଛା ସୈନିକ ପଠାନ୍ତୁ ।
ଏଣେ ଘରେ ସମସ୍ତେ ଭୟାଳୁ, ଝିଅ ମୁହଁରୁ ଅସୁର ମରିବା ଖବରକୁ ଅବିଶ୍ୱାସ କରି ଜମିଦାରଙ୍କ ପରିବାର ଲୋକେ ଖାଲି ଭୟରେ ଥରୁଥିଲେ । କେତେବେଳେ ଆସି ଅସୁର ପହଁଚିଯିବ ଏଇ ଚିନ୍ତା ସେମାନଙ୍କୁ ଖୁବ୍ ଅଥୟ କରୁଥିଲା । ତାପରେ ସେ ଝିଅ ବହୁ କଷ୍ଟରେ ତା’ ବାପାକୁ ରାଜି କରାଇ କେତେକ ବଳୁଆ ସୈନ୍ୟ ପଠାଇଲା ।
ଜମିଦାରଙ୍କ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ଚିତ୍କାର କରି ସେ କୂଅ ଆଡକୁ ଶୀଘ୍ର ଧାଇଁଲେ । କିନ୍ତୁ ଅସୁରକୁ ଦୂରରୁ ଚାରିକାତ ମେଲାଇ ତଳେ ପଡିଥିବା ଦେଖି ପଛକୁ ଦୌଡିଲେ । ଏହି ସମୟରେ ଜଣେ ସାହସୀ ସୈନ୍ୟ ଦେଖିଲେ ଯେ ସେ ଅସୁରର ମୁଣ୍ଡ ନାହିଁ । ତେଣୁ ଅସୁର ମରିଯାଇଛି ବୋଲି ପାଟିକରି ସେ ତା’ର ଅନ୍ୟାନ୍ୟ ସାଙ୍ଗମାନଙ୍କୁ ଶୁଣାଇଲା । ତାପରେ ସମସ୍ତେ ସେ ଅସୁର ନିକଟକୁ ଯାଇ ତା’ର ପ୍ରାଣଶୂନ୍ୟ ଶରୀର ଦେଖି ଆନନ୍ଦରେ ଖୁବ୍ ନାଚିଲେ । କେଉଁ ଲୋକ ଏ ଅସୁରକୁ ମାରିଛି ଏହିପରି କଥାବାର୍ତ୍ତା ହେଉ ହେଉ ହଠାତ୍ ଜଣେ ସୈନ୍ୟ ଦେଖିଲା ଯେ ସେ ଅସୁର ଦେହ ତଳେ ପଟେ ଛୋଟ ଚଟି ଚାପା ପଡି ଯାଇଛି । ସମସ୍ତେ ସେ ଚଟିକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଚଟିର ମାଲିକ ନିଶ୍ଚୟ ରାକ୍ଷସକୁ ମାରିଛି ।
ତା’ପରେ ସେମାନେ ଦୌଡିଯାଇ ଯମିଦାରକୁ ସବୁ ଶୁଣାଇଲେ । ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କଥା ଶୁଣି ସେ ଯମିଦାର ଡେଙ୍ଗୁରାବାଲାକୁ ଡକାଇ ଡେଙ୍ଗୁରା ଦେବାକୁ ଆଦେଶ ଦେଲେ ।
ଡେଙ୍ଗରା ଶୁଣି ସବୁ ଲୋକ ହାଟପାଖକୁ ଧାଇଁଲେ । ସେଠି ପ୍ରତ୍ୟେକ ଲୋକଙ୍କୁ ପାଇଥିବା ଚଟି ପିନ୍ଧିବାକୁ କୁହାଗଲା । କିନ୍ତୁ ଏତେ ଛୋଟ ଚଟି କାହା ପାଦକୁ ଆଦୌ ହେଲା ନାହିଁ ।